Advertisment

ରତ୍ନଭଣ୍ଡାର ଚାବିକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କ ବିସ୍ଫୋରକ ବୟାନ

‘ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା। ଯେଉଁ ଡୁପ୍ଲିକେଟ୍ ଚାବି ମିଳିଲା, ସେଥିରେ ତାଲା ଖୋଲିଲାନି। ଏ କ’ଣ ପିଲା ଖେଳ ଚାଲିଛି।’

ଅଦ୍ୟତନ ହୋଇଛି
Jagannath Swain Mohapatra

Jagannath Swain Mohapatra

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ରହସ୍ୟ ରହିଛି। ତଦନ୍ତ ହେଲେ ସବୁ ସତ ଜଣାପଡ଼ିବ। ଆଜି ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି  ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ଏହା ସହିତ ସେ ଏହି ପ୍ରସଙ୍ଗରେ ରାଜ୍ୟର ପୂର୍ବ ସରକାର ଓ ପୁରୀର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ସମାଲୋଚନା କରିଛନ୍ତି। 

Advertisment

ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି ହଜିଗଲା। ଯେଉଁ ଡୁପ୍ଲିକେଟ୍ ଚାବି ମିଳିଲା, ସେଥିରେ ତାଲା ଖୋଲିଲାନି। ଏ କ’ଣ ପିଲା ଖେଳ ଚାଲିଛି। ସାଢ଼େ ୪ କୋଟି ଓଡ଼ିଆ ଛି ଛି କରୁଛନ୍ତି। କେତେ ଦୁଃଖଦାୟକ ଏ ଘଟଣା। ଏଇଟା ଅସୁନ୍ଦର କଥା। ଏହା ଆଦୌ ଠିକ୍ ନୁହେଁ। ୟା ପଛରେ ଅଲଗା ରହସ୍ୟ ରହିଛି। ଦେଖନ୍ତୁ, ଆଗକୁ କେତେ ରହସ୍ୟ ଉନ୍ମୋଚିତ ହେବ। ରତ୍ନଭଣ୍ଡାରରେ କ’ଣ ଅଛି କି ନଅଛି ଆଗ ଦେଖନ୍ତୁ। ରତ୍ନଭଣ୍ଡାର ଖୋଲି ଯାଞ୍ଚ କଲା ପରେ ସବୁ ଜଣାପଡ଼ିବ। ବହୁ ଆଗରୁ ମୁଁ ରତ୍ନଭଣ୍ଡାର ଖୋଲିବା ନେଇ କହି ଆସିଥିଲି। କିନ୍ତୁ କେହି ଶୁଣିଲେନି। ପୂର୍ବ ସରକାର ଭାବିଥିଲେ ସେମାନେ ପୁଣି ସରକାର ଗଢ଼ିବେ ଓ ଯେମିତି ଡ୍ରାମା ଚାଲିଛି ତାହା ସେମିତି ଜାରି ରହିବ।

ଯେଉଁ ଚାବି ନେଇ ରତ୍ନଭଣ୍ଡାରର ତାଲା ଖୋଲିବାକୁ ଚେଷ୍ଟା କରାଯାଇଥିଲା, ତାହା ସେହି ତାଲାର ନୁହେଁ। ଚାବିକୁ ଫିଙ୍ଗି ଦିଆଯାଇଛି। ପୂର୍ବରୁ ଜିଲ୍ଲାପାଳ ଥିବା ଅରବିନ୍ଦ ଅଗ୍ରୱାଲ ଏହି କାମ କରିଛନ୍ତି। ସେ ଯେତେବେଳେ ଜିଲ୍ଲାପାଳ ଥିଲେ ସେତେବେଳେ ଚାବି ମିଳି ନଥିଲା। ଚାବି ହଜିଗଲା ବୋଲି ସେ କହିଥିଲେ। ପୁଣି କହିଲେ ଚାବି ଖାମ୍‌ରେ ପଳେଇ ଆସିଲା। କେତେବେଳେ କହିଲେ ଟ୍ରେଜେରୀରେ ଚାବି ଥିଲା। ଏମିତି ସବୁ କରି କଥାଟାକୁ ଗୋଳମାଳିଆ କରି ଦେଲେ। ସେଥିରେ ଆଉ କିଛି ବ୍ୟକ୍ତି ଓ ଅଫିସର ମଧ୍ୟ ସଂପୃକ୍ତ ଥିଲେ। ଯେହେତୁ ରତ୍ନଭଣ୍ଡାର ଭିତରେ କିଛି ଅସୁନ୍ଦର ଜିନିଷ ହୋଇଛି, ତେଣୁ ଚାବି ଫିଙ୍ଗି ଦିଆଯାଇଥିଲା। ତା’ ଭିତରେ କିଛି ନି କିଛି ଅଘଟଣ ନିଶ୍ଚୟ ଘଟିଛି। ଏହାର ତଦନ୍ତ ହେଉ। ତଦନ୍ତ ହେଲେ ସବୁ ଜଣାପଡ଼ିଯିବ ବୋଲି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। 

Advertisment

ରତ୍ନଭଣ୍ଡାର ଭିତରେ ଆହୁରି ଗୃହ ଥିବା କହିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମାରୀର ଚାବି ଅଛି ନା ନାହିଁ ଦେଖନ୍ତୁ। କ’ଣ ଜିନିଷ ଅଛି ବା ନଅଛି ତାହା ଦେଖାଯାଉ। ଗଣତି ମଣତି କରାଯାଉ। ଆହୁରି ବହୁତ ଘଟଣା ଘଟିବ। ତା’ ଭିତରେ ଆହୁରି ଗୃହ ଅଛି। ଯେତେବେଳେ ରଘୁନାଥ ବେଶ ହୋଇଥିଲା, ମହାପ୍ରଭୁ ଜଗନ୍ନାଥ ଶହ ଶହ ମହଣ ସୁନା ପିନ୍ଧିଥିଲେ। ତାହା ନିଶ୍ଚୟ ଥିବ। ସେଗୁଡ଼ିକ କ’ଣ ବାହାରେ ଥିବ? ସେଗୁଡ଼ିକୁ ନିଶ୍ଚିତ ଅନ୍ୟ କୌଣସି ଗୃହରେ ଚାବି ପକାଯାଇ ରଖାଯାଇଥିବ। ୧୨୮ ବର୍ଷ ତଳେ ପ୍ରଭୁଙ୍କର ରଘୁନାଥ ବେଶ ହୋଇଥିଲା। ରାଜାମାନେ ଗୁପ୍ତ ଗୃହ ରଖିଥାଆନ୍ତି। ଗୁପ୍ତ ଗୃହରେ ଲୋକମାନେ ଦାନ କରିଥିବା ହୀରା, ନୀଳା, ମୋତିମାଣିକ୍ୟ ଆଦି ରହିଥାଏ। ଗୁପ୍ତ ଗୃହ ଅଛି। ଦେଖିବେ ରତ୍ନଭଣ୍ଡାରରୁ ନିଶ୍ଚିତ ଗୁପ୍ତ ଗୃହ ବାହାରିବ। ରତ୍ନଭଣ୍ଡାରରେ ଥିବା ସବୁ ଜିନିଷର ଗଣତି ମଣତି ହୋଇ ଲୋକଙ୍କୁ ତଥ୍ୟ ଦିଆଯାଉ। ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି। ସେହିପରି ରତ୍ନଭଣ୍ଡାରକୁ ଭଲ ଭାବେ ଯାଞ୍ଚ କରାଯାଇ, ତା’ର ସଂପୂର୍ଣ୍ଣ ମରାମତି କରାଯାଉ। ଅଧା କାମ କରା ନଯାଉ। 

ଆସନ୍ତା ୧୮ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ପୁଣିଥରେ ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ। ଖଟସେଜ ଘରେ ହୋଇଥିବା ଅସ୍ଥାୟୀ ଭିତର ଭଣ୍ଡାରକୁ ଏହା ସ୍ଥାନାନ୍ତରିତ ହେବ। ଏହି ସମସ୍ତ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ କରାଯିବ। ଗତ ୧୫ ତାରିଖ ଦିନ ଭିତର ଭଣ୍ଡାର ମୁଖ୍ୟ ଦ୍ୱାରରେ ଲାଗିଥିବା ୩ଟି ଯାକ ତାଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ନ ଖୋଲିବାରୁ ତାଲାଗୁଡିକୁ ଭାଙ୍ଗି କମିଟି ପ୍ରବେଶ କରିଥିଲେ। କିନ୍ତୁ ସମୟ ଅଭାବରୁ ସ୍ଥାନାନ୍ତର ପ୍ରକ୍ରିୟା ସମ୍ଭବପର ହୋଇ ପାରି ନଥିଲା। ସେହିଦିନ ଭିତର ଭଣ୍ଡାର ଦ୍ୱାରରେ ଭଙ୍ଗାଯାଇଥିବା ୩ଟି ଯାକ ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା କରାଯାଇଛି। ଏଥି ସହିତ ୨ଟି ନୂଆ ତାଲା ପକାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରି ତାହାର ଚାବିକୁ ମଧ୍ୟ ଟ୍ରେଜେରିରେ ଜମା କରାଯାଇଛି। ସେହି ଚାବି ଆଣି ୧୮ ତାରିଖରେ ନୂଆ ତାଲା ଖୋଲାଯିବ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଗତ ୧୪ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥି୍ଲା। ମାର୍ଗଦର୍ଶିକା ଅନୁସାରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନ ଭଣ୍ଡାର ୩ଟି ଚାବି ରହିଥାଏ। ଗୋଟିଏ ଚାବି ଶ୍ରୀମନ୍ଦିର ପ୍ରଶାସନ ନିକଟରେ, ଗୋଟିଏ ଚାବି ଭଣ୍ଡାର ମେକାପ ଏବଂ ଶେଷ ଚାବି ଗଜପତି ମହାରାଜଙ୍କ ପ୍ରତିନିଧିଙ୍କ ନିକଟରେ ଥାଏ। ଏହି ତିନୋଟି ଚାବି ବ୍ୟବହାର କରି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ବାହାର ରତ୍ନ ଭଣ୍ଡାରରେ ଥିବା ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା। ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଜିନିଷ ସ୍ଥାନାନ୍ତର ଶେଷ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଏହାର ମରାମତି ପାଇଁ ହସ୍ତାନ୍ତର କରାଯିବ । ପ୍ରତ୍ନତତ୍ତ୍ୱ ବିଭାଗ ମରାମତି ଶେଷ କରିବା ପରେ ପୁଣିଥରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାର ଭିତରକୁ ନିଆଯିବ । ଏବଂ ରତ୍ନଭଣ୍ଡାର ଭିତରେ ହିଁ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଗଣତି ତଥା ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe