କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ (କୋଷ୍ଟାଲ ହାଇୱେ) ପାଇଁ ଡିପିଆର(ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନି କି ଏହି ପ୍ରକଳ୍ପ ଅନୁମୋଦନ ଲାଭ କରିନି ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଉପକୂଳ ରାଜପଥ ଦୁଇ ଭାଗରେ ବିଭକ୍ତ ହୋଇଛି ଯାହାକି ଟାଙ୍ଗୀଠାରୁ ରତନପୁର ଓ ରତନପୁର-ଦୀଘା ପର୍ଯ୍ୟନ୍ତ ନିର୍ମାଣ ହେବ । ତେବେ ଟାଙ୍ଗୀଠାରୁ ରତନପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥ ଜାତୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ)ଙ୍କ ଭୂମି ଅଧିଗ୍ରହଣ କମିଟିର ଅନୁମୋଦନ ଲାଭ କରିଛି । ପ୍ରକଳ୍ପ ପାଇଁ ମୋଟ ୪୮୨ ହେକ୍ଟର ଜମି ଅଧିଗ୍ରହଣ ନିମନ୍ତେ ଥ୍ରୀ-ଡି ବିଜ୍ଞପ୍ତି ହୋଇଛି । ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାଉଥିବା ଆଲାଏନମେଂଟର ଅନୁମୋଦନ ଏବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିଚାରାଧୀନ ରହିଚି । ଉକ୍ତ ପ୍ରକଳ୍ପର ଆନୁମାନିକ ବ୍ୟୟ ଅଟକଳ ୪୮୭୩କୋଟି ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଡିପିଆର ପ୍ରସ୍ତୁତି ପରେ ଏହା ନିର୍ଦ୍ଦିଷ୍ଟ ହୋଇପାରିବ । ପ୍ରକଳ୍ପ ଅନୁମୋଦନ ହେଲା ପରେ ହିଁ ଏହାର ନିର୍ମାଣ ସମୟସୀମା ଧାର୍ଯ୍ୟ ହେବ ।
ସେହିପରି ରତନପୁରଠାରୁ ଦୀର୍ଘା ପର୍ଯ୍ୟନ୍ତ ପ୍ରସ୍ତାବିତ ଉପକୂଳ ରାଜପଥର ଅନୁମୋଦନ ଜାତୀୟ ରାଜମାର୍ଗ ପ୍ରାଧିକରଣଙ୍କ ଭୂମି ଅଧିଗ୍ରହଣ କମିଟିର ବିଚାରାଧୀନ ରହିଛି । ଆବଶ୍ୟକ ଅନୁମୋଦନ ମିଳିବା ପରେ ବ୍ୟୟ ଅଟକଳ, ଜମି ଅଧିଗ୍ରହଣ ଓ ପ୍ରକଳ୍ପ ନିର୍ମାଣ ସମୟସୀମା ସ୍ଥିରୀକୃତ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଜାତୀୟ ରାଜପଥ ପ୍ରାଧିକରଣ ଗତ ଜୁଲାଇ ୩୧ ତାରିଖରେ ଏରସମା-ରତନପୁର(୧୩୪କିମିରୁ ୧୭୭କିମି), ପୁରୀ-କାକଟପୁର(୪୭.୦୫୦କିମିରୁ ୯୧.୬୦୦କିମି) ଏବଂ ରାମେଶ୍ୱରରୁ ପୁରୀ(୦ରୁ ୪୭.୦୫୦କିମି) ପ୍ରସ୍ତାବିତ ଉପକୂଳ ରାଜପଥ ନିର୍ମାଣର ଟେଣ୍ଡରକୁ ବାତିଲ କରିଦେଇଥିଲେ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।