Advertisment

ଶଙ୍ଖରେ ଭୋଟ ଦେଇ ପଙ୍କରେ ଘାଣ୍ଟି ହେଉଛୁ...

ପାନୀୟ ଜଳ ଯୋଗାଣ ପରେ ହଠାତ୍‌ ବନ୍ଦ କରିଦିଆଗଲା। ଆଉ ପାଣି ଯୋଗାଣ ହେଲାନି। ଯେତେ ଗୁହାରୀ କଲେ ମଧ୍ୟ କେହି ଶୁଣିଲେ ନାହିଁ। ପ୍ରାୟ ଦେଢ଼ ବର୍ଷ ହେଲା ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି।

Kendujhar

Kendujhar

Advertisment

ଶଙ୍ଖରେ ଭୋଟ ଦେଇ ପଙ୍କରେ ଘାଣ୍ଟି ହେଉଛୁ...। ମୁଣ୍ଡ ଉପରେ ନିର୍ବାଚନ। ଏପରି ସମୟରେ ଜୁଆଙ୍ଗ ସମ୍ପ୍ରଦାୟର ମହିଳାମାନେ ଆଜି ଏମିତି ଢ଼ଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଆଉ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ରାସ୍ତାରେ ବସି ଥିଲେ। ପାନୀୟ ଜଳ ସମସ୍ୟା ଦୂର ପାଇଁ ଦାବି ଜଣାଇଥିଲେ।

Advertisment

ହରିଚନ୍ଦନପୁର ବ୍ଲକ୍‌ ତେନ୍ତଳାପଶି ପଞ୍ଚାୟତର ବଡକମଣ୍ଡରା ଜୁଆଙ୍ଗ ସାହିରେ ୫୦ରୁ ଅଧିକ ପରିବାର ବାସ କରୁଛନ୍ତି। ଗାଁର ପାନୀୟ ଜଳ ସମସ୍ୟା ଦୂର ପାଇଁ ୩ଟି ନଳକୂପ ଥିଲା। ହେଲେ ସେଥିରୁ ପାଣି ବାହାରୁନଥିବାରୁ ଲୋକମାନେ ପ୍ରଶାସନ ପାଖରେ କେତେ ଗୁହାରୀ କରିଥିଲେ। ତା’ପରେ ପ୍ରଶାସନ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିଥିଲା। ବସୁଧା ଯୋଜନାରେ ଓଭରହେଡ୍‌ ଟାଙ୍କି ନିର୍ମାଣ କରିଥିଲା। ଘରକୁ ଘର ଓ ଛକକୁ ଛକ ପାଇପ ବିଛାଇ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିଥିଲା। ଏପରିକି ପାନୀୟ ଜଳ ଯୋଗାଣ ହୋଇଥିଲା। ଲୋକମାନେ ଭାବିଲେ ଗାଁକୁ ରାସ୍ତା ନଥିଲେ କ’ଣ ହେଲା, ପାନୀୟ ଜଳ ସମସ୍ୟା ଦୂର ହୋଇଗଲା।

କିଛି ଦିନ ପାନୀୟ ଜଳ ଯୋଗାଣ ପରେ ହଠାତ୍‌ ବନ୍ଦ କରିଦିଆଗଲା। ଆଉ ପାଣି ଯୋଗାଣ ହେଲାନି। ଯେତେ ଗୁହାରୀ କଲେ ମଧ୍ୟ କେହି ଶୁଣିଲେ ନାହିଁ। ପ୍ରାୟ ଦେଢ଼ ବର୍ଷ ହେଲା ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ତେଣୁ ଲୋକମାନେ ଗାଁଠାରୁ ୫ କିମି ଦୂରରେ ଥିବା ନାଳ ଉପରେ ନିର୍ଭର କରୁଛନ୍ତି। ରାତି ପାହାରିଲେ ଗରା ଓ ବାଲ୍‌ତି ଧରି ଗାଁର ମହିଳା ଓ ପୁରୁଷମାନେ ଚାଲି ଚାଲି ନାଳକୁ ଯାଇ ପାଣି ଧରି ଫେରୁଛନ୍ତି। ବର୍ତ୍ତମାନ କେନ୍ଦୁଝର ତାତି ଅସମ୍ଭାଳ। ଏପରି ସ୍ଥିତିରେ ଲୋକମାନେ ପାଣି ଆଣିବା ପାଇଁ ଏତେ ବାଟ ଯାଉଛନ୍ତି।

Advertisment

ପ୍ରଶାସନଠାରୁ ନିରାଶ ହୋଇ ଆଜି ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ଆଉ ସାଥୀରେ ଆଣିଥିଲେ ହାଣ୍ଡି, ଗରା ଓ ବାଲ୍‌ତି ଧରି ଆସିଥିଲେ। ସମସ୍ତେ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଗାଁରେ ଦେଖା ଦେଇଥିବା ଉତ୍କଟ ପାନୀୟ ଜଳ ଓ ରାସ୍ତା ସମସ୍ୟା ଦୂର କରିବାକୁ ଲୋକେ ଦାବି କରିଛନ୍ତି।

ଗାଁର ଆଶା ଜୁଆଙ୍ଗ କହିଛନ୍ତି, ଆଜ୍ଞା ଆମେ ଶଙ୍ଖରେ ଦେଇ ପଙ୍କରେ ଘାଣ୍ଟି ହେଉଛୁ। ଆମ କଥା କେହି ଶୁଣୁନାହାନ୍ତି। ଆମ ଗାଁରେ ଥିବା ପାନୀୟ ଜଳ ସମସ୍ୟା ଦୂର କରୁନାହାନ୍ତି। ଆମ ଗାଁକୁ ରାସ୍ତା ତିଆରି କରୁନାହାନ୍ତି। ତେଣୁ ଆମେ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିବା ପାଇଁ ଆସିଛୁ। ପାଣି ପାଇଁ ଆମେ ନାଳକୁ ଯାଉଛୁ। ନାଳର ଅପରିଷ୍କାର ପାଣି ବିଇବା ପାଇଁ ବାଦ୍ଧ ହେଉଛୁ ବୋଲି ଆଶା କହିଛନ୍ତି।

ଗାଁର ନିରଞ୍ଜନ ନାଏକ କହିଛନ୍ତି, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଉଥିଲେ। ୬ ମାସ ଦେଇ ବନ୍ଦ କରିଦେଲେ। ଦେ‍ଢ଼ ବର୍ଷ ହେଲା ପାଣି ପାଉନୁ। ଏନେଇ ଅଭିଯୋଗଲେ କେହି ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ନାଳ ପାଣି ପିଉଛୁ ବୋଲି ଶ୍ରୀ ନାଏକ କହିଛନ୍ତି।

ଗାଁ ଲୋକଙ୍କ ସମସ୍ୟା ଜିଲ୍ଲାପାଳ ଶୁଣିଲେ। ସମାଧାନ କରିବେ ବୋଲି କହିଥିବା ଜଣାପଡ଼ିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି

Drinking Water Problem Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe