Advertisment

କାହା ଭୁଲରୁ ରାତି ଅନିଦ୍ରା ହେଲେ ମହାପ୍ରଭୁ? ଭକ୍ତ କ୍ଷୁବ୍ଧ

ରାତି ତମାମ ଭୋଗମଣ୍ଡପ ଘରେ ସେମିତି ଶହ ଶହ କୁଡୁଆ ମହାପ୍ରସାଦ ପଡ଼ି ରହିଥିଲା। ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଦାବି କରିଛି ସୁଆର-ମହାସୁଆର ନିଯୋଗ।

undefined

Puri

Advertisment

ନୀତିରେ ଘୋର ବିଭ୍ରାଟ୍‌। ୩ ଘଣ୍ଟା ବିଳମ୍ବ ହେଲା ଦ୍ୱିତୀୟ ଭୋଗ ମଣ୍ଡପ। ରାତିସାରା ତାଲା ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ। ଏଣେ ପହୁଡ଼ ନହୋଇ ଖାଡ଼ା ରାତି ଅନିଦ୍ରା ରହିଲେ ଦିଅଁ। ରବିବାର ଶ୍ରୀମନ୍ଦିରରେ ସୃଷ୍ଟି ହୋଇଥିବା ଏଭଳି ବିଷମସ୍ଥିତିକୁ ନେଇ ଖପ୍ପା ଭକ୍ତ ଓ ସେବାୟତ।

Advertisment

ରବିବାର ଅପରାହ୍ନ ୪.୩୫ରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପାଇଁ ପ୍ରସ୍ତୁତି ସରିଥିଲା। ଭଅଣ୍ଡ ଘରେ ଅନ୍ନ, କାନିକା, ଡାଲି, ବେସର ଆଦି ବ୍ୟଞ୍ଜନ ପହଞ୍ଚି ସାରିଥିଲା। ହେଲେ ସେତେବେଳେ ଭିତର କାଠ ପାଖରେ ରକ୍ତ ଛିଟା ଦେଖି ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଥିଲା। ଯେଉଁଥିପାଇଁ ଠାକୁରଙ୍କ ନୀତିକାନ୍ତି ବିଳମ୍ବ ଘଟିଥିଲା। ତେବେ ରାତି ୯ରୁ ସାଢ଼େ ୯ଟା ଭିତରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିଯିବା କଥା। ହେଲେ ମହାସ୍ନାନ ପରେ ଆଗ ସନ୍ଧ୍ୟା ଆଳତୀ ହେବ ନା ଆଗ ଭୋଗ ମଣ୍ଡପ ଉଠିବ, ତାକୁ ନେଇ ସୁଆର ମହାସୁଆର ଓ ସିଂହାରି ସେବକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ଯାହା ଫଳରେ ନୀତି ସେଇଠି ଠପ୍‌ ହୋଇଗଲା। ପରେ ଶ୍ରୀମନ୍ଦିର କମାଣ୍ଡରଙ୍କ ବୁଝାସୁଝା ପରେ ପ୍ରଥମେ ଭୋଗ ମଣ୍ଡପ ଉଠିଥିଲା।

ସେତେବେଳକୁ ରାତି ୧୧ଟା ୩୫ ବାଜି ଯାଇଥିଲା। ଏତେ ରାତିରେ ମହାପ୍ରସାଦ ନେଇ କାହାକୁ ବିକିବେ ବୋଲି ପ୍ରଶ୍ନ କରି ସୁଆର-ମହାସୁଆର ସେବକ ପଳାଇଥିଲେ। ଫଳରେ ରାତି ତମାମ ଭୋଗମଣ୍ଡପ ଘରେ ସେମିତି ଶହ ଶହ କୁଡୁଆ ମହାପ୍ରସାଦ ପଡ଼ି ରହିଥିଲା। ପାଖାପାଖି ୧୨୦ ହାଣ୍ଡି ଅନ୍ନ, ଶତାଧିକ କୁଡୁଆ ଡାଲି, ଡାଲେମା, ବେସର ଓ ମହୁର ବିକ୍ରି ନହୋଇ ନଷ୍ଟ ହୋଇଥିବାରୁ ଏ ବାବଦରେ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଦାବି କରିଛି ସୁଆର-ମହାସୁଆର ନିଯୋଗ।

Advertisment

ସେପଟେ ଖବର ପାଇ ଆଜି ସକାଳେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଓ ନୀତି ପ୍ରଶାସକ ସୁଆର-ମହାସୁଆର ନିଯୋଗ ସହ ଆଲୋଚନା କରି ଏହାର ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଭ୍ରାଟର କାରଣ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଏଡ଼ାଇ ଯାଇଥିଲେ।

ଗୋଟିଏ ପଟେ ସେବାୟତଙ୍କ ଜିଦ ଯୋଗୁ ରାତି ତମାମ ଭୋଗମଣ୍ଡପ ଘରେ ମହାପ୍ରସାଦ ତାଲା ପଡ଼ି ରହିଲା। ଅନ୍ୟପଟେ ଯେଉଁମାନେ ଜନ୍ମଦିନ, ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ଅଥିତି ଚର୍ଚ୍ଚା ପାଇଁ ମହାପ୍ରସାଦ ଅର୍ଡର ଦେଇଥିଲେ, ସେମାନଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଏଇ ଯେମିତି ପୁରୀ ସହରର ରାମଚନ୍ଦ୍ର ଦୋରା। ପୁଅ ବାହାଘର ଭୋଜି ପାଇଁ ଅବଢ଼ା ଅର୍ଡର ଦେଇଥିଲେ। ହେଲେ ରାତି ସାଢ଼େ ୧୧ରେ ମିଳିବନି ଶୁଣି ଚମକି ପଡ଼ିଥିଲେ। ଶେଷରେ ଅତିଥିମାନଙ୍କୁ କିଛି ମିଠା ଓ ନିଜେ ରାନ୍ଧିଥିବା ସାଧା ଅନ୍ନ ଡାଲି ଖୁଆଇ ବଡ଼ କଷ୍ଟରେ ବିଦା କରିଥିଲେ। ତେଣେ ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟରୁ ଠାକୁର ଅନିଦ୍ରା ରହିବା ଓ ମହାପ୍ରସାଦ ବିଳମ୍ବ ଯାଏଁ, ସବୁକୁ ନେଇ ଭକ୍ତ କ୍ଷୁବ୍ଧ ହୋଇଛନ୍ତି। ତେଣେ ମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଆଗ ଅପେକ୍ଷା ନୀତିକାନ୍ତି ଶୃଙ୍ଖଳାରେ ଅନେକ ସୁଧାର ଆସିଛି।

Sri Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe