Advertisment

ନର୍ସିଂ ହୋମ୍‌ରେ ନକଲି ଡାକ୍ତର! ସିଲ୍‌ କଲା ପ୍ରଶାସନ

ନର୍ସିଂ ହୋମ୍‌ର ଜଣେ ଡାକ୍ତର ମଧ୍ୟ ନକଲି ବୋଲି ଜଣାପଡ଼ିଛି। ରୋଗୀ ସେବା ପାଇଁ ଡାକ୍ତରଙ୍କର ସେପରି କୌଣସି ଯୋଗ୍ୟତା ସାର୍ଟିଫିକେଟ ନାହିଁ।

ଅଦ୍ୟତନ ହୋଇଛି
Talcher

Talcher

Advertisment

ରୋଗୀଙ୍କ ଜୀବନ ସହ ଖେଳ। ଦିନେ ନୁହେଁ କି ମାସେ ନୁହେଁ, ବର୍ଷ ବର୍ଷ ଧରି ରୋଗୀ ସେବା ନାଁରେ ଚାଲିଥିଲା ସାଂଘାତିକ ଖେଳ। ନକଲି ଡାକ୍ତର କରୁଥିଲେ ଲୋକଙ୍କ ଚିକିତ୍ସା। କେବଳ ସେତିକି ନୁହେଁ, ପ୍ରତିଦିନ ଶତାଧିକ ଲୋକ ଆସୁଥିବା ନର୍ସିଂ ହୋମର ଲାଇସେନ୍ସ ମଧ୍ୟ ୨୦୧୯ରୁ ଆଉ ନବୀକରଣ କରାଯାଇ ନାହିଁ। ତାଳଚେରରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ଘଟଣା ସାମ୍ନାକୁ ଆସିବା ପରେ ଆଜି ତାଳଚେର ଥର୍ମାଲ ସ୍ଥିତି ଉକ୍ତ ନର୍ସିଂ ହୋମ୍‌କୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ତାଳଚେର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଢ଼ଉ କରି ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ ନର୍ସିଂ ହୋମ୍‌ର ଲାଇସେନ୍ସ ୨୦୧୯ ମସିହାରୁ ନବୀକରଣ ହୋଇନଥିଲା।

ନର୍ସିଂ ହୋମ୍‌ର ଜଣେ ଡାକ୍ତର ମଧ୍ୟ ନକଲି ବୋଲି ଜଣାପଡ଼ିଛି। ରୋଗୀ ସେବା ପାଇଁ ଡାକ୍ତରଙ୍କର ସେପରି କୌଣସି ଯୋଗ୍ୟତା ସାର୍ଟିଫିକେଟ ନାହିଁ। ସଂପୃକ୍ତ ଡାକ୍ତରଙ୍କୁ ପୁଲିସ୍‌ ଥାନାକୁ ଆଣି ପଚରାଉଚରା କରୁଛି।

Advertisment

ମିଳିଥିବା ସୂଚନା ଅନୁସାରେ, ତାଳଚେର ଥର୍ମାଲ ସ୍ଥିତ ଚାଇଁପାଳ ଓଭର ବ୍ରିଜ ନିକଟରେ ରହିଛି ପୁରୁଷୋତ୍ତମ ନର୍ସିଂ ହୋମ। ଜଣେ ବ୍ୟକ୍ତି ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଏହାକୁ ଚଳାଉଥିଲେ। କିନ୍ତୁ ବାସ୍ତବରେ ତାଙ୍କ ପାଖରେ ରୋଗୀ ସେବା ପାଇଁ କୌଣସି ପ୍ରମାଣପତ୍ର ନଥିଲା। ଏପରି ଅଭିଯୋଗ ପରେ ନକଲି ଡାକ୍ତରଙ୍କୁ ପୁଲିସ୍‌ ପୂରା ଫିଲ୍ମ ଷ୍ଟାଇଲରେ ଧରିଛି।

ସେ ନର୍ସିଂ ହୋମରେ ଦୀର୍ଘ ଦିନ ହେଲା ରୋଗୀ ସେବା ଯୋଗାଇ ଆସୁଥିଲେ। କିନ୍ତୁ ସେ ରୋଗୀଙ୍କୁ ଭୁଲ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ପରେ ତାଳଚେର ଥାନାର କିଛି ପୁଲିସ କର୍ମଚାରୀ ରୋଗୀ ବେଶରେ ଉକ୍ତ ନର୍ସିଂ ହୋମରେ ଚିକିତ୍ସା ହେବାକୁ ଯାଇଥିଲେ। ଏହି ସମୟରେ ନକଲି ଡାକ୍ତର ପ୍ରଦୀପ ବେହେରାଙ୍କ ଅସଲ ମୁଖା ଖୋଲି ଯାଇଥିଲା।

ପୁଲିସ୍‌ ଠାରୁ ଖବର ପାଇ ତାଳଚେର ଉପଜିଲ୍ଲାପାଳ ମନୋଜ ତ୍ରିପାଠୀ, ତାଳଚେର ଏସଡିପିଓ ମାନସ ବାରିକ, ତହସିଲଦାର ରୋଜାଲିନ ବେହେରା ଓ ତାଳଚେରର ସରକାରୀ ଡାକ୍ତରଖାନାର ଗୋଟିଏ ଡାକ୍ତରୀ ଟିମକୁ ଧରି ଉପଖଣ୍ଡ ପ୍ରଶାସନ ରେଡ କରିଥିଲା।

ଚଢ଼ଉ ବେଳେ ଜଣାପଡ଼ିଥିଲା ଯେ ଏଠାରେ କେବଳ ନକଲି ଡାକ୍ତର ନାହାନ୍ତି, ବରଂ ପୁରୁଷୋତ୍ତମ ନର୍ସିଂ ହୋମର ପଞ୍ଜିକରଣ ୨୦୧୯ ମସିହାରୁ ଆଉ ନବୀକରଣ ହୋଇନାହିଁ। ଏଥିଯୋଗୁ ନର୍ସିଂ ହୋମକୁ ସିଲ କରାଯାଇଛି। ସେହିପରି ବିନା ପ୍ରମାଣପତ୍ରରେ ଲୋକଙ୍କ ଜୀବନ ସହ ଖେଳୁଥିବା ନକଲି ଡାକ୍ତର ପ୍ରଦୀପ ବେହେରାଙ୍କୁ ଅଧିକ ପଚରାଉଚରା ପାଇଁ ପୁଲିସ୍‌ ଥାନାକୁ ନେଇ ଯାଇଛି।

ଅନ୍ୟପକ୍ଷରେ ପ୍ରଦୀପ ବେହେରା କହିଛନ୍ତି ଯେ ବିଶେଷଜ୍ଞ ଡାକ୍ତରମାନେ ଏଠାକୁ ଚିକିତ୍ସା କରିବାକୁ ଆସନ୍ତି। ସେହିପରି ସେମାଙ୍କ ଅନୁପସ୍ଥିତିରେ ଆମେ ରୋଗୀଙ୍କୁ ସେମାନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରାଉ। ସେମାନଙ୍କ ପରାମର୍ଶ ପରେ ରୋଗୀଙ୍କୁ ଔଷଧ ଦିଆଯାଏ। ଡାକ୍ତର ଡି ମାଝୀଙ୍କ ଅଧୀନରେ ଆମେ କୋର୍ସ କରିଛୁ। +୨ ପରେ ପଶ୍ଚିମବଙ୍ଗରୁ ପ୍ରମାଣପତ୍ର ମିଳିଥିଲା। ପୁଲିସ୍‌ ଯାହା ମାଗିବ, ସେ ସମ୍ପର୍କରେ ପ୍ରମାଣ ଦିଆଯିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ରିପୋର୍ଟ: ମନିଲ ମହାରଣା

Odisha Fake Doctor Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe