Advertisment

ପ୍ରଶ୍ନ କଲେ EC ସଦସ୍ୟା: ସ୍କୁଟି ଋଣ କେମିତି ଶୁଝିବୁ?

ଦୁଇ ବର୍ଷ ଚାକିରି କରିଥିବା EC ମେମ୍ବରଙ୍କୁ ପରିବର୍ତ୍ତନ କରାଯିବ। ମିଶନ ଶକ୍ତି ପକ୍ଷରୁ MBK(Master Book keeper) ଓ CRP (Community resourse person)ଙ୍କ ଜରିଆରେ EC ମେମ୍ବରଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି।

author-image
Manoranjan Sial
Phulbani

Phulbani

ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଖୁସି କରିବା ପାଇଁ ମିଶନ ଶକ୍ତି ମାଆଙ୍କୁ ରାଜ୍ୟ ସରକାର ଋଣରେ ସ୍କୁଟି ଖଣ୍ଡେ ଖଣ୍ଡେ ଧରାଇ ଦେଇଥିଲେ। ସ୍କୁଟି ପାଇବା ପରେ ଖୁସିରେ ଗଦ୍‌ଗଦ୍‌ ହୋଇଥିଲେ ମହିଳା। ହେଲେ ଏବେ ସେମାନଙ୍କ ପାଇଁ ଆସିଛି ଦୁଃଖଦ ଖବର। ଦୁଇ ବର୍ଷ ଧରି ଚାକିରି କରିଥିବା EC(Executive Committee)ମେମ୍ବରଙ୍କୁ ବଦଳାଇବା ପାଇଁ ସରକାର ଯୋଜନା କରୁଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ମହିଳାଙ୍କ ଛାତିରେ ଛନକା ପଶିଛି। ସ୍କୁଟି ଟଙ୍କା କେମିତି ଶୁଝିବୁ, ସେହି ଚିନ୍ତାରେ ପଡ଼ି ଯାଇଛନ୍ତି। ସ୍କୁଟି ଋଣ ଶୁଝିବା ପର୍ଯ୍ୟନ୍ତ ଚାକିରିରେ ରଖିବା ପାଇଁ ମହିଳାମାନେ ଦାବି କରି କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Advertisment

ଦୁଇ ବର୍ଷ ଚାକିରି କରିଥିବା EC ମେମ୍ବରଙ୍କୁ ପରିବର୍ତ୍ତନ କରାଯିବ। ମିଶନ ଶକ୍ତି ପକ୍ଷରୁ MBK(Master Book keeper) ଓ CRP (Community resourse person)ଙ୍କ ଜରିଆରେ EC ମେମ୍ବରଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଛି। ଏଭଳି ସ୍ଥଳେ କିଭଳି ମିଶନ ଶକ୍ତିର ମାଆମାନେ ସ୍କୁଟି ଋଣ ଶୁଝିବେ? ଏହାକୁ ନେଇ ମହିଳାମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ମିଶନ ଶକ୍ତି ଦ୍ୱାରା ପରିଚାଳିତ କନ୍ଧମାଳ ମହିଳା ମହାସଂଘର ସଭାପତି ଶିବାନୀ କହଁର, ସମ୍ପାଦକ ଗୀତାଞ୍ଜଳି ବେହେରାଙ୍କ ସମେତ ବହୁ EC(Executive Committee )ମେମ୍ବର, ସ୍ୱେଚ୍ଛାସେବୀ ଉମାଚରଣ ମଲ୍ଲିକଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ନେଇ ଅଭିଯୋଗ କରିଛନ୍ତି। ସ୍କୁଟି ଋଣ ଶୁଝିବା ପର୍ଯ୍ୟନ୍ତ EC ମେମ୍ବରମାନଙ୍କୁ ଚାକିରିରେ ରଖିବାକୁ ଦାବି କରିଛନ୍ତି। ରାଜ୍ୟ ସରକାର ଏଥିପ୍ରତି ନଜର ନଦେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

EC ମେମ୍ବର ସୁଜାତା ବେହେରା କହିଛନ୍ତି, ଦୁଇ ବର୍ଷ ହୋଇଯାଇଥିବାରୁ EC ମେମ୍ବରଙ୍କୁ ପରିବର୍ତ୍ତନ କରାଯିବ ବୋଲି ଏମ୍‌ବିକେ କହୁଛନ୍ତି। ତାହାହେଲେ ଆମେ ସ୍କୁଟି ଟଙ୍କା କେମିତି ଶୁଝିବୁ? ଆମେ ମୁଲିଆ ଲୋକ। ଛୁଆ ପିଲାଙ୍କୁ କେମିତି ପୋଷିବୁ? ଯଦି ସରକାର ଆମକୁ ବାହାର କରୁଛନ୍ତି, ତାହାହେଲେ ସ୍କୁଟି ଟଙ୍କା ଛାଡ଼ କରନ୍ତୁ। ଯଦି ସ୍କୁଟି ଟଙ୍କା ଛାଡ଼ କରିବାକୁ ଚାହୁଁନାହାନ୍ତି, ତାହାହେଲେ ସବୁଦିନ ପାଇଁ EC ମେମ୍ବର ଭାବେ ରଖନ୍ତୁ। ଆମକୁ ଦରମା ମିଳୁଛି ୭୦୦ ଟଙ୍କା। କିନ୍ତୁ ସ୍କୁଟି ବାବଦକୁ ୨୬୦୦ ଟଙ୍କା ଜମା କରୁଛି। କହିବାକୁ ଗଲେ ହାତରୁ ଯାଉଛି ସବୁ ଟଙ୍କା। ଏବେ ଚାକିରିରୁ ବାହାର କଲେ ପରିବାର ଚଳିବ କେମିତି ବୋଲି ସୁଜାତା ପ୍ରଶ୍ନ କରିଛନ୍ତି।

Advertisment

ଆଉ ଜଣେ EC ମେମ୍ବର ନବାତୀ ଯାନୀ କହିଛନ୍ତି, ଦୁଇ ବର୍ଷ ଧରି ଚାକିରି କରିଥିବା EC ମେମ୍ବରଙ୍କୁ ପରିବର୍ତ୍ତନ କରିବାକୁ କୁହାଯାଉଛି। ହେଲେ ଆମେ ସ୍କୁଟି ଟଙ୍କା କେମିତି ଶୁଝିବୁ? ଏ ସମ୍ପର୍କରେ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ପାଖକୁ ଆସିଥିଲୁ। ସ୍କୁଟି ଋଣ ଶୁଝିବା ପର୍ଯ୍ୟନ୍ତ ଚାକିରିରେ ରଖିବାକୁ ଯାନୀ ଅନୁରୋଧ କରିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Shg Women Kandhamal