ED
ପଶ୍ଚିମବଙ୍ଗ ପରେ ଓଡ଼ିଶାର ବିଭିନ୍ନ ଘରୋଇ ମେଡିକାଲ କଲେଜରେ ‘ଏନଆରଆଇ କୋଟା’ରେ ସିଟ୍ ପୂରଣକୁ ନେଇ ବ୍ୟାପକ ଅନିୟମିତତାର ଖୋଳତାଡ଼ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ରାଜ୍ୟର ୪ ପ୍ରମୁଖ ଘରୋଇ ମେଡିକାଲ କଲେଜରେ ଥିବା ମୋଟ ୧୨୮ଟି ‘ଏନଆରଆଇ କୋଟା’ ସିଟ୍ କିଭଳି ପୂରଣ ହୋଇଛି ଓ କେଉଁସବୁ ଦସ୍ତାବିଜ ଓ କେତେ ଅର୍ଥ ଦେଇ ଏହି କୋଟାରେ ପିଲାମାନେ ନାମ ଲେଖାଇଛନ୍ତି ସେ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ହାସଲ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଭିନ୍ନ ଟିମ୍ ଆଜି ଓଡ଼ିଶାର ୪ଟି ଘରୋଇ ମେଡିକାଲ କଲେଜରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି ।
ଏପଟେ ‘ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଇନଷ୍ଟିଚ୍ୟୁସନସ୍ (ରେଗୁଲେସନ ଅଫ ଆଡମିଶନ ଆଣ୍ଡ ଫିକ୍ସେସନ ଅଫ ଫି) ଆଇନରେ ଥିବା ପ୍ରାବଧାନର ଫାଇଦା ଉଠାଇ ଘରୋଇ ମେଡିକାଲ କଲେଜଗୁଡ଼ିକ ‘ଏନଆରଆଇ କୋଟା’କୁ ନିଜର ଅର୍ଥ ଉପାର୍ଜନର ସର୍ବୋତ୍କୃଷ୍ଟ ସହଜ ମାଧ୍ୟମ ଭାବେ ବାଛିଥିବା ସୂଚନା ମିଳିଛି । ଏନଆରଆଇ କୋଟା ପୂରଣ ନହେବାର ଆଳ ଓ ଜାଲ୍ ଦସ୍ତାବିଜ ଆଦି ମାଧ୍ୟମରେ ଏସବୁ ଏମବିବିଏସ୍ ସିଟ୍ ପୂରଣ ହେଉଥିବାର ପୁଳାପୁଳା ଅଭିଯୋଗ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଓଡ଼ିଶାର ଏସବୁ ମେଡିକାଲ କଲେଜରେ ନିଜର ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ଉ
ଗତ ଡିସେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ବିଭିନ୍ନ ଘରୋଇ ମେଡିକାଲ କଲେଜରେ ଚଢ଼ଉ କରି ଏହି ଏନଆରଆଇ କୋଟା ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଥିଲା । ଏନଆରଆଇ କୋଟାରେ ଲକ୍ଷ ଲକ୍ଷ ଟଙ୍କା ଡୋନେସନ୍ ନେଇ କିଭଳି ଧନୀ ଘରର ପିଲାମାନଙ୍କୁ ମେଡିକାଲ ପଢ଼ିବାର ସୁଯୋଗ ଘରୋଇ ମେଡିକାଲ କଲେଜଗୁଡ଼ିକ ଦେଉଛନ୍ତି ତା’ର ଅନେକ ଚାଂଚଲ୍ୟକର ଦସ୍ତାବିଜ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ମିଳିଥିଲା । ଏଭଳି ଆଡମିଶନ ପଛରେ ସକ୍ରିୟ ଥିବା ର୍ୟାକେଟ କେବଳ ପଶ୍ଚିମବଙ୍ଗ ନୁହେଁ ଓଡ଼ିଶାରେ ମଧ୍ୟ ସକ୍ରିୟ ଥିବା ଜାଣିବା ପରେ ବୁଧବାର ରାଜ୍ୟର ସମସ୍ତ ଘରୋଇ ମେଡିକାଲ କଲେଜରେ ଚଢ଼ଉ କରିଛି । ଭୁବନେଶ୍ୱରସ୍ଥିତ କିମସ୍ ମେଡିକାଲ କଲେଜ, ସୋଆ ମେଡିକାଲ କଲେଜ ଓ ହାଇଟେକର ଭୁବନେଶ୍ୱର ଏବଂ ରାଉରକେଲା ମେଡିକାଲ କଲେଜରେ ଚଢ଼ଉ କରିଥିବା ସ୍ପଷ୍ଟ ହୋଇଛି । ତେବେ ଡ୍ରିମସ୍ ମେଡିକାଲ କଲେଜରେ ଚଢ଼ଉ ହୋଇଛି କି ନାହିଁ ସେନେଇ ସ୍ପଷ୍ଟତା ମିଳିପାରିନି । ଯଦିଓ ଡ୍ରିମସ୍ ମେଡିକାଲ କଲେଜରେ ଏମବିବିଏସ୍ ପାଠ୍ୟକ୍ରମରେ ୧୫ଟି ସିଟ୍ ଏନଆରଆଇ କୋଟା ନିମନ୍ତେ ସଂରକ୍ଷିତ ରହିଛ ।
କେଉଁ କଲେଜରେ କେତେ ଏନଆରଆଇ ସିଟ୍?
