Advertisment

ମେଟ୍ରୋ ଟ୍ରେନ ପ୍ରକଳ୍ପ: ଧର୍ମେନ୍ଦ୍ରଙ୍କ କଟାକ୍ଷ ପରେ ଡିପିଆର ଚୂଡ଼ାନ୍ତ, ୨୬କିମିରେ ରହିବ ୨୦ଟି ଷ୍ଟେସନ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା।

author-image
Ordigital Desk
Metro

Metro

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଗତ ୧୪ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ କଟାକ୍ଷ କରିବାର ୪୮ଘଣ୍ଟା ନପୁରୁଣୁ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଚୂଡ଼ାନ୍ତ ହୋଇଛି । ପ୍ରାୟ ୨୬କିମି ଦୀର୍ଘ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକର ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ।

Advertisment

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଦାୟିତ୍ୱ ଦିଆଯାଇଥିଲା। ଡିଏମଆରସି ଦ୍ୱାରା ଭୁବନେଶ୍ୱରରେ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ, ଟୋପୋଗ୍ରାଫିକ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆକଳନ ଆଦି ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମର ଆଜିର ବୈଠକରେ ଏହି ଡିପିଆରକୁ ଡିଏମଆରସି ଦ୍ୱାରା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ନିକଟରେ ଦାଖଲ କରାଯାଇଛି।

ବିସ୍ତୃତ ପ୍ରକଳ୍ପ ରିୋପାର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ ୨୬କିମି ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ୨୦ଟି ଷ୍ଟେସନ ରହିବ । ମେଟ୍ରୋ ଟ୍ରେନ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଫୁଲପୋଖରୀ ଓ କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳ କରିବ।

Advertisment

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିବା ସହ ଏହା ଭୁବନେଶ୍ୱର ବିମାନ ବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ  ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ ବୋଲି ଘୋଷଣା କରିଥିଲେ ।

ଚଳିତ ଅଗଷ୍ଟ ୩ତାରିଖରେ ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ(ବିଏମଆରସିଏଲ) ସ୍ଥାପନ ନେଇ ବିଜ୍ଞପ୍ତି ଜାରି କରିବା ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର(ପ୍ରଶାସନ) ନିଯୁକ୍ତି ମଧ୍ୟ ଦେଇଥିଲେ ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଭୁବନେଶ୍ୱର ରେଳଷ୍ଟେସନରେ ତେଜସ୍ ରେକଯୁକ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଥିଲେ ଯେ, ୪-୫ଜଣ ବାବୁ ସକାଳୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠେଇ ଘୋଷଣା କରିଦେଉଛନ୍ତି ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ହେବ । ମୁଁ ଯେତିକି ଜାଣିଛି କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ । ଖାଲି ୪-୫ ବାବୁ ଯାଇ ସକାଳୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ହୋଇଯାଏନି ବୋଲି କହିଥିଲେ ।

Odisha Bhubaneswar Metro Rail