କଡ଼ାସୁରକ୍ଷା ବଳୟ ମଧ୍ୟରେ ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି ସମ୍ମିଳନୀକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଉଦଘାଟନ କରିଛନ୍ତି । ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି ପୁଲିସ ଡିଜି ସମ୍ମିଳନୀରେ ଦ୍ୱିତୀୟ ଓ ତୃତୀୟ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି ।
ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନର କନେଭନସନ୍ ସେଂଟରଠାରେ ଆଜିଠୁ ୩ଦିନିଆ ପୁଲିସ ଡିଜି ସମ୍ମିଳନୀ ଆରମ୍ଭ ହୋଇଛି । ଆଜି ଏହି ସମ୍ମିଳନୀକୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଉଦଘାଟନ କରିଛନ୍ତି । ଏହି ସମ୍ମିଳନୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୁଲିସ ଡିଜି, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନର ମୁଖ୍ୟମାନେ ଯୋଗ ଦେଇଛନ୍ତି । ଏହାସହିତ ଦେଶର ବିଭିନ୍ନ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନେ ଭର୍ଚୁଆଲ ମୋଡରେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି । ଆଜି ଉଦଘାଟନୀ ସମାରୋହ ପରେ ଅନୁଷ୍ଠିତ ଆଲୋଚନା ଶ୍ରୀ ଡୋଭାଲଙ୍କ ସମେତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀମାନେ ଓ କେନ୍ଦ୍ର ଗୃହ ସଚିବ ଉପସ୍ଥିତ ଥିଲେ ।
ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଗୁଇନ୍ଦା ବ୍ୟୁରୋ(ଆଇବି)ର ଦକ୍ଷ ୃଫିସରଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ମେଡାଲରେ ସମ୍ମାନିତ କରିଥିଲେ । ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପୁସ୍ତକ ‘ର୍ୟାଙ୍କିଙ୍ଗ ଅଫ ପୁଲିସ ଷ୍ଟେସନ-୨୦୨୪’ର ଉନ୍ମୋଚନ କରିବା ସହ ଦେଶର ୩ଟି ଶ୍ରେଷ୍ଠ ପୁଲିସ ଥାନାକୁ ମଧ୍ୟ ଟ୍ରଫି ପ୍ରଦାନ କରିଥିଲେ । ଏଥିରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପାଟପୁର ପୁଲିସ ଥାନାକୁ ମଧ୍ୟ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କଠୁ ଆଜି ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଏହି ସମ୍ମାନଜନକ ଟ୍ରଫି ଓ ସାର୍ଟଫିକେଟ ଗ୍ରହଣ କରିଛନ୍ତି।
ଉଦଘାଟନୀ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ଦେଶରେ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବା ଓ ୩ଟି ନୂଆ ଅପରାଧ ଆଇନକୁ କାର୍ଯ୍ୟକାରୀ କରିଥିବାରୁ ପୁଲିସ ବାହିନୀକୁ ପ୍ରଶଂସା କରିଥିଲେ । ଶାହ କହିଥିଲେ ଯେ, ଏହି ୩ଟି ନୂଆ ଅପରାଧ ଆଇନ ଯାହାକି ଭାରତର ଅପରାଧିକ ନ୍ୟାୟ ପ୍ରଣାଳୀ ଭାବେ ପରିଚିତ ଓ ଏହା ପୂର୍ବରୁ ଦଣ୍ଡଆଧାରିତ ଥିବାବେଳେ ଏବେ ନ୍ୟାୟକେନ୍ଦ୍ରିତ ହୋଇଛି । ଏହି ନୂଆ ଆଇନର ମୂଳ ଭାବନା ଭାରତୀୟ ପରମ୍ପରା ଦ୍ୱାରା ପ୍ରେରିତ । ୨୦୪୭ ମସିହା ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବେ ଗଢ଼ିତୋଳିବା ତଥା ୨୦୨୭ ସୁଦ୍ଧା ଦେଶର ତୃତୀୟ ବୃହତ୍ ଅର୍ଥବ୍ୟବସ୍ଥା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସୁରକ୍ଷା ସଂସ୍ଥାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ପୂର୍ବାଂଚଳର ସୀମାରେ ସୁରକ୍ଷା ଚ୍ୟାଲେଞ୍ଜ, ଇମିଗ୍ରେସନ୍ ଓ ଅର୍ବାନ ପୁଲିସିଂର ଟେଣ୍ଡ୍ରସ ୍ଭଳି ପ୍ରସଙ୍ଗ ଉପରେ ଧ୍ୟାନକେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଜିରୋ ଟଲେରାନ୍ସ ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିରୋ ଟଲେରାନ୍ସ ଷ୍ଟ୍ରାଟେଜୀ ଓ ଜିରୋ ଟଲେରାନ୍ସ ଆକ୍ସନ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।
ସୂଚନା ଅନୁସାରେ, ସମ୍ମିଳନୀର ଦ୍ୱିତୀୟ ଓ ତୃତୀୟ ଦିନରେ ଦେଶର ଶୀର୍ଷ ପୁଲିସ ନେତୃତ୍ୱଙ୍କ ସହ ଏବେ ଉଭା ହେଉଥିବା ରାଷ୍ଟ୍ରୀୟ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା ପାଇଁ ରୂପରେଖ ପ୍ରସ୍ତୁତ କରାଯିବ । ଯେଉଁଥିରେ ନକ୍ସଲ ସମସ୍ୟା, ଉପକୂଳ ସୁରକ୍ଷା, ନାରକୋଟିକ୍ସ, ସାଇବର ଅପରାଧ, ଆର୍ଥିକ ସୁରକ୍ଷା ଭଳି ପ୍ରସଙ୍ଗ ସାମିଲ ରହିଛି । ଏହାସହିତ ୩ଟି ନୂଆ ଅପରାଧ ଆଇନର କାର୍ଯ୍ୟକାରିତାର ସ୍ଥିତି ଓ ପୁଲିସ ସହ ଜଡ଼ିତ ବେଷ୍ଟ ପ୍ରାକ୍ଟିସର ମଧ୍ୟ ସମୀକ୍ଷା କରାଯିବ ।
ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓ ପରଦିନ ଦୁଇଦିନ ଧରି ଏହି ପୁଲିସ ଡିଜି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।