Advertisment

ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଠିକଣାରେ ଇଡି ରେଡ: ଜବତ ହେଲା ପୋର୍ସେ ସମେତ ୧୦ ଦାମୀ କାର ଓ ୩ ସୁପର ବାଇକ୍‌

୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Car

Car

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ରେଡ। ଖଣି ମାଲିକ ଶକ୍ତି ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଶନିବାର ଠାରୁ ଚଢ଼ଉ ଜାରି ରହିଛି। ଏହି ସମୟରେ ପୁଳାପୁଳା ଟଙ୍କା ସହ ୧୦ଟି ବିଳାସପୂର୍ଣ୍ଣ କାର ଓ ୩ଟି ସୁପର ବାଇକ୍ ଜବତ ହୋଇଛି। ୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି।

Advertisment

ଦେଶର ଅନ୍ୟତମ ବଡ଼ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାର ଯାଞ୍ଚ ବେଳେ ଶ୍ରୀ ଦାଶଙ୍କ ମାଲିକାନାରେ ଥିବା Anmol Mines Private Limited (AMPL) ଓ M/s Anmol Resources Private Limited (ARPL)ର ବିଭିନ୍ନ ଠକଣାରେ ରେଡ ହୋଇଛି।

ଶନିବାର ଠାରୁ ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଖଣି ମାଲିକ ଶକ୍ତି ରଞ୍ଜନ ଦାଶଙ୍କ ଘର ଆରମ୍ଭ ହୋଇଥିବା ରେଡ ବେଳେ ଆଖି ଲାଖି ଯିବା ଭଳି ସମ୍ପତ୍ତି ମିଳିଛି। ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଞ୍ଚଳ ପ୍ରଦେଶ ପୁଲିସ ନିକଟରେ ପ୍ରଥମେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିମଲା ସ୍ଥିତ ଜୋନାଲ ଅଫିସ ମନି ଲଣ୍ଡରିଂ ମାମଲା ରୁଜୁ କରି ରେଡ କରିଛି।

Advertisment

ତଦନ୍ତରୁ ଜଣାପଡିଛି Indian Technomac Company Ltd (M/s ITCOL) ନାମକ ହିମାଞ୍ଚଳ ପ୍ରଦେଶର ଗୋଟିଏ କମ୍ପାନୀ ଜାଲ କାଗଜପତ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କାର ଋଣ କରିଥିଲା। ଏହି ଋଣ ଟଙ୍କାରୁ ୫୯.୮୦ କୋଟି ଟଙ୍କା ଶକ୍ତି ରଞ୍ଜନ ଦାଶଙ୍କ କମ୍ପାନୀ ଆକାଉଣ୍ଟକୁ ଆସିଥିଲା। ଏଥିପାଇଁ ଇଡି ପକ୍ଷରୁ Anmol Mines Private Limited (AMPL) ଓ M/s Anmol Resources Private Limited (ARPL) ସହ ଶ୍ରୀ ଦାଶଙ୍କ ଘରେ ରେଡ କରାଯାଇଛି।

ରେଡ ବେଳେ ଇଡି ପକ୍ଷରୁ ୧୦ଟି ଦାମୀ କାର ଓ ୩ଟି ସୁପର ବାଇକ ଜବତ ହୋଇଛି। ଏହି ଗାଡ଼ିଗୁଡ଼ିମର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ। ଏହା ମଧ୍ୟରେ ଗୋଟିଏ ପୋର୍ସେ କାୟେନ୍ନେ, ମର୍ସିଡିଜ ବେଞ୍ଜ ଜିଏଲସି, ବିଏମଡବ୍ଲ୍ୟୁ ଏକ୍ସ ୭, ଅଡି ଏ୩, ମିନି କୁପର ଓ ଗୋଟିଏ ହୁଣ୍ଡା ଗୋଲ୍ଡ ୱିଙ୍ଗ ମୋଟରସାଇକେଲ ରହିଛି।

ଏହାବାଦ ଇଡିର ଅଧିକାରୀମାନେ ଶ୍ରୀ ଦାଶଙ୍କ ଠିକଣାରୁ ୧.୧୨ କୋଟିର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସେହିପରି ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ କରାଯାଇଛି।

ବାସ୍ତବରେ ରେଡ ଦୁଇଟି ଠିକଣାରେ ହୋଇଛି। ଶ୍ରୀ ଦାଶଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ କମ୍ପାନୀ Anmol Mines Private Limited (AMPL) ଓ M/s Anmol Resources Private Limited (ARPL)ର ଅଫିସରେ ଚଢ଼ଉ କରାଯାଇଛି। ଇଡିର କହିବା କଥା, Indian Technomac Company Ltd ୨୦୦୯ରୁ ୨୦୧୩ ମଧ୍ୟରେ ବ୍ୟାଙ୍କ ଅଫ ଇଣ୍ଡିଆ ନେତୃତ୍ୱାଧୀନ ଗୋଟିଏ ଅନୁବନ୍ଧିତ ବ୍ୟାଙ୍କ ଠାରୁ ଜାଲକାଗଜ ପତ୍ର ଜରିଆରେ ୧୩୯୬ କୋଟି ଋଣ ନେଇଥିଲା। ଯେଉଁ ପ୍ରକଳ୍ପ ନାଁରେ ଏହି ଋଣ ନିଆଯାଇଥିଲା, ସେ କାମ କେବେ ବି କରାଯାଇ ନଥିଲା।

ଏହି କେସ୍‌ରେ ଇଡି ପୂର୍ବରୁ ୩୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ସେହିପରି ୨୦୨୫ ଏପ୍ରିଲ ମାସରେ ୨୮୯ କୋଟି ଟଙ୍କା ଆଟାଚ ସମ୍ପତ୍ତିରୁ ବ୍ୟାଙ୍କକୁ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ Indian Technomac Company Ltd ଓ ଏହାର ଶେଲ କମ୍ପାନୀଗୁଡ଼ିକ ୫୯.୮୦ କୋଟି ଟଙ୍କା ଓଡ଼ିଶାର Anmol Mines Private Limitedର ଆକାଉଣ୍ଟକୁ ପଠାଇଥିଲେ।

ଜଣେ ଇଡି ଅଧିକାରୀ କହିଛନ୍ତି, “Anmol Mines Private Limitedର ଏମଡି ଶକ୍ତି ରଞ୍ଜନ ଦାଶ ଜାଣିଶୁଣି ଜାଲିଆତି ଉଦ୍ଦେଶ୍ୟରେ Indian Technomac Company Ltdର ପ୍ରମୋଟର ରାକେଶ ଶର୍ମାଙ୍କୁ ସହାୟତା କରିଥିଲେ। ଋଣ ଟଙ୍କାକୁ ଅନ୍ୟତ୍ର ପଠାଇବା ସହ ଏହାର ବ୍ୟବହାର ଓଡ଼ିଶାର ଖଣି କାରବାରରେ ହୋଇଥିଲା। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।”

Odisha ED Raid