Advertisment

୩ ଆଇଏଏସଙ୍କ ନିଯୁକ୍ତିକୁ ନେଇ ଚର୍ଚ୍ଚା: ଭାସ୍କରଜ୍ୟୋତିଙ୍କ ପାହ୍ୟା ଖସିଲା, ୪ମାସରେ ବିଷ୍ଣୁପଦଙ୍କୁ କ୍ଲିନଚିଟ୍

୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ପାହ୍ୟାକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି। ଶ୍ରୀ ଶର୍ମା ଓଡ଼ିଶା ସରକାରରେ କମିଶନର ତଥା ସଚିବ ପାହ୍ୟାରେ କାର୍ଯ୍ୟ କରୁଥିଲେ।

Shri Bhaskar Jyoti Sharma

Shri Bhaskar Jyoti Sharma

Advertisment

ରାଜ୍ୟର ୩ଜଣ ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀ, ଭାସ୍କରଜ୍ୟୋତି ଶର୍ମା ଓ ବି.ପରମେଶ୍ୱରନଙ୍କ ନିଯୁକ୍ତିକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ୩ ଆଇଏଏସଙ୍କ ସମେତ ମୋଟ ୮ଜଣ ଆଇଏଏସଙ୍କ ବଦଳି ବିଜ୍ଞପ୍ତି ଜାରି ହୋଇଛି । ମାତ୍ର ଏଥିରେ ବିଷ୍ଣୁପଦ,ଭାସ୍କରଜ୍ୟୋତି ଓ ପରମେଶ୍ୱରନଙ୍କ ନିଯୁକ୍ତି ଏବଂ ବଦଳି ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି । ୪ମାସରେ ବିଷ୍ଣୁପଦଙ୍କୁ କ୍ଲିନଚିଟ୍ ଦେଇ ପୁଣିଥରେ ପ୍ରମୁଖ ସଚିବ ପାହ୍ୟାରେ ଅବସ୍ଥାପିତ କରିଥିବା ରାଜ୍ୟ ସରକାର ଭାସ୍କରଜ୍ୟୋତିଙ୍କୁ କମିଶନର ତଥା ସଚିବ ପାହ୍ୟାରୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦବନତି କରିଛନ୍ତି ।

Advertisment

ସୂଚନା ଅନୁସାରେ, ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ପାହ୍ୟାକୁ ରାଜ୍ୟ ସରକାର ହ୍ରାସ କରିଛନ୍ତି । ଶ୍ରୀ ଶର୍ମା ଓଡ଼ିଶା ସରକାରରେ କମିଶନର ତଥା ସଚିବ ପାହ୍ୟାରେ କାର୍ଯ୍ୟ କରୁଥିଲେ । କିନ୍ତୁ ଚଳିତମାସ ୭ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ ତାଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦବନତି କରାଯାଇଛି । ତେବେ ଶ୍ରୀ ଶର୍ମାଙ୍କୁ ତଳ ପାହ୍ୟାକୁ ଖସାଇବା ପଛରେ କ’ଣ କାରଣ ରହିଛି ତାହା ଅସ୍ପଷ୍ଟ । ମାତ୍ର କେନ୍ଦ୍ର ସରକାରଙ୍କ ଚିଠି ପରେ ଶ୍ରୀ ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ‘ପାହ୍ୟା’ ହ୍ରାସ ହୋଇଥିବା ଜଣାପଡ଼ିଛି । ଶ୍ରୀ ଶର୍ମା ରାଜ୍ୟ ସରକାରରେ ୨୦୧୯ ମସିହାରୁ ବିଭିନ୍ନ ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ ।

ଗତ ମେ’ ୨୨ତାରିଖରେ ରାଜ୍ୟ ସରକାର ତାଙ୍କୁ ବିଭାଗୀୟ ସଚିବ ପଦରୁ ଅଚାନକ ହଟାଇ ଦେଇଥିଲେ । ତାଙ୍କୁ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ସେତେବେଳେ ତାଙ୍କ ବଦଳି ନିର୍ଦ୍ଦେଶକୁ ସାର୍ବଜନୀନ କରିନଥିଲେ । ତେବେ ଶନିବାର ତାଙ୍କୁ କଟକସ୍ଥିତ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ବଦଳି କରାଯାଇଛି ଓ ସେ ଉକ୍ତ ପଦବୀରେ ରାଜ୍ୟ ସରକାରଙ୍କ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ ବୋଲି ଉଲ୍ଲେଖ ଅଛି । ଶ୍ରୀ ଶର୍ମା ୨୦୧୯ ଅଗଷ୍ଟରୁ ୨୦୨୩ ମେ’ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାମ କରିବା ସହ ବିଜ୍ଞାନ ଓ କାରିଗରି କୌଶଳ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ଏବେ ତାଙ୍କ ପତ୍ନୀ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗର ସଚିବ ଭାବେ କାମ କରୁଛନ୍ତି । ରାଜ୍ୟ ସରକାରରେ ତାଙ୍କଠୁ ବହୁ ଜୁନିୟର ଅଫିସର୍ ଏପରିକି ୨୦୦୭ ବ୍ୟାଚର ଆଇଏଏସ ଅଫିସରଙ୍କୁ ଏବେ ବିଭାଗୀୟ କମିଶନର ତଥା ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିଛି ।

Advertisment

ସେହିପରି ପ୍ରାୟ ୪ମାସ ଧରି ବିନା ପଦରେ ବସି ରହିଥିବା ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ୨୦୨୩ ଜୁନ୍ ମାସରେ ଉଚ୍ଚଶିକ୍ଷା ବିଭାଗରେ କେଳେଙ୍କାରୀର ଅଭିଯୋଗ ହୋଇଥିଲା ଓ ରାଜ୍ୟ ସରକାର ତତକାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ବିଭାଗର ପ୍ରମୁଖ ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ଅଚାନକ ହଟାଇ ଦେଇଥିଲେ । ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ବଦଳି ହୋଇଥିବା ଶ୍ରୀ ସେଠୀ ଗତ କିଛିମାସ ଧରି ନିଜର ପୋଷ୍ଟିଂ ପାଇଁ ପ୍ରୟାସ ଜାରି ରଖିଥିଲେ । ମାତ୍ର ଯେଉଁ ଅଭିଯୋଗ ଆଧାରରେ ଶ୍ରୀ ସେଠୀଙ୍କୁ ପ୍ରାୟ ୪ମାସ ବିନା କାମରେ ବସିବାକୁ ପଡ଼ିଥିଲା ଓ ପ୍ରମୁଖ ସଚିବ ପଦରୁ ହଟାଯିବାର କଳଙ୍କ ଲାଗିଥିଲା, ସେଥିରୁ ସେ କିଭଳି କ୍ଳିନଚିଟ୍ ପାଇଲେ ତାକୁ ସରକାର ସାର୍ବଜନୀନ କରିନାହାନ୍ତି ।

୨୦୦୮ ବ୍ୟାଚ୍ ବି.ପରମେଶ୍ୱରନ ୨୦୨୦ ଫେବୃୟାରୀ ମାସରେ ରାଜ୍ୟ ପାନୀୟଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ ତଥା ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ଏହି ଦୁହାଁଳିଆ ପଦବୀରୁ ଅଚାନକ ହଟାଇ ଦେଇ କମ୍ ଗୁରୁତ୍ୱ ବହନ କରୁଥିବା ଭୁବନେଶ୍ୱରସ୍ଥିତ ଚକବନ୍ଦୀ କମିଶନର ଭାବେ ବଦଳି କରାଯାଇଛି । ଏହି ପଦବୀରେ ସେ ରାଜ୍ୟ ଆଇଏଏସ କ୍ୟାଡ଼ରରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧାସୁଯୋଗ ପାଇବେ ।

Ias Officer Ias
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe