Advertisment

ଯୋଜନା ମାଳ ମାଳ, ତଥାପି ବନ୍ଦ ହେଉନି ଆନ୍ଦୋଳନ

ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ।

author-image
Hemant Lenka
Odisha

Odisha

ନିର୍ବାଚନକୁ ଆଖି ଆଗରେ ରଖି ମାଳ ମାଳ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ୍ ମୋହର ମାରିବାରେ ଲାଗିଛି। ତା’ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। ଏବେ ବି ରାଜଧାନୀ ରାଜରାସ୍ତାରେ ଖରା-କାକରରେ ଚାଲିଛି ଆନ୍ଦୋଳନ।

Advertisment

ଏମିତି କି ପେନସନ୍ ପାଉ ନଥିବା ସମସ୍ତ କର୍ମଚାରୀଙ୍କୁ ଅବସର ପରେ ଏକକାଳୀନ ୬ ଲକ୍ଷ ଓ ୪ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ଦେବାକୁ ଶନିବାର ସରକାର ନେଇଥିବା ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛି ଓଷ୍ଟା। ଯାହାକୁ ନେଇ ରାଜନୀତି ବି ଜୋର ଧରିଛି।

ଭୋଟ୍ ବେଳ ଯେତିକି ପାଖେଇ ଆସୁଛି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଭାଗର କର୍ମଚାରୀଙ୍କୁ ଖୁସ୍ କରିବାକୁ ନୂଆ ଘୋଷଣା ପରେ ଘୋଷଣା କରି ଚାଲିଛନ୍ତି। କାହାର ଦରମା ବୃଦ୍ଧି ହେଉଛି ତ କାହାର ପାହ୍ୟା।

Advertisment

ତା’ସତ୍ତ୍ୱେ ବି ରାଜଧାନୀ ରାଜରାସ୍ତାରେ ଥମିନି ଆନ୍ଦୋଳନ। ଓଡ଼ିଶା ଭେଟେରାନ୍ ସୋଲଜର୍ସ ଆସୋସିଏସନ। ଶହ ଶହ ସଂଖ୍ୟାରେ ଅବସରପ୍ରାପ୍ତ ସୈନିକ ଆଜି ଲୋୟର ପିଏମଜିରେ ପ୍ଲାକାର୍ଡ ଓ ବ୍ୟାନର ଧରି ଶୋଭାଯାତ୍ରା କରିଥିଲେ। ଅବସର ପରେ ୫ ଏକର ଜମି ଓ ଯୋଗ୍ୟତା ଅନୁସାରେ ଚାକିରି ସହ ପ୍ରତି ଜିଲ୍ଲାରେ ସଂଘ କାର୍ଯ୍ୟାଳୟ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।

ସେହିପରି ବିଧାନସଭା ଆଗରେ ଟେଣ୍ଟ ତଳେ ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ କଲେଜ୍ ଟିଚିଂ ଆଣ୍ଡ ନନ୍ ଟିଚିଂ ଏମ୍ପ୍ଲଇଜ୍ ଆସୋସିଏସନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

୨୦୦୮ରୁ ୨୦୧୩ ମଧ୍ୟରେ କଲେଜ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ପ୍ରାୟ ୩ହଜାର କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି। ୧୬ବର୍ଷ ଧରି ସେମାନଙ୍କ ଦାବି ସରକାର ଶୁଣୁ ନଥିବାରୁ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ସଂଘ ଧମକ ଦେଇଛି।

ସେପଟେ ଗତକାଲି ପେନସନ୍ ପାଉ ନଥିବା ସମସ୍ତ କର୍ମଚାରୀଙ୍କୁ ଏକକାଳୀନ ଅଧ୍ୟାପକ ଓ ଶିକ୍ଷକଙ୍କୁ ୬ଲକ୍ଷ ଓ ଅଣ ଶିକ୍ଷକଙ୍କୁ ୪ଲକ୍ଷ ଟଙ୍କା ଲେଖାଏ ଦେବାକୁ କ୍ୟାବିନେଟର ନିଷ୍ପତ୍ତିକୁ ଖୋଲାଖୋଲି ବିରୋଧ କରିଛି ଅଲ୍ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା। ସଂଘ କହିଛି ଯେ ଏକକାଳୀନ ନୁହେଁ, ସମସ୍ତଙ୍କୁ ମାସିକ ପେନସନ୍ ଦିଆଯାଉ।

ଅନୁଦାନ ଓ ଅଣ-ଅନୁଦାନପ୍ରାପ୍ତ ପ୍ରାଥମିକ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଶନିବାର କ୍ୟାବିନେଟ୍ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନଙ୍କ ଏ ଆନ୍ଦୋଳନ ଆଗକୁ ଜାରି ରହିବ। ଦାବି ପୂରଣ ନେହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ଦଳ ବିରୋଧରେ ସବୁଠି ପ୍ରାର୍ଥୀ ଦେବାକୁ ବି ଏ ସଂଘ ଧମକ ଦେଇଛି।

ଗୋଟିଏ ପଟେ ରାଜ୍ୟ ସରକାର ଅଧ୍ୟାପକ ଓ ଶିକ୍ଷକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିବା କଥା ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ କହୁଥିବାବେଳେ, ବିରୋଧୀଙ୍କ ଆକ୍ଷେପ ଭୋଟ୍ ପୂର୍ବରୁ ମାଳ ମାଳ କ୍ୟାବିନେଟ୍ ମୋହର ସତ୍ତ୍ୱେ ସରକାର ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରୁନାହାନ୍ତି।

Odisha Protest