ରାଜ୍ୟ ଉଦ୍ୟୋଗ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା, ସରକାର ରଖିଲେ ୯ଟି ସର୍ତ୍ତ

ସୂଚନାଯୋଗ୍ୟ, ରାଜ୍ୟ କର୍ମଚାରୀମାନଙ୍କୁ ପୂର୍ବରୁ ୫୦ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ୨୦୨୪ ମାର୍ଚ୍ଚ ୧୪ତାରିଖରେ ତତକାଳୀନ ସରକାର ଏହି ମହଙ୍ଗା ଭତ୍ତାକୁ ୪୬%ରୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ ।

Loka Seva Bhavan

  • Published: Wednesday, 09 October 2024
  • , Updated: 09 October 2024, 08:33 PM IST

ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ(ପିଏସୟୁ)ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦଶହରା ଅବସରରେ ଆଜି ପୂଜା ଭେଟି ଦେଇଛନ୍ତି ମୋହନ ମାଝୀଙ୍କ ସରକାର । ସେମାନଙ୍କର ମହଙ୍ଗା ଭତ୍ତା ପରିମାଣ ୪୬%ରୁ ୫୦%କୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତତକାଳୀନ ବିଜେଡି ସରକାର ମାର୍ଚ୍ଚ ୧୪ତାରିଖରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୪୬%ରୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ ।

ଆଜି ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରୀ ଉଦ୍ୟୋଗୀ କର୍ମଚାରୀମାନଙ୍କୁ ୨୦୧୭ ଦରମା ହାର ଆଧାରରେ ମହଙ୍ଗା ଭତ୍ତା ପରିମାଣକୁ ୪୬%ରୁ ୫୦%କୁ ବୃଦ୍ଧି କରାଗଲା । ଯାହାକି ୨୦୨୪ ଜାନୁୟାରୀ ୧ରୁ ପିଛିଲା ଭାବେ ଲାଗୁ ହେବ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ରାଜ୍ୟ ଉଦ୍ୟୋଗରେ କାର୍ଯ୍ୟରତ ଯୋଗ୍ୟ କର୍ମଚାରୀଙ୍କୁ ହିଁ ମିଳିପାରିବ । ସେଥିପାଇଁ ସାଧାରଣ ଉଦ୍ୟୋଗ ବିଭାଗ ମୋଟ ୯ଟି ସର୍ତ୍ତ ରଖିଛି । ଏହି ସର୍ତ୍ତସବୁ ପୂରଣ କରୁଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକ ନିଜର କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ନିଜ ପାଣ୍ଠିରୁ ହିଁ ଦେଇପାରିବେ । ଏଥିପାଇଁ ରାଜ୍ୟ ସରକାର କୌଣସି ଆର୍ଥିକ ସହାୟତା ଦେବେ ନାହିଁ ।

ଯେଉଁ ୯ଟି ସର୍ତ୍ତ ରଖାଯାଇଛି ସେଥିରେ ୨୦୨୩-୨୪ ଆର୍ଥିକବର୍ଷ ପାଇଁ ସମ୍ପୃକ୍ତ ସରକାରୀ ଉଦ୍ୟୋଗ ବୈଧାନିକ ଅଡିଟ୍ ଶେଷ କରିଥିବା ଜରୁରୀ । ଏହି ଉଦ୍ୟୋଗ ସରକାର, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ଋଣ ପରିଶୋଧରେ ଖିଲାପ କରିନଥିବ । କର୍ମଚାରୀମାନଙ୍କ ଇପିଏଫ ଓ ଇଏସଆଇ ପାଣ୍ଠି ଦାଖଲରେ ମଧ୍ୟ ଖିଲାପୀ ହୋଇନଥିବ । ତା’ଛଡ଼ା କେବଳ ଲାଭରେ ଚାଲୁଥିବା ଉଦ୍ୟୋଗଗୁଡ଼ିକ ନିଜର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେଇପାରିବେ ବୋଲି ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ଏ ସମସ୍ତ ସର୍ତ୍ତକୁ ପୂରଣ କରୁଥିବା ସରକାରୀ ଉଦ୍ୟୋଗ ସଂଖ୍ୟା ବେଶ୍ ସୀମିତ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟ କର୍ମଚାରୀମାନଙ୍କୁ ପୂର୍ବରୁ ୫୦ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ୨୦୨୪ ମାର୍ଚ୍ଚ ୧୪ତାରିଖରେ ତତକାଳୀନ ସରକାର ଏହି ମହଙ୍ଗା ଭତ୍ତାକୁ ୪୬%ରୁ ୫୦ପ୍ରତିଶତକୁ ବୃଦ୍ଧି କରିଥିଲେ ।

Related story