ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରପଡ଼ା ସାସଂଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରେ ଫସିଥିବା ୮ ଜଣ ଓଡ଼ିଆ ଯୁବକ ଆଜି ଜନ୍ମମାଟିକୁ ଫେରିଛନ୍ତି। ଏହି ୮ ଜଣଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ୪ ତାରିଖରେ ଚିଠି ଲେଖି ନିବେଦନ କରିଥିଲେ।
ଏହି ୮ଜଣ ଯୁବକ ଜନ୍ମମାଟିକୁ ଫେରିଆସିବା ପରେ ଆଜି ତାଙ୍କ ପରିବାର ଲୋକେ ବୈଜୟନ୍ତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୃତ୍ତଜ୍ଞତା ଜଣାଇଛନ୍ତି। ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଲଢ଼ାଳିଆ ଗାଁର ସ୍ୱର୍ଗତ ସୁରେଶ ଦାସଙ୍କ ପୁଅ ମରୁତ ଦାସ, ନିମପୁରର ରାମଚନ୍ଦ୍ର ବେହେରାଙ୍କ ପୁଅ ଅଭିମନ୍ୟୁ ବେହେରା, ଜଗତସିଂହପୁର ଜିଲ୍ଲା ନେହୁଳିଆ ଗାଁର ଶତ୍ରୁଘ୍ନ ସମାଲଙ୍କ ପୁଅ ନାରାୟଣ ସାମଲ, କଟକ ଜିଲ୍ଲା କଳପଡ଼ାର ନରେନ୍ଦ୍ରନାଥ ପଟ୍ଟନାୟକଙ୍କ ପୁଅ ମିଟୁ ପଟ୍ଟନାୟକ, କୋରପଡ଼ାର ବିମ୍ବାଧର ହାତୀଙ୍କ ୩ ପୁଅ- ରମେଶ ହାତୀ, ନରେଶ ହାତୀ, ବିଚିତ୍ରାନନ୍ଦ ହାତୀ ଓ କୁଳସରିଚୁହାଁ ଗ୍ରାମର ଦୁଃଶାସନ ପ୍ରଧାନଙ୍କ ପୁଅ ପୀତବାସ ପ୍ରଧାନ ଗତ ମେ’ ମାସ ୧୯ ତାରିଖରେ ପାଇପମିସ୍ତ୍ରୀ ଭାବେ କାମ କରିବାକୁ ଜଣେ ଏଜେଣ୍ଟଙ୍କ ଜରିଆରେ ଦୁବାଇ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରିଥିଲେ। ଅନିଚ୍ଛା ପ୍ରକାଶ କରିବାରୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ବର୍ତ୍ତମାନ ସେମାନେ ବହୁ ଦୁଃଖ କଷ୍ଟରେ ଏକ ମସଜିଦରେ ଆଶ୍ରୟ ନେଇଥିଲେ।
ଉପାୟଶୂନ୍ୟ ହୋଇ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଶ୍ରୀ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ପଦକ୍ଷେପ ନେଇ ସମସ୍ତଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।