ରାଜ୍ୟରେ ୪ଟି ଘରୋଇ ମେଡିକାଲ କଲେଜରେ ଏମବିବିଏସ୍ ପାଠ୍ୟକ୍ରମ ଓ ୩ଟିରେ ପିଜି ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଏହି ସମସ୍ତ ମେଡିକାଲ କଲେଜ ନିଜର ମୋଟ୍ ସିଟ୍ ସଂଖ୍ୟାର ସର୍ବାଧିକ ୧୫ପ୍ରତିଶତ ସିଟ୍ ‘ଏନଆଇଆର’ ବର୍ଗ ପାଇଁ ସଂରକ୍ଷିତ ରଖିବେ । ଏପରିକି ଏହି ଏନଆରଆଇ ସିଟ୍ ବାବଦରେ ପ୍ରବାସୀ ଭାରତୀୟଙ୍କଠୁ ଚଢ଼ା ଦରରେ ଫି’ ମଧ୍ୟ ସଂଗ୍ରହ କରିପାରିବେ । ରାଜ୍ୟ ସରକାରଙ୍କ ଆଇନ ‘ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଇନଷ୍ଟିଚ୍ୟୁସନସ୍ (ରେଗୁଲେସନ ଅଫ ଆଡମିଶନ ଆଣ୍ଡ ଫିକ୍ସେସନ ଅଫ ଫି) ଆକ୍ଟର ଧାରା ଧାରା-୭(୨)ରେ ଘରୋଇ ମେଡିକାଲ କଲେଜଗୁଡ଼ିକୁ ରାଜ୍ୟ ସରକାରଙ୍କ ଫି’ ନିର୍ଦ୍ଧାରଣ କମିଟି ‘ଏନଆରଆଇ କୋଟା’ରେ ଚଢ଼ା ଫି’ ସଂଗ୍ରହ କରିବାର ଅନୁମତି ଦେବେ ଯାହାକୁ ସେହି ଅନୁଷ୍ଠାନ ନିଃଶୁଳ୍କ ଛାତ୍ରବୃତ୍ତି ବାବଦରେ ଖର୍ଚ୍ଚ କରିବେ ।
ରାଜ୍ୟରେ ଥିବା ଦୁଇ ଡିମଡ୍ ବିଶ୍ୱବିଦ୍ୟାଳୟ ଯଥା ସୋଆ ଓ କିଟ୍ ଅଧୀନରେ ଯଥାକ୍ରମେ କିମସ ମେଡିକାଲ କଲେଜ ଓ ସୋଆ ମେଡିକାଲ କଲେଜ କାର୍ଯ୍ୟ କରୁଛି । ଉଭୟ ମେଡିକାଲ କଲେଜ ୨୦୦୭ ମସିହାରୁ କାର୍ଯ୍ୟକ୍ଷମ ହୋଇଛନ୍ତି ଓ ଉଭୟ କଲେଜରେ ୨୫୦ଟି ଲେଖାଏଁ ଏମବିବିଏସ୍ ସିଟ୍ ରହିଛି । ଏହି ଦୁଇ କଲେଜ ସମ୍ପୂର୍ଣ୍ଣ ଭାବେ ଘରୋଇ ପରିଚାଳନାରେ ଥିବାବେଳେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ହେଉଛି ହାଇଟେକ୍ ମେଡିକାଲ କଲେଜ । ୨୦୦୫ରୁ ଭୁବନେଶ୍ୱରରେ ହାଇଟେକ୍ ମେଡିକାଲ କଲେଜ ଓ ୨୦୧୨ରୁ ରାଉରକେଲାରେ ହାଇଟେକ୍ ମେଡିକାଲ କାର୍ଯ୍ୟକ୍ଷମ ହୋଇଛି । ହାଇଟେକ୍ ମେଡିକାଲ କଲେଜର ଭୁବନେଶ୍ୱରରେ ୧୫୦ଟି ଓ ରାଉରକେଲାରେ ୧୦୦ଟି ଏମବିବିଏସ୍ ସିଟ୍ ରହିଛି। ସେହିପରି ସୋସାଇଟି ଦ୍ୱାରା ପରିଚାଳିତ ହେଉଥିବା ଡ୍ରିମସ ଇନଷ୍ଟିଚ୍ୟୁଟ୍ ଅଫ ହେଲଥ୍ ସାଇନ୍ସ ଆଣ୍ଡ ହସ୍ପିଟାଲରେ ମଧ୍ୟ ୧୦୦ଟି ଏମବିବିଏସ୍ ସିଟ୍ ରହିଛି । ଏହି ମେଡିକାଲ କଲେଜ ୨୦୨୩ ମସିହାରୁ କାର୍ଯ୍ୟକ୍ଷମ ଅଛି । ଏମବିବିଏସ୍ ପାଠ୍ୟକ୍ରମରେ କିମସରେ ୩୮ଟି, ସୋଆରେ ୩୮ଟି, ହାଇଟେକରେ ୩୭ଟି ଓ ଡ୍ରିମସରେ ୧୫ଟି ଏନଆରଆଇ ସିଟ୍ ରହିଛି । ତା’ଛଡ଼ା ହାଇଟେକରେ ମାତ୍ର ୫ଟି ପିଜି ସିଟ୍ ଥିବାବେଳେ କିମସ ଓ ସୋଆରେ ୧୬୫ରୁ ଅଧିକ ଲେଖାଏଁ ପିଜି ସିଟ୍ ରହିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାହିଁକି କରୁଛି ଖୋଳତାଡ଼?
୨୦୨୪ ସେପ୍ଟେମ୍ବର ମାସରେ ପଞ୍ଜାବ ସରକାରଙ୍କ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିବା ସହ ଏନଆରଆଇ କୋଟା ନାଁରେ ଚାଲିଥିବା ଜାଲସାଦି ନିଶ୍ଚିତ ବନ୍ଦ ହେବା ଦରକାର ବୋଲି ନିର୍ଦ୍ଦେଶ ଦେଲେ । ମଧ୍ୟପ୍ରଦେଶ ଓ ତାମିଲନାଡୁରେ ମଧ୍ୟ ଏହି ଏନଆରଆଇ କୋଟାରେ ଜାଲିଆତି ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲା । ତେବେ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏହି ଏନଆରଆଇ କୋଟା ନାଁରେ ଚାଲିଥିବା ଆଡମିଶନ ଦୁର୍ନୀତିକୁ ନେଇ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ଘେରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ ଆରମ୍ଭ କରିଥିଲା । ଆଉ ପଶ୍ଚିମବଙ୍ଗର ୬ଟି ଘରୋଇ ମେଡିକାଲ କଲେଜ ଉପରେ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା । ଏହି ତଥ୍ୟକୁ ଯାଂଚ କରୁକରୁ ଓଡ଼ିଶାରେ ଏନଆରଆଇ କୋଟାରେ ମଧ୍ୟ ଅନୁରୂପ ଅନିୟମିତତା ଚାଲିଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଥିବା ସନ୍ଦେହ କରାଯାଉଛି । ଯେଉଁଥିପାଇଁ ବୁଧବାର ସକାଳୁ ଇଡିର ଅଧିକାରୀମାନେ ରାଜ୍ୟର ଏହି ଘରୋଇ ମେଡିକାଲ କଲେଜଗୁଡ଼ିକରେ ତନାଘନା ଆରମ୍ଭ କରିଛନ୍ତି ।
କେମିତି ହୁଏ ଦୁର୍ନୀତି ଓ ଅନିୟମିତତା?
ଓଡ଼ିଶା ସରକାରଙ୍କ ପ୍ରଚଳିତ ଆଇନ ରାଜ୍ୟର ଘରୋଇ ମେଡିକାଲ ଓ ଇଞ୍ଜିନିୟରିଂ କଲେଜ ମାଲିକ ଅବା ଶିକ୍ଷା ବ୍ୟବସାୟୀଙ୍କୁ ସୁହାଇବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୁଏ । ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଇନଷ୍ଟିଚ୍ୟୁସନସ୍ (ରେଗୁଲେସନ ଅଫ ଆଡମିଶନ ଆଣ୍ଡ ଫିକ୍ସେସନ ଅଫ ଫି) ଆଇନ-୨୦୦୭ରେ ଏହି ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜର ମୋଟ୍ ସିଟର ୧୫ପ୍ରତିଶତ ଏନଆରଆଇ କୋଟା ଭାବେ ସଂରକ୍ଷିତ ରଖିବାର ପ୍ରାବଧାନ ରହିଛି । ଆଉ ରାଜ୍ୟ ସରକାରଙ୍କ ଆଇନର ଧାରା-୭(୨)ରେ ମଧ୍ୟ ଏହି ଏନଆରଆଇ କୋଟା ଜରିଆରେ ମୋଟାଅଙ୍କର ଫି’ ଆଦାୟ କରିବାକୁ ମଧ୍ୟ ରାଜ୍ୟରେ ପ୍ରଫେସନାଲ ପାଠ୍ୟକ୍ରମ ପ୍ରଦାନ କରୁଥିବା ଘରୋଇ କଲେଜଗୁଡ଼ିକୁ ଅନୁମତି ରହିଛି । ଆଇନର ପ୍ରାବଧାନ ଅନୁସାରେ ରାଜ୍ୟ ସରକାରଙ୍କ ଫି’ ନିର୍ଦ୍ଧାରଣ କମିଟି ମଧ୍ୟ ଏହି ଏନଆରଆଇ ସିଟ୍ ପାଇଁ ଚଢ଼ା ଦରରେ ଫି’ ଆଦାୟର ଅନୁମତି ଦେବେ । କିନ୍ତୁ ଖୋଳତାଡ଼ରୁ ଜଣାପଡ଼ିଛି ଯେ, ରାଜ୍ୟରେ ଏନଆରଆଇ କୋଟା ବାବଦରେ ଉଦ୍ଦିଷ୍ଟ ସିଟଗୁଡ଼ିକୁ ସବୁ ସମୟରେ ପୂରଣ ହେବା ସମ୍ଭବପର ହେଉନାହିଁ । ଯାହାକୁ ଏହି ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜର ଉପାର୍ଜନର ପ୍ରକୃଷ୍ଟ ଅସ୍ତ୍ର ଭାବେ ଉପଯୋଗ କରୁଛନ୍ତି ।
କେଉଁଠି ଏନଆରଆଇ ଭାବେ ଜାଲ୍ ଦସ୍ତାବିଜ ଦେଇ ସିଟ୍ ପୂରଣ କରାଯାଉଛି ତ କେଉଁଠି ଏନଆରଆଇ ବର୍ଗର ପିଲାମାନେ ଆସୁନଥିବା ଦର୍ଶାଇ ଧନୀ ବର୍ଗର ପିଲାମାନଙ୍କୁ ଏହି ସିଟଗୁଡ଼ିକୁ ମୋଟାଅଙ୍କ ବିନିମୟରେ ଟେକି ଦିଆଯାଉଥିବା ଜଣାପଡ଼ିଛି । ଓଡ଼ିଶାରେ ଏନଆରଆଇ କୋଟାରେ ଏମବିବିଏସ୍ ପାଠ୍ୟକ୍ରମ ପାଇଁ ପିଲାମାନଙ୍କୁ ବର୍ଷକୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଯଦିଓ ବିଦେଶୀ ଛାତ୍ରଛାତ୍ରୀଙ୍କଠୁ ଏନଆରଆଇ କୋଟାରେ ୫୦ହଜାରରୁ ୮୦ହଜାର ଆମେରିକୀୟ ଡଲାର ବାର୍ଷିକ ଫି’ ବାବଦରେ ସଂଗ୍ରହ କରାଯାଉଛି ବୋଲି ଘରୋଇ ମେଡିକାଲ କଲେଜଗୁଡ଼ିକ ନିଜର ୱେବସାଇଟରେ ଦର୍ଶାଇଛନ୍ତି । ମାତ୍ର ବାସ୍ତବକ୍ଷେତ୍ରରେ ଏନଆରଆଇ ପିଲା ନଥିବା ଦର୍ଶାଇ ଏହି ସବୁ ସିଟଗୁଡ଼ିକୁ ୧ରୁ ୫କୋଟି ଟଙ୍କାରେ ଧନୀ ଘରର ପିଲାମାନଙ୍କୁ ବିକ୍ରି କରାଯାଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ ।
ସନ୍ଦେହଘେରରେ ସରକାରଙ୍କ ଆଇନ?
