Advertisment

ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା: ବାଧକ ସାଜିଛନ୍ତି ଅଫିସର, ୮ମାସ ବିତିଲା ଦେଉନାହାନ୍ତି ତଥ୍ୟ

ପଂଚାୟତିରାଜ ବିଭାଗ ଗତବର୍ଷ ଅଗଷ୍ଟ ୩ତାରିଖରେ ଏନେଇ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ଅଗଷ୍ଟ ୧୨ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲା ।

Road

Road

Advertisment

ଅଫିସରମାନଙ୍କ ମନମୁଖୀ ଓ ବେପରୁୱା ଆଭିମୁଖ୍ୟ ଯୋଗୁ ମୋହନ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏହି ଯୋଜନାରେ ରାଜ୍ୟ ସରକାର ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରିବା ସହ ପ୍ରାୟ ୩୫ ପ୍ରତିଶତ ଅର୍ଥକୁ ଗ୍ରାମାଂଚଳରେ ସଡ଼କ ଭିତ୍ତିଭୂମି ନିର୍ମାଣ ଓ ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ପରିତାପର କଥା, ରାଜ୍ୟରେ କେତେ ରାଜସ୍ୱ ଗାଁ ଓ ପଡ଼ାରେ ଏବେସୁଦ୍ଧା ସବୁଦିନିଆ ରାସ୍ତା ନାହିଁ ତଥା ସେଠାର ବାସିନ୍ଦାମାନେ ଯୋଗାଯୋଗର ସୁବିଧାରୁ ବଂଚିତ ଅଛନ୍ତି ସେନେଇ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ଦେବାକୁ ଅଫିସରମାନେ ଆନ୍ତରିକତା ଦେଖାଉନାହାନ୍ତି ।

Advertisment

ପଂଚାୟତିରାଜ ବିଭାଗ ଗତବର୍ଷ ଅଗଷ୍ଟ ୩ ତାରିଖରେ ଏନେଇ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ଅଗଷ୍ଟ ୧୨ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲା । ମାତ୍ର ୯ମାସ ବିତିଯାଇଥିଲେ ମଧ୍ୟ ସବୁଦିନିଆ ରାସ୍ତା ନଥିବା ଗାଁ ଓ ପଡ଼ାର ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ଜିଲ୍ଲାସ୍ତରର ଅଫିସରମାନେ ଆଗ୍ରହ ଦେଖାଇନାହାନ୍ତି । ଯେଉଁଥିପାଇଁ ମେ’ ୨୭ତାରିଖରେ ବିଭାଗ ପୁଣିଥରେ ଚିଠି ଲେଖି ‘ସରକାରଙ୍କ ପ୍ରାଥମିକତାରେ ଗ୍ରାମାଂଚଳକୁ ସବୁଦିନିଆ ରାସ୍ତା ସଂଯୋଗ ରହିଥିବାରୁ’ ଅଗଷ୍ଟ ୩ତାରିଖରେ ମାଗିଥିବା ତଥ୍ୟକୁ ଶନିବାର ସୁଦ୍ଧା ଦେବାକୁ ତାଗିଦ୍ କରିଛନ୍ତି । ତେବେ ସରକାରଙ୍କୁ ଗ୍ରାମାଂଚଳର ବାସ୍ତବ ତଥ୍ୟ ଦେବାକୁ ୯ମାସ ସମୟ ଗଡ଼ାଇଥିବା ଜିଲ୍ଲାସ୍ତରୀୟ ଅଫିସରମାନେ ମହତ୍ୱାକାଂକ୍ଷୀ ‘ଯୋଜନା’ଗୁଡ଼ିକୁ କିଭଳି କାର୍ଯ୍ୟାନ୍ୱୟନ କରିବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିର୍ଦ୍ଦେଶ ମାନୁନାହାନ୍ତି ଜିଲ୍ଲାସ୍ତରୀୟ ଅଫିସର

ରାଜ୍ୟ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଜ୍ୟୋତିପ୍ରକାଶ ଦାସ ମେ’ ୨୭ତାରିଖ(ମଙ୍ଗଳବାର) ସମସ୍ତ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ସବୁଦିନିଆ ରାସ୍ତା ନଥିବା ଗାଁ ଓ ପଡ଼ାର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ଅଗଷ୍ଟ ୩ ତାରିଖରେ ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ଫର୍ମାଟରେ ଆବଶ୍ୟକ ତଥ୍ୟ ଅଗଷ୍ଟ ୧୨ତାରିଖ(୧୦ଦିନ ସୁଦ୍ଧା) ଦେବାକୁ କୁହାଯାଇଥିଲା । କିନ୍ତୁ ଏବେସୁଦ୍ଧା ଆବଶ୍ୟକୀୟ ତଥ୍ୟ ମିଳିନାହିଁ । ସରକାର ସବୁଦିନିଆ ରାସ୍ତା ନଥିବା ଗାଁ ଓ ପଡ଼ାକୁ ରାସ୍ତା ସଂଯୋଗ କରିବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ତେଣୁ କ୍ଷେତ୍ରୀୟ ଅଧିକାରୀମାନଙ୍କ ଉପରେ ଚାପ ପକାଇ ଅଗଷ୍ଟ ୩ତାରିଖରେ ପଠାଯାଇଥିବା ଚିଠି ଓ ଫର୍ମାଟ ଅନୁରୂପ ଆବଶ୍ୟକୀୟ ତଥ୍ୟ ମେ’ ୩୧(ଶନିବାର ସୁଦ୍ଧା) ନିଶ୍ଚିତ ଭାବେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ଶ୍ରୀ ଦାସ ୨୦୨୪ ଅଗଷ୍ଟ ୩ତାରିଖରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଡିଓମାନଙ୍କୁ ଚିଠି ଲେଖି ଗ୍ରାମାଂଚଳରେ ସଡ଼କ ସଂଯୋଗୀକରଣ ସର୍ବଦା ସରକାରଙ୍କ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ସବୁଦିନିଆ ସଡ଼କ ନିର୍ମାଣ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଗାଁଗୁଡ଼ିକୁ ସବୁଦିନିଆ ରାସ୍ତା ସଂଯୋଗ ଯୋଗାଇ ଦିଆଯାଉଛି । ଏହି ତଥ୍ୟକୁ ମଧ୍ୟ ପ୍ରତି ୬ମାସରେ ଅପଡେଟ୍ କରାଯିବାର ଆବଶ୍ୟକତା ରହିଛି । ତେଣୁ ସବୁଦିନିଆ ରାସ୍ତା ନଥିବା ଗାଁ ଓ ପଡ଼ା ସମ୍ପର୍କିତ ଆବଶ୍ୟକ ତଥ୍ୟକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଗୁଗଲ ସ୍ପେଡ୍ରସିଟ ମାଧ୍ୟମରେ ଅଗଷ୍ଟ ୧୨ତାରିଖ ସୁଦ୍ଧା ପଠାଇବାକୁ ଶ୍ରୀ ଦାସ କହିଥିଲେ । ଜିଲ୍ଲା, ବ୍ଲକ, ପଂଚାୟତ ଓ ଗାଁର ନାଁ ସହ ଜନସଂଖ୍ୟା, ମୁଖ୍ୟ ରାସ୍ତାକୁ ସଂଯୋଗ ପାଇଁ ଆବଶ୍ୟକ ସବୁଦିନିଆ ରାସ୍ତାର ଲମ୍ବ, ପ୍ରାକୃତିକ ପ୍ରତିବନ୍ଧକ ଓ ରାସ୍ତାନିର୍ମାଣ ନିମନ୍ତେ ସୁବିଧା ଅଛି କି ନାହିଁ ଆଦି ଜଣାଇବାକୁ କହିଥିଲେ ।

କିନ୍ତୁ ଏହି ତଥ୍ୟ ମାଗିବାର ୯ମାସ ପରେ ମଧ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାହା ପ୍ରଦାନ କରିନଥିବାରୁ ପଂଚାୟତିରାଜ ବିଭାଗ ପୁଣିଥରେ ଉଦବେଗ ପ୍ରକାଶ କରି ଚିଠି ଲେଖିଛି । ଅଫିସରମାନଙ୍କର ଏଭଳି ଅବହେଳା ଯୋଗୁ ଗ୍ରାମାଂଚଳକୁ ରାସ୍ତା ସଂଯୋଗୀକରଣ ପାଇଁ ସରକାରଙ୍କ ସ୍ୱପ୍ନ ମଧ୍ୟ ଅଧୁରା ରହିଯାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଗ୍ରାମାଂଚଳର ଭିତ୍ତିଭୂମି ବିକାଶ ପାଇଁ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନାଁରେ ୫ହଜାର କୋଟି ଟଙ୍କାର ଏକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯେଉଁଥିରେ ଗ୍ରାମାଂଚଳରେ ସବୁଦିନିଆ ରାସ୍ତା ନିର୍ମାଣ ଓ ମରାମତି ବାବଦରେ ୩୫ପ୍ରତିଶତ ଅର୍ଥ ଖର୍ଚ୍ଚ ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

କେତେ ଗାଁକୁ ନାହିଁ ସବୁଦିନିଆ ରାସ୍ତା

ଗତ ମାର୍ଚ୍ଚ ମାସରେ ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ ଯେ, ରାଜ୍ୟର ୫,୧୯୭ଟି ଗାଁ ଓ ପଡ଼ାକୁ ସବୁଦିନିଆ ରାସ୍ତା ନାହିଁ । ୨୦୨୪-୨୫ ମସିହାରେ ଗ୍ରାମ ପଂଚାୟତ ଓ ପଂଚାୟତ ସମିତି ଦ୍ୱାରା କରାଯାଇଥିବା ଏକ ସର୍ଭେ ମାଧ୍ୟମରେ ଏହି ଗାଁ ଓ ପଡ଼ାଗୁଡ଼ିକୁ ଚିହ୍ନଟ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୯୦୫ଟି ଗାଁ ଓ ପଡ଼ା ଥିବାବେଳେ ନୟାଗଡ ଜିଲ୍ଲା଼ରେ ୫୩୬, ନବରଙ୍ଗପୁରରେ ୪୩୫, ମାଲକାନଗିରିରେ ୩୨୮ ଓ କଳାହାଣ୍ଡି  ଜିଲ୍ଲାରେ ୩୨୧ଟି ଗାଁ ଓ ପଡ଼ା ରହିଛି । ପିଏମଜିଏସୱାଇ, ସିଏଫସି/ଏସଏଫସି, ଏମପିଏଲଏଡି, ଏମଏଲଏଏଲଏଡି ଓ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଭଳି ସରକାରୀ ଯୋଜନା ମାଧ୍ୟମରେ ଏହି ଗାଁଗୁଡ଼ିକୁ ସବୁଦିନିଆ ରାସ୍ତା ସଂଯୋଗ କରାଯାଉଛି ।

Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe