୧ଟଙ୍କା ପ୍ରିମିୟମରେ ମିଳିବ ପ୍ରଧାନମନ୍ତ୍ରୀ ଫସଲ ବୀମା

ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ । ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ।

ଲୋକସଭା ଭବନ।

  • Published: Thursday, 04 July 2024
  • , Updated: 05 July 2024, 06:40 PM IST

ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଫସଲ ପାଇଁ ରାଜ୍ୟ ସରକାର ୧୧ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବେ । ଏହାସହିତ ପ୍ରତ୍ୟେକ ଚାଷୀଙ୍କୁ ଏକ ଟଙ୍କା ପ୍ରିମିୟମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସୁବିଧା ମଧ୍ୟ ମିଳିବ । ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ତେବେ ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାସହିତ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଓ ଜିଲ୍ଲାସ୍ତରରେ ଫସଲ ଋଣ ସୀମା ଧାର୍ଯ୍ୟ କରାଯାଇଛି ।

ରାଜ୍ୟ ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ୨୦୨୪ ଖରିଫ ଋତୁରେ ଚାଷୀଙ୍କୁ ୧୧ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୩ ଖରିଫ ଋତୁରେ ମୋଟ ୯୫୦୦କୋଟି ଟଙ୍କାର ଫସଲ ଋଣ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଚାଷୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ୯୭୧୮.୦୪କୋଟି ଟଙ୍କାର ଫସଲ ଋଣ ମୋଟ ୧୮ଲକ୍ଷ ୯୮ହଜାର ୬୪୮ଜଣ ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ସେହିପରି ୨୦୨୩ ରବି ଋତୁରେ ୮୮୮୮.୨୪କୋଟି ଟଙ୍କାର ଫସଲ ଋଣ ଚାଷୀଙ୍କୁ ଦିଆଯାଇଛି ।

ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୧୧ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦିଆଯିବ । ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଚାଷୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ । ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ପ୍ରତିଶତ ସୁଧ ଓ ୩ଲକ୍ଷ ଟଙ୍କାରୁ ଅଧିକ ଋଣ ଉପରେ ବ୍ୟବସାୟିକ ଋଣ ଭଳି ସୁଧ ଦେବାକୁ ପଡ଼ିବ । ଫସଲ ଋଣ ବାବଦ ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କରେ ଥିବା ସଞ୍ଚୟ ଆକାଉଣ୍ଟକୁ ଯିବ ।

ସେହିପରି ସମସ୍ତ ଋଣ ନେଉଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଅଧୀନରେ ପଞ୍ଜିକୃତ ହେବାକୁ ପଡ଼ିବ । ଏଥିପାଇଁ ସେମାନଙ୍କୁ ମାତ୍ର ୧ଟଙ୍କାର ଟୋକେନ୍ ମନି ଦେଇ ଏହି ସୁବିଧା ନେଇପାରିବେ ବୋଲି ସଚିବ ଶ୍ରୀ ପାଟିଲ ସୂଚନା ଦେଇଛନ୍ତି ।

Related story