Advertisment

ଟ୍ରାଙ୍କୁଲାଇଜ୍‌ ହେଲା ଦନ୍ତା, ଜିପିଏସ୍‌ ଲଗାଇ ଛାଡ଼ିଲା ବନବିଭାଗ

ହାତୀ ଶରୀରରେ ରେଡିଓ କୁଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର।

author-image
Niharika Rout
ଅଦ୍ୟତନ ହୋଇଛି
Elephant

Elephant

ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଗଲା। ଏହାପରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର। ଫଳରେ ଧନଜୀବନ ହାନୀ କରିବା ପୂର୍ବରୁ ବିହିତ ପଦକ୍ଷେପ ଗ୍ରହଣ କରା ଯାଇ ପାରିବ ବୋଲି କହିଛନ୍ତି ବନ ଅଧିକାରୀ। ମାତ୍ର ହାତୀ ଆତଙ୍କରେ ଅତିଷ୍ଠ ହୋଇ ପଡ଼ିଥିବା ଅଞ୍ଚଳବାସୀ ଏଥିରେ ସନ୍ତୁଷ୍ଟ ହୋଇ ପାରି ନାହାନ୍ତି।

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍‌ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ। ଏହି ଟିମ୍‌ରେ ରାଉରକେଲା ଆରସିସିଏଫ , ବଣାଇ ଡିଏଫ୍ ଓ ସାତକୋଶିଆ , ରାଉରକେଲା, କପିଳାସରୁ ଆସିଥିବା ଟିମ୍‌ ବି ସାମିଲ ହୋଇଥିଲେ।

ପ୍ରାୟ ୫ ଘଣ୍ଟା କାଳ ହାତୀର ଗତିବିଧି ନିରୀକ୍ଷଣ କରିବା ପରେ ତାହାକୁ ଟ୍ରାଙ୍କୁଲାଇଜ କରିଥିଲେ କର୍ମଚାରୀ। ଏହାପରେ ତୁରନ୍ତ ତା’ ଶରୀରରେ ଏହି ରେଡ଼ିଓ କଲାର (ଜିପିଏସ) ଲଗାଇ ଦିଆଯାଇଛି । ହାତୀଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣାଯାଇଛି।

Advertisment

ଏଣିକି ଉତ୍ପାତ ମଚାଇଥିବା ଏହି ଦନ୍ତାଟି ସବୁବେଳେ ବନ ବିଭାଗ ନଜରରେ ରହିବ । ହାତୀଟିକୁ ବନ କର୍ମଚାରୀ ଟ୍ରାକ୍‌ କରି ତାହାର ଗତିବିଧି ନିରୀକ୍ଷଣ କରିପାରିବେ। କେବଳ ସେତିକି ନୁହେଁ, ହାତୀଟି ଧନଜୀବନ ନଷ୍ଟ କରିବାକୁ ଉଦ୍ୟମ କଲେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ବି କହିଛନ୍ତି ଅଧିକାରୀ।

ମାତ୍ର ହାତୀଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। କାରଣ ହାତୀଟି ବାରସୁଆଁ ରେଞ୍ଜ ଅଞ୍ଚଳରେ ଦୀର୍ଘ ଚାରି ବର୍ଷ ହେଲା ଆତଙ୍କ ଖେଲାଇ ରଖିଥିଲା। ଏପରିକି ଉକ୍ତ ଦନ୍ତାଟି ୧୫ ଜଣଙ୍କ ଜୀବନ ନେଇ ସାରିଥିବା ବେଳେ ବହୁ ଜଣଙ୍କୁ ଆକ୍ରମଣ କରି ଗୁରୁତର ବି କରିଛି। ତେଣୁ ଏବେ ପୁଣି ଥରେ ଦନ୍ତାଟି ନିଜ ପୂର୍ବ ଆଚରଣ ପ୍ରଦର୍ଶନ କରି ଆକ୍ରମଣାତ୍ମକ ହେବ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି।

ବଣାଇ ଡିଏଫଓ ଲଳିତ କୁମାର ପାତ୍ର କହିଛନ୍ତି, ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ରେଡିଓ କଲାର କରାଯାଇଛି। ହାତୀକୁ ଏବେ ସବୁବେଳେ ମନିଟର କରାଯିବ । ଫଳରେ ହାତୀଟି ଧନଜୀବନ ନଷ୍ଟ କରିବା ଘଟଣା କମି ଯିବ ବୋଲି ଆଶା କରୁଛୁ। ହାତୀଟିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଲୋକେ ଦାବି କରି ଆସୁଛନ୍ତି। ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ ଏ ଦିଗରେ କାର୍ଯ୍ୟ ହେବ ଓ ହାତୀଟିକୁ ଅନ୍ୟ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

Sundargarh