ଓଡ଼ିଶା ପ୍ରଫେସନାଲ ଏଜୁକେସନ୍ ଇନଷ୍ଟିଚ୍ୟୁସନସ୍ (ରେଗୁଲେସନ ଅଫ ଆଡମିଶନ ଆଣ୍ଡ ଫିକ୍ସେସନ ଅଫ ଫି) ଆଇନ-୨୦୦୭ର ଥିବା ପ୍ରାବଧାନକୁ ଆଳ କରି ରାଜ୍ୟର ଶିକ୍ଷା ବ୍ୟବସାୟୀମାନେ ନିଜର ସମ୍ପତ୍ତି ବଢ଼ାଇ ଚାଲିଥିବା ଜଣାପଡ଼ିଛି । ଯଦିଓ ୨୦୧୬ ଓ ୨୦୨୧ରେ ଏହି ଆଇନରେ ସଂଶୋଧନ କରାଯାଇଛି କିନ୍ତୁ ଏହା କେବଳ ଘରୋଇ ଶିକ୍ଷାନୁଷ୍ଠାନ ଓ ଶିକ୍ଷା ବ୍ୟବସାୟୀମାନଙ୍କୁ ବେଆଇନ ଭାବେ ଅର୍ଥ ରୋଜଗାର ନିମନ୍ତେ ପ୍ରୋତ୍ସାହିତ କରିବାକୁ ଉଦ୍ଦିଷ୍ଟ ଥିବା ଚର୍ଚ୍ଚା ହେଉଛି । ଏପରିକି ଏହି ଆଇନର ଧାରା ୭(୨)ରେ ଏନଆରଆଇଙ୍କଠୁ ଚଢ଼ାଦରରେ ଫି’ ସଂଗ୍ରହ ପାଇଁ ଘରୋଇ ଶିକ୍ଷାନୁଷ୍ଠାନକୁ ଅନୁମତି ଦେଇଥିବା ସରକାର ଉକ୍ତ ଆଇନର ଧାରା ୧୩ ଓ ୧୬ରେ ଯେଉଁ ପ୍ରାବଧାନ କରିଛନ୍ତି ସେଥିରେ ପେଷାଦାର ପାଠ୍ୟକ୍ରମ ସହ ଜଡ଼ିତ ବିଭାଗର ସରକାରୀ ଅଫିସରମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି ।
ରାଜ୍ୟ ସରକାର ପ୍ରଚଳିତ ଦନ୍ତହୀନ ଆଇନର ସମୀକ୍ଷା କରିବା ସହ ବିଜେଡି ସରକାର ଅମଳରେ ଯେଉଁ ଅନିୟମିତତା ଚାଲିଥିଲା ତାକୁ ବନ୍ଦ କରାଯିବାର ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ନିର୍ଦ୍ଧାରଣ କମିଟିଙ୍କ ଅଧୀନରେ କେବଳ ଘରୋଇ ଶିକ୍ଷାନୁଷ୍ଠାନ ନୁହେଁ ଡିମଡ୍ ବିଶ୍ୱବିଦ୍ୟାଳୟଗୁଡ଼ିକର ଫି’ ମଧ୍ୟ ନିର୍ଦ୍ଧାରଣ କରାଗଲେ ଏସବୁ ଅନିୟମିତତାକୁ ବନ୍ଦ କରାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/ED_1741184466.jpg)