Advertisment

ଏମିତି ହେଉଛି ଶ୍ରୀମନ୍ଦିରର ସୁରକ୍ଷା! ଉଡ଼ିଲା ଡ୍ରୋନ, ଭିତର ଫଟୋ ଭାଇରାଲ୍‌

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଉଚ୍ଛେଦ କରାଯାଇ ପରିକ୍ରମା ମାର୍ଗ କରାଗଲା। ଏହାପରେ ଡ୍ରୋନରେ ଚିତ୍ର ଉତ୍ତୋଳନ ଓ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଲାଗିଛି।

ଅଦ୍ୟତନ ହୋଇଛି
undefined

Puri Temple

Advertisment

ଶ୍ରୀମନ୍ଦିରର ସୁରକ୍ଷା କଥା କହି ସରକାର ବାହାବାହା ନେବାକୁ ଚେଷ୍ଟା କରୁଛନ୍ତି। ଜଗା ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନେକ ପ୍ରକାରର ସୁରକ୍ଷା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି। ବ୍ୟାରେକଡ ଠାରୁ ଆରମ୍ଭ କରି ଚେକିଂ ଓ ବ୍ଲକିଂକୁ ପାର କରି କୋଟି ଓଡ଼ିଆଙ୍କ ମଉଡ଼ ମଣି କାଳିଆ ସାଆନ୍ତଙ୍କୁ ଶ୍ରଦ୍ଧାଳୁମାନଙ୍କୁ ଦେଖୁଛନ୍ତି। ସରକାରଙ୍କ ଯୁକ୍ତି ଯେ ଶ୍ରୀମନ୍ଦିରର ସୁରକ୍ଷା ସର୍ବୋପରି। ହେଲେ ସରକାରଙ୍କ ଉଚ୍ଚାରଣ ଓ ଆଚରଣ ଭିତରେ ଅନେକ ଫରକ ଦେଖିବାକୁ ମିଳିଛି।

Advertisment

ଶ୍ରୀମନ୍ଦିରର ସୁରକ୍ଷା ସରକାରୀ କଳ ଓ ବଳ କେମିତି କରୁଛନ୍ତି, ତା’ର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ବ୍ୟାନ ସତ୍ତ୍ୱେ ପୁରୀ ଶ୍ରୀମନ୍ଦିରର ଉପରେ ଉଡ଼ିଛି ଡ୍ରୋନ। ସେହିପରି ମନ୍ଦିରର ପରିସରର ଫଟୋ ଉଠାଯାଇଛି।

ଏସବୁ ଖୁଲାମଖୁଲା ହେଉଥିଲେ ହେଁ ସରକାରଙ୍କ ପାଖରେ ଖବର ନାହିଁ। ସୋଶାଲ ମିଡିଆରେ ଜଗନ୍ନାଥ ପ୍ରେମୀ ଏହାକୁ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ହେଲେ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ସରକାର କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇ ଚୁପ। ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଉଚ୍ଛେଦ କରାଯାଇ ପରିକ୍ରମା ମାର୍ଗ କରାଗଲା। ଏହାପରେ ଡ୍ରୋନରେ ଚିତ୍ର ଉତ୍ତୋଳନ ଓ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଲାଗିଛି। ପୁଲିସ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ମଧ୍ୟ ମନ୍ଦିର ଭିତରକୁ ମୋବାଇଲ ନେଇ ପାରିବେ ନାହିଁ ବୋଲି ସରକାର ନିୟମ ପ୍ରଣୟନ କଲେ।

କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଡ୍ରୋଡ଼ ଉଡ଼ାଇ ଚିତ୍ର ଉତ୍ତୋଳନ କରାଯାଇଛି। ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଜଣେ ବ୍ଲଗର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଛନ୍ତି। ଏହାର ଭିଡିଓକୁ ମଧ୍ୟ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଡ୍ରୋନ ଦ୍ୱାରେ ଉତ୍ତୋଳନ ହୋଇଥିବା ଶ୍ରୀମନ୍ଦିରର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

ଭିଡିଓ ଭାଇରାଲ ହେଉଥିଲେ ହେଁ ପୁଲିସ ସବୁ ଦେଖି ଯେମିତି ଆଖି ବନ୍ଦ କରି ଦେଇଛି। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ଅଭିଯୋଗ କରିବେ ପରେ ପୂରା ଘଟଣା ସାମ୍ନାକୁ ଆସିଛି। ସେହିପରି ଭକ୍ତମାନେ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ଯେ ଏ ସବୁକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ। ସେହିପରି ମନ୍ଦିର ପ୍ରଶାସନ ସ୍ଥାନରେ ପୋଷ୍ଟର, ହୋର୍ଡିଂ ଲାଗିବା ଓ କଡ଼ା ପ୍ରଶାସନିକ ଅଧିକାରୀ ରହିବା ଉଚିତ।

ଡ୍ରୋନରେ ଚିତ୍ର ଉତ୍ତୋଳନ ଘଟଣା ସମ୍ପର୍କରେ ପୁରୀ ଏସ୍‌ପି ପିନାକ ମିଶ୍ର କହିଛନ୍ତି ଯେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଡ୍ରୋନ ଚିତ୍ର ଉତ୍ତୋଳନକୁ ରୋକିବା ପାଇଁ ହୋଟେଲିୟର ଓ ଲଜିଂ ମାଲିକଙ୍କୁ ନେଇ ବୈଠକ କରାଯିବ।

ହୋଟେଲରେ ପର୍ଯ୍ୟଟକ ରହିଲେ ସେଠାରେ ସେମାନେ ଏକ ଫର୍ମ ଫିଲପ କରିବେ। ଏଥିରେ ସେମାନଙ୍କ ନିକଟରେ କୌଣସି ଡ୍ରୋନ ନାହିଁ ବୋଲି ସମସ୍ତେ ଘୋଷଣାପତ୍ରରେ ଦସ୍ତଖତ କରିବେ। ଶ୍ରୀମନ୍ଦିର ଭିତରକୁ ମୋବାଇଲ କି ଭଳି ଯିବ ନାହିଁ, ସେନେଇ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ୭୫ମିଟର ଉଚ୍ଛେଦ ପରେ ପରିକ୍ରମା ପ୍ରକଳ୍ପର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବାଟାଲିୟନ ଗଠନ ପାଇଁ ଘୋଷଣା କରିଥିଲେ। ଏଥିପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଟାଲିୟନ କେଉଁ ସବୁ ସ୍ଥାନରେ ନିଯୁକ୍ତ ହେବ, ସେଥିପାଇଁ ସ୍ଥାନ ନିରୁପଣ କରାଯାଇଛି।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe