Advertisment

୫ରେ ସ୍ଥଳଭାଗ ଛୁଇଁବ ବାତ୍ୟା, ୫୪ଟି ଟ୍ରେନ୍‌କୁ ବାତିଲ କଲା ପୂର୍ବତଟ ରେଳବାଇ

ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳର ନିକଟତର ହେବ ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ।

author-image
Jitendra Garnayak
train

Train

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍‌କୁ ବାତିଲ କରିଛି ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେ। ପୂର୍ବତଟରୁ ବାହାରୁଥିବା ୧୨ଟି ଏବଂ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

Advertisment

ବାତିଲ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି ଟ୍ରେନ୍। ଏଥିସହ ବିଶାଖାପାଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୫୪ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି। ୨୪ ଘଣ୍ଟାରେ ଏହା ନେବ ବାତ୍ୟାର ରୂପ। ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳର ନିକଟତର ହେବ ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ।

Advertisment

ଏହାର ପ୍ରଭାବରେ ତାମିଲନାଡୁରେ ବର୍ଷା ହେଉଛି। ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ବି ପଡ଼ିବ। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ। ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେଦିନ ପାଇଁ ୫ ଜିଲ୍ଲା- ଗଂଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ସହ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବାବେଳେ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Cyclone Michaung