Advertisment

ଡିଜିପି ସମ୍ମିଳନୀ ପାଇଁ ଲୋକସେବା ଭବନରେ କଟକଣା: କେବଳ ମନ୍ତ୍ରୀ-ସଚିବଙ୍କ କାରକୁ ମିଳିବ ପାର୍କିଂ ଅନୁମତି

ପୁଲିସ ଡିଜି ସମ୍ମିଳନୀ ପାଇଁ ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ହେବ। ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କଲେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା।

LokaSeva Bhaban

Odisha Loka Seva Bhawan (File Photo)

Advertisment

ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବା ପୁଲିସ ଡିଜି ସମ୍ମିଳନୀ ପାଇଁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଲୋକସେବା ଭବନର କନଭେନସନ୍ ହଲରେ ଚଳିତମାସ ୨୯ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଡିଜି କନଫରେନ୍ସ ପାଇଁ ଆସନ୍ତାକାଲି ବୁଧବାରଠୁ ଲୋକସେବା ଭବନରେ ବିଭିନ୍ନ କଟକଣା ଜାରି ପାଇଁ ନିଷ୍ପତ୍ତି ହୋଇଛି।

Advertisment

ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସରଙ୍କ କାରକୁ ଲୋକସେବା ଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ। ସେହିପରି ଲୋକସେବା ଭବନର କର୍ମଚାରୀମାନେ ନିଜର ଆଇ-କାର୍ଡ ପାଖରେ ରଖିବା ସହ ଅଯଥାରେ ବୁଲାବୁଲି ନକରି ନିଜ ସିଟରେ ବସି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍.କେ ଶର୍ମା ସମସ୍ତ ବିଭାଗକୁ ଚିଠି ଲେଖି ପୁଲିସ ଡିଜି ସମ୍ମିଳନୀ ପାଇଁ ଲୋକସେବା ଭବନରେ ପାର୍କିଂ ପାଇଁ ଆବଶ୍ୟକ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ସମସ୍ତ ରାଜ୍ୟର ପୁଲିସ ଡିଜିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସିବାର କାର୍ଯ୍ୟକ୍ରମ ଥିବାରୁ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୭ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଗାଇଡଲାଇନ୍ ପାଳନ ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତାକାଲିଠୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋକସେବା ଭବନର ୧, ୨ ଓ ୫ନମ୍ବର ଗେଟ୍ ଦେଇ ଯାତାୟତର ଅନୁମତି ମିଳିବ। ୪ ଓ ୬ ନମ୍ବର ଗେଟ୍ ଦେଇ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ଲୋକସେବା ଭବନର କର୍ମଚାରୀମାନେ ନିଜର ଦୁଇଚକିଆ ଗାଡ଼ିକୁ ସ୍କୁଲ-ଗଣଶିକ୍ଷା ବିଭାଗ,ଉଚ୍ଚଶିକ୍ଷା ବିଭାଗ, ଷ୍ଟେଟବ୍ୟାଙ୍କ ଶାଖା,କ୍ୟାଣ୍ଟିନ ସମ୍ମୁଖ ଦେଇ ଗେଟ୍ ନମ୍ବର ୫ ଓ ୩ ମଧ୍ୟରେ ଥିବା ପାର୍କିଂ ସ୍ଥଳୀରେ ରଖିବେ। ଏହାସହ ଅର୍ଥ ବିଭାଗର ପଛପଟରେ ଥିବା ଡ୍ରାଇଭରଙ୍କ ବିଶ୍ରାମସ୍ଥଳୀ ପାଖରେ ମଧ୍ୟ ଗାଡ଼ି ପାର୍କିଂ କରିହେବ।

Advertisment

ସେହିପରି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ସମସ୍ତ ବିଭାଗର ସଚିବମାନଙ୍କ କାର କେବଳ ସେମାନଙ୍କର ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିପାରିବେ। ସ୍ୱତନ୍ତ୍ର ସଚିବଠୁ ଆରମ୍ଭ କରି ଅନୁସଚିବ ପର୍ଯ୍ୟନ୍ତ ପାହ୍ୟାର ଅଫିସରମାନଙ୍କୁ ଲୋକସେବା ଭବନରେ ଛାଡ଼ି ସେମାନଙ୍କୁ ଆବଂଟିତ କାରଗୁଡ଼ିକ ଓଏସଆରଟିସି ଅଫିସ୍ ପାଖ ଓ ଆଇଜି ପାର୍କ ପଛପଟ ରାସ୍ତାରେ ପାର୍କିଂ କରିବାକୁ କୁହାଯାଇଛି । ଭିଭିଆଇପିଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଟ୍ରାଫିକ ଜାମ୍ ସମସ୍ୟା ଏଡ଼ାଇବାକୁ କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ଅଫିସ୍ ଆସିବାକୁ ଗୃହ ବିଭାଗ ପରାମର୍ଶ ଦେଇଛି।

ସେହିପରି ଲୋକସେବା ଭବନର ଗେଟ୍ ନମ୍ବର ୪ ଓ ୬ରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ। ପଂଚାୟତିରାଜ ବିଭାଗ ଚାରିପାର୍ଶ୍ୱ ଓ ଲନରେ ଗାଡ଼ି ପାର୍କିଂ ମନା କରାଯାଇଛି। ଏପରିକି ଗେଟ୍ ନମ୍ବର ୪ ଓ ୟୁକୋ ବ୍ୟାଙ୍କକୁ ସଂଯୋଗ କରୁଥିବା ରାସ୍ତା ସମେତ ଗୃହ ଓ ଅର୍ଥ ବିଭାଗର ପାର୍କିଂ ଏରିଆରେ ମଧ୍ୟ ଗାଡ଼ି ପାର୍କିଂ ଉପରେ କଟକଣା ଜାରି ହୋଇଛି। ସୁରକ୍ଷା ଦୃଷ୍ଟିରୁ କର୍ମଚାରୀମାନେ ବୈଠକସ୍ଥଳ ପାଖାପାଖି ବୁଲାବୁଲି ନକରିବାକୁ ପରାମର୍ଶ ଦିଆଯାଇଛି।

ଏହି ଦିନଗୁଡ଼ିକରେ ଲୋକସେବା ଭବନରେ ପ୍ରବେଶ ପାଇଁ କୌଣସି ବ୍ୟକ୍ତିଙ୍କୁ ଦିନିକିଆ ଅବା ଅସ୍ଥାୟୀ ପାସ୍ ଦିଆଯିବ ନାହିଁ। ଲୋକସେବା ଭବନରେ କୌଣସି ପ୍ରକାରର ବାହାର କର୍ମଚାରୀମାନଙ୍କୁ ନେଇ ବିଭାଗୀୟ ବୈଠକକୁ ମଧ୍ୟ ବାରଣ କରାଯାଇଛି। ଆବଶ୍ୟକ ଥିଲେ ଭର୍ଚୁଆଲ ମୋଡରେ ବୈଠକ କରିବା ପାଇଁ ଗୃହ ବିଭାଗ ଗାଇଡଲାଇନ୍ ଜାରି କରିଛି। ସୂଚନାଯୋଗ୍ୟ, ପୁଲିସ ଡିଜିପି ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ୩ଦିନ ଧରି ଭୁବନେଶ୍ୱରରେ ରହିବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।

Bhubaneswar News PM Modi Amit Shah DGP Conference Loka Seva Bhawan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe