Advertisment

ଏକ୍‌ମୋ ବଞ୍ଚାଇ ଦେଲା ଗୁରୁତର ଅସୁସ୍ଥ ମହିଳାଙ୍କ ଜୀବନ

ଏକ୍‌ମୋ ଥେରାପିରେ ଆଠ ଦିନ ପରେ ରୋଗୀଙ୍କ ଅବସ୍ଥା ଯଥେଷ୍ଟ ଉନ୍ନତ ହେବାକୁ ଲାଗିଲା। ତାଙ୍କର ଫୁସଫୁସ ପୁନର୍ବାର କାର୍ଯ୍ୟକ୍ଷମ ହେବାକୁ ଲାଗିଲା ଏବଂ ଶେଷରେ ତାଙ୍କୁ ଏକ୍‌ମୋ ବ୍ୟବସ୍ଥାରୁ କଢ଼ାଯାଇଥିଲା।

AIIMS

AIIMS

Advertisment

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞା‌ନକୌଶଳର ସଫଳ ପ୍ରୟୋଗ ତଥା ଉତ୍ସର୍ଗୀକୃତ ଭାବନାର ଉଲ୍ଲେଖନୀୟ ପ୍ରଦର୍ଶନ କରିଛି ଏମ୍‌ସ ଭୁବନେଶ୍ୱର। ଅତ୍ୟାଧୁନିକ ଏକ୍‌ମୋ ଥେରାପି ପ୍ରୟୋଗ କରି ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ବଞ୍ଚାଇବ‌ାରେ ସଫଳ ହୋଇଛନ୍ତି ଏମ୍‌ସର ଡାକ୍ତରୀ ଦଳ। କୋଭିଡ୍‌ ସମୟରେ ଚର୍ଚ୍ଚାକୁ ଆସିଥିବା ଏହି ଏକ୍‌ମୋ ଥେରାପିର ପ୍ରୟୋଗ ସଫଳତାର ସହିତ ଅଣକୋଭିଡ୍‌ ରୋଗୀଙ୍କ କ୍ଷେତ୍ରରେ କରାଯାଇଛି। ଯାହାକି ଏମ୍‌ସ ଭୁବନେଶ୍ୱର ପାଇଁ ବିଶେଷ ସମ୍ମାନ ଆଣିଦେଇଛି।

Advertisment

୫୩ ବର୍ଷ ବୟସ୍କା ଜଣେ ମହିଳା ନିମୋନିଆ ଓ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ଭଳି ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିଲେ। ତେଣୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। କ୍ରମଶଃ ଉକ୍ତ ମହିଳାଙ୍କ ଅବସ୍ଥା ଦ୍ରୁତଗତିରେ ଖରାପ ହେବାକୁ ଲାଗିଲା। ଶ୍ୱାସକ୍ରିୟାରେ ଜଟିଳତା ସହିତ ଅମ୍ଳଜାନ ସ୍ତର ମାତ୍ରାଧିକ ହ୍ରାସ ଘଟୁଥିଲା। ସର୍ବାଧିକ ଭେଣ୍ଟିଲେଟର୍‌ ଏବଂ ଅନ୍ୟାନ୍ୟ ମେଡିକାଲ୍‌ ଚିକିତ୍ସା ପଦ୍ଧତିର ପ୍ରୟୋଗ ସତ୍ତ୍ୱେ ମହିଳାଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା। ଫଳରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏକ୍‌ମୋ ହିଁ ଏକମାତ୍ର ବିକଳ୍ପ ଭାବରେ ଉଭା ହୋଇଥିଲା।

ଜଣେ ଗୁରୁତର ମହିଳାଙ୍କ କ୍ଷେତ୍ରରେ ଏକ୍‌ମୋ ପ୍ରୟୋଗ କରି ଜୀବନ ବଞ୍ଚାଇଥିବାରୁ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଡାକ୍ତରୀ ଦଳର ଅସାଧାରଣ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ଓ ଜନତାଙ୍କ ମଧ୍ୟରେ ସଚେତନତା ଏବଂ ଉପଲବ୍ଧତାକୁ ଗୁରୁତ୍ୱ ଦେଇ ଏକ୍‌ମୋ ଥେରାପି ଏକ ଜୀବନ ରକ୍ଷାକାରୀ ହସ୍ତକ୍ଷେପ ପ୍ରମାଣିତ ହୋଇଥିବା ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି।

Advertisment

ଏହି ଜୀବନ ରକ୍ଷାକାରୀ ପ୍ରକ୍ରିୟାର ନେତୃତ୍ୱ ନେଇଥିବା ଆଇସିୟୁ କନ୍‌ସଲଟାଣ୍ଟ ତଥା ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ କହିବା ଅନୁଯାୟୀ ଶରୀରରେ ଅମ୍ଳଜାନର ଘୋର ଅଭାବ ଏବଂ ଫୁସଫୁସ ଭଳି ଅଙ୍ଗର ବିଫଳତା କାରଣରୁ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ଅବସ୍ଥାରେ ଥିଲା। ସେ ସମୟରେ ଏକ୍‌ମୋ ତାଙ୍କ ବଞ୍ଚିବା ପାଇଁ ଏକମାତ୍ର ବିକଳ୍ପ ସାଜିଥିଲା। ଏହି ଉନ୍ନତ ଯନ୍ତ୍ରଟି ଉକ୍ତ ମହିଳାଙ୍କର କୃତ୍ରିମ ଫୁସଫୁସ ଏବଂ ହୃଦୟ ଭାବରେ କାର୍ଯ୍ୟ କଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅମ୍ଳଜାନ ସ୍ତର ବଜାୟ ରଖିଲା ଓ ଫୁସଫୁସକୁ ସୁସ୍ଥ ହେବାକୁ ଆବଶ୍ୟକ ସମୟ ପ୍ରଦାନ କରିଥିଲା।

ଏକ୍‌ମୋ ଥେରାପିରେ ଆଠ ଦିନ ପରେ ରୋଗୀଙ୍କ ଅବସ୍ଥା ଯଥେଷ୍ଟ ଉନ୍ନତ ହେବାକୁ ଲାଗିଲା। ତାଙ୍କର ଫୁସଫୁସ ପୁନର୍ବାର କାର୍ଯ୍ୟକ୍ଷମ ହେବାକୁ ଲାଗିଲା ଏବଂ ଶେଷରେ ତାଙ୍କୁ ଏକ୍‌ମୋ ବ୍ୟବସ୍ଥାରୁ କଢ଼ାଯାଇଥିଲା। ଏକାଧିକ ସଂକ୍ରମଣର ମୁକାବିଲା ପାଇଁ ଚାଲୁଥିବା ସହାୟକ ଚିକିତ୍ସା ଏବଂ ଆଣ୍ଟିବାୟୋଟିକ୍ ଜାରି ରହିବା ପରେ ମହିଳା ଜଣଙ୍କ ସୁସ୍ଥ ହେବା ସହିତ ଡିସ୍‌ଚାର୍ଯ ହୋଇଥିବା ଡ. ବେହେରା ସୂଚନା ଦେଇଛନ୍ତି।

ଶିଶୁ ଏକ୍‌ମୋ ବିଶେଷଜ୍ଞ ଡ. କୃଷ୍ଣ ମୋହନ ଗୁଲା ଏବଂ ସିଟିଭିଏସ୍‌ ବିଭାଗୀୟ ମୁଖ୍ୟ ଡ. ସତ୍ୟପ୍ରିୟ ମହାନ୍ତି ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ଦେବାନନ୍ଦ ସାହୁ, ଡିଡିଏ ଅଭିଜିତ ସରକାର, ଏସ୍‌ଏଓ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ଉକ୍ତ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Bhubaneswar AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe