Advertisment

ଡାଇରିଆ ଯୋଗୁ ଯାଜପୁରରେ ବ୍ୟାପିଛି ଝାଡ଼ାବାନ୍ତି, ୫୦୦ରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦାନଗଦୀ ଓ ବ୍ୟାସନଗର ଅଞ୍ଚଳରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

Diarrhea patients admitted in the hospital

Diarrhea patients admitted in the hospital

Advertisment

ଯାଜପୁର ଜିଲ୍ଲାରେ ଦୁଇ ଦିନ ହେଲା ଝାଡ଼ାବାନ୍ତି ଆତଙ୍କ ଲାଗି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶିଶୁ ଓ ମହିଳାଙ୍କ ସମେତ ବିଭିନ୍ନ ବୟସର ଲୋକ ରହିଛନ୍ତି। ଦୁଇଟି ମ୍ୟୁନିସିପାଲିଟି- ବ୍ୟାସନଗର ଓ ଯାଜପୁର ସହିତ ଧର୍ମଶାଳା, ରସୁଲପୁର, କୋରାଇ ଓ ଦାନଗଦୀ ଆଦି ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଛି। ଡାଇରିଆ ଯୋଗୁ ଲୋକମାନଙ୍କର ଝାଡ଼ାବାନ୍ତି ହେଉଛି ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଡାଇରିଆ ବ୍ୟାପିଲା, ତାହା ସ୍ପଷ୍ଟ ହୋଇପାରିନି।

Advertisment

ଦୁଇ ଦିନ ଭିତରେ ଯାଜପୁର ରୋଡ୍‌ ମେଡିକାଲରେ ୧୮୬ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୬୫ ଜଣ ଚିକିତ୍ସାଧୀନ ଥିବା ବେଳେ ୧୧ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାକି ୧୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଧର୍ମଶାଳା ମେଡିକାଲରେ ୧୦୦ରୁ ଅଧିକ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ମଧ୍ୟ ଶତାଧିକ ଭର୍ତ୍ତି ହୋଇଛନ୍ତି। ସେହିପରି ଆଜି ସକାଳ ସୁଦ୍ଧା ଦାନଗଦି ମେଡିକାଲରେ ୫୫ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ ଜଣଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ବାକି ୩୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ଦାନଗଦୀ ବ୍ଲକର ଉଚ୍ଚବାଲି ଗାଁରେ ୪୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ସହିତ ଉଚ୍ଚବାଲିରେ ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ଓ କଟକ ବଡ ଡ଼ାକ୍ତରଖାନାରୁ ପୃଥକ୍ ପୃଥକ୍ ଟିମ୍ ବିଭିନ୍ନ ମେଡ଼ିକାଲକୁ ଗସ୍ତ କରି ଚିକିତ୍ସା ପ୍ରକ୍ରିୟାର ଯାଞ୍ଚ କରୁଥିବା ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

ଡାଇରିଆ ଯୋଗୁ ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିଛି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ୱତି ଏସ୍‌। ସେ କହିଛନ୍ତି, ଘଟଣାସ୍ଥଳରେ ଡାକ୍ତରୀ ଟିମ୍‌ ଯାଇ ପହଞ୍ଚି ସାରିଛି। ଟିମ୍‌ରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ ଓ ଖାଦ୍ୟ ନିରାପତ୍ତା ଅଧିକାରୀ ଅଛନ୍ତି। କାହିଁକି ଡାଇରିଆ ବ୍ୟାପିଲା, ସେ ନେଇ ଟିମ୍ ଅନୁଧ୍ୟାନ କରୁଛି। ସେହିପରି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅତିରିକ୍ତ ମେଡିକାଲ୍‌ ଟିମ୍‌ ପଠାଯାଉଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସବୁ ମନିଟରିଂ କରୁଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ଚାଲିଛି। ପାନୀୟ ଜଳ ଉତ୍ସଗୁଡ଼ିକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟିମ୍‌ ରିପୋର୍ଟ ଦେବା ପରେ ଝାଡ଼ାବାନ୍ତିରେ କେତେ ଆକ୍ରାନ୍ତ ହୋଇଛନ୍ତି ଓ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡ଼ିବ।

ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଏଯାଏଁ ଯାଜପୁରରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଆଜି ମଧ୍ୟ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଆସୁଛନ୍ତି। ଆକ୍ୟୁଟ ଡାଇରିଆ କାରଣରୁ କିଛି ରୋଗୀ ଗୁରୁତର ଅଛନ୍ତି। ଗୁରୁତର ଥିବା ୨୦ ଜଣରୁ ଅଧିକ ରୋଗୀଙ୍କୁ ଏସ୍‌ସିବିକୁ ରେଫର୍ କରାଯାଇଛି। ୨ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ମୃତ୍ୟୁର କାରଣ କ’ଣ, ତାହା ଯାଞ୍ଚ କରାଯାଉଛି। ଫୁଡ୍ ପଏଜନିଂ ଯୋଗୁଁ ଡାଇରିଆ ହୋଇଥିବା ସନ୍ଦେହ କରାଯାଉଛି। ଭୋଜି ଖାଇ ଲୋକେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଧର୍ମଶାଳା, ଯାଜପୁର ରୋଡ ଓ ଦାନଗଦି ଆଦି ଅଞ୍ଚଳରୁ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥିତି ବର୍ତ୍ତମାନ ସୁଦ୍ଧା ନିୟନ୍ତ୍ରଣକୁ ଆସିନି। ଘଟଣା ସ୍ଥଳକୁ ୨ଟି ରାଜ୍ୟସ୍ତରୀୟ ଟିମ୍ ପଠାଯାଇଛି। ରୋଗୀମାନଙ୍କ ଚିକିତ୍ସା ପାଇଁ ଯାଜପୁର ମେଡିକାଲ କଲେଜ କର୍ମଚାରୀ ଓ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି। ଯଦି ଅଧିକ ଡାକ୍ତର କିମ୍ବା ନର୍ସିଂ ଅଫିସର ଦରକାର ତାହାର ବ୍ୟବସ୍ଥା ମଧ୍ୟ କରାଯାଉଛି। ସ୍ଥିତି ଅନୁଧ୍ୟାନ ପାଇଁ ସେ ନିଜେ ଆଉ ଏକ ଟିମ୍ ନେଇ ଯାଜପୁର ଯାଉଥିବା କହିଛନ୍ତି।

Diarrhea
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe