ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୫୪ଟି ଟ୍ରେନ୍କୁ ବାତିଲ କରିଛି ପୂର୍ବତଟ ରେଳବାଇ ବା ଇଷ୍ଟକୋଷ୍ଟ ରେଲୱେ। ପୂର୍ବତଟରୁ ବାହାରୁଥିବା ୧୨ଟି ଏବଂ ପୂର୍ବତଟ ଦେଇ ଯାଉଥିବା ୪୨ଟି ଟ୍ରେନ୍କୁ ବାତିଲ କରାଯାଇଛି।
ବାତିଲ ଟ୍ରେନ୍ଗୁଡ଼ିକ ମଧ୍ୟରେ ରହିଛି ପୁରୀ-ଚେନ୍ନାଇ, ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱର-ବେଙ୍ଗାଲୁରୁ ଆଦି ଟ୍ରେନ୍। ଏଥିସହ ବିଶାଖାପାଟଣାରୁ ଚେନ୍ନାଇ ଓ ତିରୁପତିକୁ ଯାଉଥିବା ଟ୍ରେନ୍ ବି ବାତିଲ ହୋଇଥିବା ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟା ଓ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୫୪ଟି ଟ୍ରେନ୍କୁ ବାତିଲ କରାଯାଇଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ମାଡ଼ି ଆସୁଛି। ୨୪ ଘଣ୍ଟାରେ ଏହା ନେବ ବାତ୍ୟାର ରୂପ। ଏହା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳର ନିକଟତର ହେବ ୫ରେ ନେଲୋର-ମଛଲିପଟ୍ଟନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିପାରେ।
ଏହାର ପ୍ରଭାବରେ ତାମିଲନାଡୁରେ ବର୍ଷା ହେଉଛି। ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ବି ପଡ଼ିବ। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ। ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ସେଦିନ ପାଇଁ ୫ ଜିଲ୍ଲା- ଗଂଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ସହ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିବାବେଳେ ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।