EPFO
ଠିକା ଡ୍ରାଇଭରମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ହରିଲୁଟ୍ ଘଟଣାକୁ ନେଇ ପୁଣିଥରେ ବିବାଦ ଘେରକୁ ଆସିଛି ଓଡ଼ିଶା ପୁଲିସ । ରାଉରକେଲାସ୍ଥିତ ଇପିଏଫ୍ କୋର୍ଟ ଆସନ୍ତା ୨୧ତାରିଖରେ ହାଜର ହେବା ନିମନ୍ତେ ପୁଣିଥରେ ଓଡ଼ିଶା ପୁଲିସକୁ ସମନ ଜାରି କରିବା ପରେ ଦୀର୍ଘବର୍ଷ ଧରି ରାଜପଥ ପାଟ୍ରୋଲିଂ ପାଇଁ ନିୟୋଜିତ ଠିକା ଡ୍ରାଇଭରମାନଙ୍କ ପିଏଫ ଅର୍ଥ କିଭଳି ହରିଲୁଟ୍ ହେଉଥିଲା ଓ ପୁଲିସ ବିଭାଗ କାହିଁକି ଏନେଇ ଚୁପ୍ ବସିଥିଲା ତାହା ଏବେ ପଦାକୁ ଆସିଛି । ପୁଲିସ ମୁଖ୍ୟାଳୟ ସହ ମଧୁଚନ୍ଦ୍ରିକାର ଫାଇଦା ଉଠାଇ ରାଜପଥ ପାଟ୍ରୋଲିଂ ପାଇଁ ଗାଡ଼ି ଓ ଡ୍ରାଇଭର ଯୋଗାଇଥିବା ଟ୍ରାଭେଲ୍ସ ସଂସ୍ଥା ଖୋଲାଖୋଲି ଭାବେ ଶ୍ରମ ଆଇନର ଉଲ୍ଲଘଂନ କରି ୧୦୮ଜଣ ଠିକା ଡ୍ରାଇଭରଙ୍କ ସାମାଜିକ ସୁରକ୍ଷାକୁ ବିପଦରେ ପକାଇଥିବା ଇପିଏଫ କର୍ତ୍ତୃପକ୍ଷ ପ୍ରାରମ୍ଭିକ ଖୋଳତାଡ଼ରୁ ପାଇଥିବା ସୂଚନା ମିଳିଛି ।
ଇପିଏଫ କୋର୍ଟଙ୍କ ସମନ ପରେ ପଦାକୁ ଆସିଲା ଅନିୟମିତତା
ରାଉରକେଲାସ୍ଥିତ ଇପିଏଫ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ରାଜପଥ ପାଟ୍ରୋଲିଂ ନିମନ୍ତେ ଗାଡ଼ି ଓ ଡ୍ରାଇଭର ଯୋଗାଇବା ନିମନ୍ତେ ମେସର୍ସ ଚିନୁ ଟ୍ରାଭେଲ୍ସ ସହ ଓଡ଼ିଶା ପୁଲିସ ଚୁକ୍ତିବଦ୍ଧ ହୋଇଥିଲା । ପୁଲିସ ବିଭାଗ ଏହି ସଂସ୍ଥାଠୁ ୩୬ଟି ଗାଡ଼ି ଓ ୧୦୮ଜଣ ଡ୍ରାଇଭର ଭଡ଼ାରେ ନେଇଥିଲା । ଚୁକ୍ତି ଅନୁସାରେ ପୁଲିସ ମୁଖ୍ୟାଳୟ ଏହି ସଂସ୍ଥାକୁ ସମ୍ପୃକ୍ତ ଡ୍ରାଇଭରମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ(ପିଏଫ) ବାବଦରେ ପ୍ରାୟ ୭୪.୪୪ଲକ୍ଷ ଟଙ୍କା ପ୍ରଦାନ କରିଛି । କିନ୍ତୁ ଇପିଏଫ କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ ତଦନ୍ତରୁ ଏହି ଅର୍ଥ କୌଣସି ଡ୍ରାଇଭରଙ୍କ ନିମନ୍ତେ ଜମା କରାଯାଇ ନାହିଁ କିମ୍ବା ସେମାନଙ୍କର ୟୁନିର୍ଭସାଲ ଆକାଉଣ୍ଟ ନମ୍ବର(ୟୁଏଏନ) ମଧ୍ୟ ପଞ୍ଜିକୃତ ହୋଇନଥିଲା ବୋଲି ଜଣାପଡ଼ିଛି । ଇପିଏଫ ଆକ୍ଟର ଧାରା-୮(କ)ର ପ୍ରାବଧାନ ଅନୁସାରେ ଯେହେତୁ ଓଡ଼ିଶା ପୁଲିସ ହେଉଛି ମୂଳ ନିଯୁକ୍ତିଦାତା, ତେଣୁ ଠିକା ସଂସ୍ଥା ଦ୍ୱାରା ଏବାବଦରେ ଯେକୌଣସି ତ୍ରୁଟି ପାଇଁ ଓଡ଼ିଶା ପୁଲିସ ହିଁ ଉତ୍ତରଦାୟୀ ରହିବ । ତଥାପି ଏହି ସଂସ୍ଥାକୁ ପ୍ରଥମରୁ ମାସିକ ବିଲ୍ ପ୍ରଦାନବେଳେ ପିଏଫ ପାଣ୍ଠି ଜମା ହେଉଛି କି ନାହିଁ ତା’ର ଖୋଳତାଡ଼ ମଧ୍ୟ କରିବାକୁ ରାଜ୍ୟ ପୁଲିସ ମୁଖ୍ୟାଳୟ ଉଚିତ୍ ମଣିନଥିବା ଜଣାପଡ଼ିଛି ।
ଇପିଏଫ କର୍ତ୍ତୃପକ୍ଷଙ୍କ କଡ଼ା ଆଭିମୁଖ୍ୟ ଓ ନୋଟିସ୍ ଜାରି
ଇପିଏଫ କର୍ତ୍ତୃପକ୍ଷ ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ମେମର୍ସ ଚିନୁ ଟ୍ରାଭେଲ୍ସକୁ ଜୁଲାଇ ୧୮ତାରିଖରେ କାରଣଦର୍ଶାଅ ନୋଟିସ୍ ଜାରି ସହ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହା ଉପରେ ସମ୍ପୃକ୍ତ ସଂସ୍ଥା କୌଣସି ସନ୍ତୋଷଜନକ ଜବାବ ଦାଖଲରେ ବିଫଳ ହେବାରୁ ଇପିଏଫ ଆଣ୍ଡ ଏମପି ଆକ୍ଟ-୧୯୫୨ ଧାରା ୭(କ) ପ୍ରାବଧାନ ଅନୁସାରେ ରାଉରକେଲାସ୍ଥିତ ଇପିଏଫ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ପିଏଫ କମିଶନର ରୋହିତ ସିଂହ ସମ୍ପୃକ୍ତ ସଂସ୍ଥା ଓ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ସମସ୍ତ ଦସ୍ତାବିଜ ସହ ଅଗଷ୍ଟ ୫ତାରିଖରେ ଭର୍ଚୁଆଲ ଶୁଣାଣିରେ ହାଜର ହେବାକୁ ସମନ ଜାରି କରିଥିଲେ । ତେବେ ଏହି ଦିନ ଉଭୟ ସମ୍ପୃକ୍ତ ସଂସ୍ଥା କିମ୍ବା ପୁଲିସ ମୁଖ୍ୟାଳୟ ପକ୍ଷରୁ କେହି ଇପିଏଫ କୋର୍ଟରେ ହାଜର ହୋଇନଥିଲେ ଓ ବିଭାଗର ଅଧିକାରୀ ସତୀଶ ଚନ୍ଦ୍ର ସାହୁ ତାଙ୍କର ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡ଼ିଥିଲେ । ଇପିଏଫ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୧ତାରିଖ ସକାଳ ସାଢ଼େ ୧୧ଟାକୁ ଧାର୍ଯ୍ୟ କରିଛନ୍ତି । ମାତ୍ର ପ୍ରଥମଥର ଶୁଣାଣିବେଳେ ଉଭୟ ଓଡ଼ିଶା ପୁଲିସ ଓ ସମ୍ପୃକ୍ତ ସଂସ୍ଥା ଅନୁପସ୍ଥିତ ରହିବା ମଧ୍ୟ ସେମାନଙ୍କର ଅସାଧୁ ମେଂଟକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି ।
ପୁଲିସ ମୁଖ୍ୟାଳୟ ଓ ଟ୍ରାଭେଲ୍ସ ସଂସ୍ଥା ମଧୁଚନ୍ଦ୍ରିକା
ସୂଚନା ଅନୁସାରେ, ୨୦୨୩ ଜାନୁୟାରୀ ମାସରୁ ସମ୍ପୃକ୍ତ ଟ୍ରାଭେଲ୍ସ ସଂସ୍ଥା ଦ୍ୱାରା ୧୦୮ଜଣ ଠିକା ଡ୍ରାଇଭରଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବାବଦ ଅର୍ଥ ଜମା କରିନଥିବା ଇପିଏଫ କର୍ତ୍ତୃପକ୍ଷ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି । ଏପରିକି ସମ୍ପୃକ୍ତ ସଂସ୍ଥା ଡ୍ରାଇଭରଙ୍କ ହାଜିରା ରେକର୍ଡ ଓ ଦସ୍ତଖତ ଥିବା ଦରମା ରେଜିଷ୍ଟର ଓ ସେମାନଙ୍କର ୟୁଏଏନ ନମ୍ବର ଦାଖଲ କରିପାରିନାହିଁ । ପିଏଫ୍ ବାବଦରେ ରାଜ୍ୟ ପୁଲିସଠୁ ଅର୍ଥ ନେଇ ମଧ୍ୟ ସମ୍ପୃକ୍ତ ସଂସ୍ଥା ତାହା ଇପିଏଫ ଆକାଉଣ୍ଟରେ ଜମା କରୁନଥିଲା । ଏହାସତ୍ତ୍ୱେ ଓଡ଼ିଶା ପୁଲିସ ମୁଖ୍ୟାଳୟରୁ ଅବାଧରେ ପ୍ରତ୍ୟେକ ମାସର ବିଲବାବଦ ଅର୍ଥ ନେବାରେ ସମ୍ପୃକ୍ତ ସଂସ୍ଥା ସକ୍ଷମ ହେଉଛି । ଏହାକୁ ମଧ୍ୟ ମୂଳ ନିଯୁକ୍ତିଦାତା ଓଡ଼ିଶା ପୁଲିସ କାହିଁକି ଖୋଳତାଡ଼ କରୁନଥିଲା ଓ କିଏ ଏହି ସଂସ୍ଥା ପାଇଁ ଅହେତୁକ ଅନୁକମ୍ପା ଦେଖାଉଥିଲେ ତଥା ଏଥିରେ ପୁଲିସର ଶୀର୍ଷସ୍ତରର କେଉଁ ଅଫିସରଙ୍କ ଭୂମିକା ରହିଛି ତାହା ଏବେ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ସନ୍ଦେହଘେରକୁ ଟାଣି ଆଣିଛି । କେବଳ ସେତିକି ନୁହେଁ ଏହି ଅନିୟମିତତାରେ ଲିପ୍ତ ଥିବା ସମ୍ପୃକ୍ତ ସଂସ୍ଥାକୁ ନିକଟ ଅତୀତରେ ଆଉ କିଛି ଜିଲ୍ଲାର ପାଟ୍ରୋଲିଂ ଦାୟିତ୍ୱ ହାତେଇଥିବା ଜଣାପଡ଼ିଛି । ଏପଟେ ଇପିଏଫ କର୍ତ୍ତୃପକ୍ଷଙ୍କ କଠୋର ଆଭିମୁଖ୍ୟ ଯୋଗୁ ଓଡ଼ିଶା ପୁଲିସକୁ ପ୍ରାୟ ୮୫-୯୦ ଲକ୍ଷ ଟଙ୍କା(ଜୋରିମାନା ଓ ସୁଧ ସମେତ)ର ତଣ୍ଡ ଗଣିବାକୁ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଥିବା ଜଣାପଡ଼ିଛି ।
ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସୀ ଓ ଓଡ଼ିଶା ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଆଇନର ରକ୍ଷକ ହୋଇ ଓଡ଼ିଶା ପୁଲିସ ଯଦି ରାଜପଥ ପାଟ୍ରୋଲିଂ ଭଳି ସମ୍ବେଦନଶୀଳ ସ୍ଥଳରେ କାର୍ଯ୍ୟରତ ଠିକା ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷାକୁ ଖୋଲା ଉଲ୍ଲଘଂନ କରିବ ଓ ଏଥିପାଇଁ ଦାୟୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାକୁ ଅଧିକ ଜିଲ୍ଲାର ଦାୟିତ୍ୱ ଦେଇ ପୁରସ୍କୃତ କରିବ ତା’ହେଲେ ଠିକା କର୍ମଚାରୀ ନିଜର ନ୍ୟାୟ କେଉଁଠୁ ପାଇବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/EPFO_1755610937.jpg)