Advertisment

ପିଏମ୍‌ଆବାସ ଯୋଜନାରେ ମିଳିବ ୧.୮୦ଲକ୍ଷ ଟଙ୍କା: ଘରପୋଡ଼ି କି ହାତୀ ନଷ୍ଟକଲେ ମିଳିବ ଅନ୍ତ୍ୟୋଦୟ ଗୃହ

କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ପିଏମ୍ ଆବାସ ଯୋଜନାର ଆର୍ଥିକ ସହାୟତା ପରିମାଣକୁ ବୃଦ୍ଧି କରିବା ପରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ସହାୟତା ପରିମାଣକୁ ୧.୮୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

author-image
Ordigital Desk
PM Awas

PM Awas

ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧.୨୦ଲକ୍ଷ ଟଙ୍କା ପରିବର୍ତ୍ତେ ୧.୮୦ଲକ୍ଷ ଟଙ୍କା ଏବଂ ଶୌଚାଳୟ ନିର୍ମାଣ ପାଇଁ ମିଳୁଥିବା ୧୨ହଜାର ଟଙ୍କା ପରିବର୍ତ୍ତେ ୨୦ହଜାର ଟଙ୍କା ମିଳିବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଏହାସହିତ ଘରପୋଡ଼ି କିମ୍ବା ହାତୀ ଦ୍ୱାରା ଘର ନଷ୍ଟ ହେଲେ ଅବା ପ୍ରାକୃତିକ ବିପର୍ଯ୍ୟୟରେ ବାସଘର ନଷ୍ଟ ହେଲେ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ଯୋଜନା କରାଯାଉଛି ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି ।

Advertisment

କେନ୍ଦ୍ର କ୍ୟାବିନେଟ୍ ଗତ ସପ୍ତାହରେ ପିଏମ୍ ଆବାସ ଯୋଜନାର ଆର୍ଥିକ ସହାୟତା ପରିମାଣକୁ ବୃଦ୍ଧି କରିବା ପରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆର୍ଥିକ ସହାୟତା ପରିମାଣକୁ ୧.୮୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଦି ଏଥିରେ ମନରେଗା ସହାୟତାକୁ ମିଶାଇ ଦିଆଯାଏ ତା’ହେଲେ ଏହି ପରିମାଣ ୨ଲକ୍ଷ ଟଙ୍କା ହେବ । ଏହି ବାସଘର ଆବଂଟନକୁ ନେଇ ଖୁବଶୀଘ୍ର ଗାଇଡଲାଇନ ଜାରି କରାଯିବ । ସେହିପରି ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଦିଆଯାଉଥିବା ୧୨ହଜାର ଟଙ୍କାକୁ ଏବେ ୨୦ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ଗ୍ରାମାଂଚଳର ପ୍ରତ୍ୟେକ ଘରେ ଶୌଚାଳୟ ଓ ପାନୀୟ ଜଳଯୋଗାଣର ସୁବିଧା ଥାଇ ଏକ ମଡେଲ ଘର ଭାବେ ବିକଶିତ କରାଯିବ ।

ସେହିପରି ଘରପୋଡ଼ି, ହାତୀ ଦ୍ୱାରା ନଷ୍ଟ ଅବା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ଘର ନଷ୍ଟ ହେଲେ ଆମ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାରେ ପୀଡ଼ିତ ପରିବାରକୁ ଘର ଯୋଗାଇ ଦେବାକୁ ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

Advertisment

ବିଜେଡି ସରକାରର ‘ମୋ ଘର’ ଯୋଜନାରେ କେହି ଉପକୃତ ହୋଇନାହାନ୍ତି କିମ୍ବା ଏହି ଯୋଜନାକୁ ନେଇ କେହି ଲୋକେ ଆଗ୍ରହ ବି ଦେଖାଇନଥିବା ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି । ଏହା କେବଳ ବିଜେଡି ସରକାର ରାଜନୀତିକ ଧୂଆଁବାଣ ଥିଲା ବୋଲି ସେ କହିଛନ୍ତି ।

ରାଜ୍ୟରେ ୬୪ଟି ଆଦିମ ଜନଜାତି ବସବାସ କରୁଥିବା ୫୦୦ଟି ଆଦିବାସୀ ଗାଁ’ର ବିକାଶ ପାଇଁ ଏବେ ତାଙ୍କ ସରକାର ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି। ଦୁର୍ଭାଗ୍ୟର କଥା ପୂର୍ବ ବିଜେଡି ସରକାର ସେମାନଙ୍କ ଉନ୍ନତି ପାଇଁ କିଛି କରିନଥିଲା । ଆମ ସରକାର ସେମାନଙ୍କୁ ଉତ୍ତମ ସଡ଼କ ଯୋଗାଯୋଗ ଓ ପାନୀୟ ଜଳ ଯୋଗାଇବା ସହ ସେମାନଙ୍କର ପରମ୍ପରାକୁ ମଧ୍ୟ ରକ୍ଷା କରିବା ଦିଗରେ ଚେଷ୍ଟା ଜାରି ରଖିଛନ୍ତି । ଆଦିବାସୀ ବର୍ଗର ଯୁବକଯୁବତୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି ।

Bjp Pm Awas