Advertisment

ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା, ମକା ଫସଲ ନଷ୍ଟ କଲେ ହାତୀ ପଲ

୧୦୦ ବସ୍ତାରୁ ଅଧିକ ମକା ଫସଲକୁ ହାତୀ ପଲ ନଷ୍ଟ କରି ଦେଇଥିବା ସୂଚନା ମିଳିଛି।

author-image
Madhupriya Mistry
Elephant Attack

Elephant Attack

ଥମୁନି ହାତୀଙ୍କ ଉପଦ୍ରବ। ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଆସି ଓଡ଼ିଶାରେ ଉତ୍ପାତ କଲେ ହାତୀ ପଲ। ଏହି ହାତୀ ପଲ ମକା ଫଲସକୁ ପହରା ଦେଉଥିବା ଜଣେ ବୃଦ୍ଧାଙ୍କୁ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ମକା ଫସଲକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତବର୍ତ୍ତୀ ଖୁଡୁକୁ ଗ୍ରାମରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତବାକ, ମୃତ ବୃଦ୍ଧା ଜଣକ ହେଉଛନ୍ତି ଖୁଡୁକୁ ଗ୍ରାମର ରମସୁଲା ଗଣ୍ଡ। ସେ ଗତକାଲି ନିଜ ଚାଷ ଜମିରେ ଏକ ଲାଡି କରି ମକା ଫସଲକୁ ଜଗି ରହିଥିଲେ। ତେବେ ବିଳମ୍ବିତ ରାତିରେ ଚାଷ ଜମିକୁ ପଶି ଆସିଥିଲେ ଛତିଶଗଡିଆ ହାତୀ ପଲ। ହାତୀମାନେ ବ୍ୟାପକ ମକା ଫସଲ ନଷ୍ଟ କରିବା ସହ ଉପଦ୍ରବ କରିଥିଲେ। ଏପରକି ରମସୁଲାଙ୍କ ଲାଡ଼ିକୁ ଭାଙ୍ଗି ନଷ୍ଟ କରିବା ସହ ତାଙ୍କୁ ଦଳିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ରମସୁଲା ଗଣ୍ଡ ମାନସିକ ରୋଗାଗ୍ରସ୍ତ ଥିବା ବେଳେ ସେ ନିଜ ଘର ଠାରୁ କିଛି ଦୂରରେ ନିଜ ଭାଇଙ୍କ ଜମି ଲାଡିରେ କରି ରହୁଥିଲେ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।

ସେପଟେ ଅମଳ ପରେ ବସ୍ତାରେ ଭରି ବିକ୍ରି ପାଇଁ ରଖିଥିବା ଉକ୍ତ ଗାଁର ଲକ୍ଷନ କଲାର ଓ ସୁକଦେବ ଗଣ୍ଡଙ୍କ ୧୦୦ ବସ୍ତାରୁ ଅଧିକ ମକା ଫସଲକୁ ହାତୀ ପଲ ନଷ୍ଟ କରି ଦେଇଥିବା ଜଣାପଡିଛି। ଖବର ପାଇ କୁନ୍ଦେଇ ପୁଲିସ ଓ ରାଇଘର ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛନ୍ତି।

Advertisment

ଗତ କିଛି ଦନ ହେବ କୁନ୍ଦେଇ ଥାନା ଅଞ୍ଚଳ ସୀମାବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ର ଏକ ହାତୀ ପଲ ବାରମ୍ବାର ଆସି ଲୋକଙ୍କ ଫସଲ ନଷ୍ଟ କରିବା ସହ ଧନ ଜୀବନ ମଧ୍ୟ ନଷ୍ଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲୋକଙ୍କୁ ସଚେତନ କରାଯିବା ସହ ହାତୀ ପଲଙ୍କୁ ଛତିଶଗଡ଼ ଆଡକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Odisha Elephant Attack