ଆଶୀଷ ସିଂ ସମେତ ୨ ଜିଲ୍ଲାପାଳ ଓ ୫ ଏସପିଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ

କେନ୍ଦ୍ରାଂଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପିଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାମରୁ IPS ଆଶୀଷ କୁମାର ସିଂ ଓ କଟକ ଡିସିପି କନୱର ବିଶାଳ ସିଂ(ଫାଇଲ ଫଟୋ)

  • Published: Tuesday, 02 April 2024
  • , Updated: 02 April 2024, 10:32 PM IST

ରାଜ୍ୟରେ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଆଜି ୨ଜଣ ଆଇଏଏସ୍ ଓ ୬ ଜଣ ଆଇପିଏସଙ୍କୁ ତୁରନ୍ତ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ଦୂରେଇ ରଖିବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରାଂଚଳ ରେଞ୍ଜ ପୁଲିସ୍ ଆଇଜି ଆଶୀଷ ସିଂଙ୍କ ସମେତ ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପିଙ୍କ ବିଶ୍ୱସନୀୟତା ଉପରେ ସନ୍ଦେହ ବ୍ୟକ୍ତ କରି ନିର୍ବାଚନ କମିଶନ ସେମାନଙ୍କୁ ତତ୍କାଳ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରୁ ବିରତ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଅଫିସରମାନଙ୍କ ସ୍ଥାନରେ ୩ ଜଣ ଲେଖାଏଁ ଯୋଗ୍ୟ ଅଫିସରଙ୍କ ନାଁ ଆଜି ଅପରାହ୍ନ ୫ଟା ସୁଦ୍ଧା ପଠାଇବାକୁ ମଧ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପଠାଇଛନ୍ତି।

ସୂଚନା ଅନୁସାରେ ନିର୍ବାଚନ କମିଶନଙ୍କ ସଚିବ ରାକେଶ କୁମାର ଆଜି ମଙ୍ଗଳବାର ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ୮ ଜଣ ସର୍ବଭାରତୀୟ ଅଫିସରଙ୍କ ତାଲିକା ପଠାଇ ସେମାନଙ୍କୁ ତୁରନ୍ତ ବଦଳି କରି ଅଣ ନିର୍ବାଚନ ସଂକ୍ରାନ୍ତ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା ମୁଖ୍ୟ ସଚିବଙ୍କୁ ଅବଗତ କରିଛନ୍ତି।

ଏହି ଅଫିସରଙ୍କ ମଧ୍ୟରେ କେନ୍ଦ୍ରାଂଚଳ ପୁଲିସ ଆଇଜି ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶୀଷ କୁମାର ସିଂ, କଟକ ଡିସିପି କନୱର ବିଶାଳ ସିଂ, ରାଉରକେଲା ପୁଲିସ ଏସପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ, ବ୍ରହ୍ମପୁର ପୁଲିସ ଏସପି ସର୍ଭଣା ବିବେକ ଏମ୍ , ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର ଅଛନ୍ତି । ଏହି ଆଇପିଏସଙ୍କ ବ୍ୟତୀତ କଟକ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ ଏବଂ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରିଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜିଲ୍ଲାପାଳ ଏବେ ସମ୍ପୃକ୍ତ ଜିଲ୍ଲାର ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଅଫିସରମାନେ ଯେଉଁସବୁ ପଦବୀରେ ଅଛନ୍ତି ପ୍ରତ୍ୟେକ ପଦବୀ ପାଇଁ ୩ଜଣିଆ ଯୋଗ୍ୟ ଅଫିସରଙ୍କ ତାଲିକା ଆଜି ଏପ୍ରିଲ ୨ତାରିଖ ଅପରାହ୍ନ ୫ଟା ସୁଦ୍ଧା ପଠାଇବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ସର୍ବଭାରତୀୟ ଅଫିସରମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖିବାକୁ କମିଶନ ନିର୍ଦ୍ଦେଶ ଦେବାପରେ ସମ୍ପୃକ୍ତ ଅଫିସରମାନଙ୍କ ବିଶ୍ୱସନୀୟତା ଏବେ ସଙ୍କଟରେ ପଡ଼ିଛି ।

Related story