Advertisment

ବର୍ଷା ପରେ ଦାଉ ସାଧୁଛନ୍ତି ହାତୀ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି

ଜମିରେ ପଶି ଚାଷୀର ବର୍ଷକର ପରିଶ୍ରମ ଉଜାଡି ଦେଉଛନ୍ତି ହାତୀ ପଲ। ସେପଟେ ମନ୍ତ୍ରୀ କହୁଛନ୍ତି ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଛି।

Elephant Destroying Crops

Elephant Destroying Crops

Advertisment

ଚାଷୀଙ୍କୁ ଘାରିଛି ଅମଳ ଧାନ ଚିନ୍ତା। ହେଲେ, ଲଘୁଚାପ ବର୍ଷା ପାଇଁ ନୁହେଁ, ଭୟ ହାତୀ ପଲକୁ। ଉପକୂଳରୁ ପଶ୍ଚିମ, ବିଲରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ। ଅନେକ ସ୍ଥାନରେ ଗାଁ ମୁହାଁ ବି ହେଲେଣି। ହାତୀଙ୍କୁ ଘଉଡାଇବାକୁ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

Advertisment

ବିଲରେ କଟା ହୋଇ ପଡିଛି ପାଚିଲା ଧାନ। ଅମଳ ଫସଲ ଖଳାକୁ ନେବାକୁ ଚାଷୀ ତରତର। ହେଲେ ନିଦ ହଜାଇଛନ୍ତି ହାତୀ ପଲ। ଜମିରେ ପଶି ଉଜାଡି ଦେଉଛନ୍ତି ଚାଷୀର ବର୍ଷକର ପରିଶ୍ରମ। ତେଣୁ ଶୀତ ରାତିରେ ଉଜାଗର ରହି ଫସଲ ଜଗି ରହୁଛି ଚାଷୀ। କଟକ ଜିଲ୍ଲା ଟାଙ୍ଗୀ ଅଂଚଳରେ ଉତ୍ପାତ ମଚାଇଛନ୍ତି କପିଳାସ ଜଙ୍ଗଲରୁ ଆସିଥିବା ୧୭ଟିକିଆ ହାତୀ ପଲ। ସେପଟେ ଢେଙ୍କାନାଳରେ ବି ହାତୀ ଘଉଡାଇବାକୁ ନାକେଦମ୍ ବନ ବିଭାଗ। ଦଳ ଦଳ ହୋଇ ୧୮ ଟିକିଆ ହାତୀପଲ କାସିଆଡିହି ତାଳପୋଖରୀ ଗହିରିବିଲରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।

ସୁନ୍ଦରଗଡ଼ ବାଙ୍କୀ ରେଞ୍ଜର କେ.ବଳଙ୍ଗ ସେକ୍ସନରେ ତ ଗାଁରେ ପଶିଛନ୍ତି ଗଜରାଜ। ଗୋଠ ଛଡା ଦନ୍ତା ସ୍କୁଲ କାନ୍ଥ ଭାଙ୍ଗିବା ସହ ଖଳାରେ ଥିବା ଅମଳ ଧାନ ନଷ୍ଟ କରିଦେଇଛି। ଉଦଳା ବନାଂଚଳ ଅଧୀନ କୁସୁମିଆ ଗାଁ ପାଖରେ ରହିଛନ୍ତି ୪୦ ଟିକିଆ ହାତୀପଲ। ବ୍ୟାପକ ଧାନ ଫସଲ ଦଳି କୁଦି ନଷ୍ଟ କରିବା ସହ ଗାଁ ଲୋକଙ୍କୁ ଗୋଡାଉଛନ୍ତି। ଫଳରେ ଭୟରେ ବିତୁଛି ଲୋକଙ୍କ ଜୀବନ। 

Advertisment

ସେପଟେ ବଲାଙ୍ଗୀର ମୁରିବାହାଲ ରେଞ୍ଜ ବାରବନ୍ଧରେ ହାତୀ ପଲ ଯେତିକି ଫସଲ ଖାଇଛନ୍ତି ତାଠୁ ଅଧିକ ଉଜାଡି ଦେଇଛନ୍ତି। ଘର ଭାଙ୍ଗିଛନ୍ତି, ଚାଷ ଜମିରେ ଲାଗିଥିବା ସୋଲାର ପ୍ଲେଟକୁ ବି ଭାଙ୍ଗିଦେଇଛନ୍ତି। ନୀଳଗିରିରେ ଆଳୁ ଚାଷ ପାଇଁ ଅଣ୍ଟା ଭିଡିଥିବା ଚାଷୀଙ୍କୁ ଘାରିଛି କୁଲଡିହା ଦନ୍ତା ଚିନ୍ତା। ସରକାରଙ୍କ ଠାରୁ ସବସିଡିରେ ବିହନ ଆଣି ଆଳୁ ଫଳାଇବାକୁ ଲକ୍ଷ୍ୟ ରଖିଥିଲେ। ଏକର ଏକର ଜମି ହଳ ହୋଇ ଖତ ପକା ବି ସରିଲାଣି। ହେଲେ ହାତୀ ଭୟରେ ଘରେ ଗଜା ହୋଇ ସାରିଛି କୁଇଣ୍ଟାଲ କୁଇଣ୍ଟାଲ ବିହନ।

ଏପଟେ ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଜଙ୍ଗଲ ସୃଷ୍ଟି ଉଦ୍ଦେଶ୍ୟରେ ବନୀକରଣ କରାଯାଉଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଏଥିସହ ଜଙ୍ଗଲ ବିଭାଗର ଆପରେ କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ ଜଣାଇଲେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉଥିବା ସେ କହିଛନ୍ତି।

Elephant Menace Elephants Destroys Crop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe