ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗ୍ରାମରେ ଦେଖି ବାକୁ ମିଳିଛି ଏଭଳି ନିଆରା ପ୍ରୟାସ। ଦେଶୀ କିସମର ଧାନକୁ ସଂଗ୍ରହ କରି ଜୈବିକ ପଦ୍ଧତିରେ ଚାଷ କରି ସଂରକ୍ଷଣ କରୁଛନ୍ତି ବାପା ପୁଅ। ବାପା ହେଲେ ଡା.କୁବେର କାନ୍ତ ପଣ୍ତା,ପେସାରେ ଜଣେ ଆର୍ୟୁରବେଦିକ ଡାକ୍ତର ଆଉ ପୁଅ ହେଉଛନ୍ତି ଜଣେ ସିଭିଲ୍ ଇଞ୍ଜିନିୟର୍।
୨୦୧୧ ମସିହାରେ ୨୬ କିସମ ଦେଶୀ ଧାନ ବିହନ ସଂଗ୍ରହ କରି ଚାଷ ଆରମ୍ଭ କାଥିଲେ। ଏବେ ତାଙ୍କ ପାଖରେ ୧୨୬ ପ୍ରାକାରର ଧାନ ବିହନ ଅଛି। ଯଥା- କଲକତି, ରଘୁସାଏ, ବାସାଭୋଗ, ନଡ଼ିଆ କୋରା, ଗଙ୍ଗା କାଲି, କେତକି ଜୁଆ, କଳା ନମକ, କଳା ଜୀରା, ଟି ସୋନା, ଝିଲି, ଆସାମ ଚୁଡ଼ି, ଜୟ ଚୁଡ଼ି, ରତନ ଚୁଡ଼ି, ସପରୀ, ଗେଲେଇ କେଚି, ବଇଦ ହଣ୍ଡା, ସୁନା ଚୁଡ଼ି, ବାସ ପତ୍ରି, ଖଜୁର ପେଡ଼ି, ସେଟକା, ସକରା, ସାଠେସାଠେ, ବହି ପଦ୍ମା, କୁଲିହା, ଚିଙ୍ଗେର, ଶୁଲିଆ, ଗିଧନ, ମାଗୁରା, ମାଗୁରା ଗୋରୀ, ବାହାଲ ଗୋରୀ, ମହିପାଳ, ଜଳଘଣ୍ଟା, ଲଙ୍କେଶ, ରାୟଗଡ଼ି, ମେନକା, ବିଲେଇ କାଠି, ସୁରଡ଼ା, ଗୋରୀ, ସୁହୁରା, ସୁକୁଳ ପୁରା, କଲଚି, ବୁଟା ବୁରେ, ପୋଟି କଁକରିଆ, ଆମରୁଲା, ରାଜ ଗୋଏନ୍ଦି, ଚେରେ ଗୁଡ଼ି, ଡ଼ୁମେର ଫୁଲ, ରାଖି, ମୁସୁରୀ, କୁସ ଖୁଟଲା, କାଳି କରଞ୍ଜି, ବେଢା କରଞ୍ଜି, ଆଟ କରଞ୍ଜି ଏଭଳି ଆହୁରି ଅନେକ ବିଲୁପ୍ତ ଧାନ ବିହନ ସଂଗ୍ରହ କରି ରଖିଛନ୍ତି ଡା.କୁବେର କାନ୍ତ ପଣ୍ତା ଏବଂ ପୁଅ।
ଡ଼ା. କୁବେର ପଣ୍ଡା ନିଜର ୧୦ ଏକର ଜମିରେ ୯୬ ପ୍ରକାରର ଧାନ ଚାଷ କରିଛନ୍ତି। ଏହି ଦେଶୀ କିସମ ଧାନ ସବୁ ନୂଆପଡ଼ା, କଳାହାଣ୍ତି, ବଲାଙ୍ଗିର, ବରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାରୁ ସଂଗ୍ରହ କରନ୍ତି। ୧୨ ବର୍ଷ ଭିତରେ ସେ ୧୨୬ କିସମର ଲୁପ୍ତ ପ୍ରାୟ ଧାନ ସଂଗ୍ରହ କରିଛନ୍ତି। ଏହି ସଂଗୃହୀତ ଧାନକୁ ଜୈବିକ ପଦ୍ଧତିରେ ନିଜ ଜମିରେ ଚାଷ କରୁଛନ୍ତି। କୌଣସି ରାସାୟନିକ ସାର କିମ୍ୱା କିଟନାସକ ପ୍ରୟୋଗ କରୁନାହାନ୍ତି।
ଏହି ଲୁପ୍ତ ପ୍ରାୟ ଧାନ ବିହନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ କୃଷି ମେଳା, ଗାଁ ଗାଁ ବୁଲି କରୁଛନ୍ତି। ବିଭିନ୍ନ ସମୟରେ ଚାଷୀମାନେ ମଧ୍ୟ ତାଙ୍କ ଚାଷକୁ ଦେଖିବାକୁ ଆସିଥାନ୍ତି। ଆଗ୍ରହୀ ଚାଷୀଙ୍କୁ ସେ ମାଗଣାରେ ବିହନ ଯୋଗାଇ ଦିଅନ୍ତି। ଡା.କୁବେର କାନ୍ତ ପଣ୍ତା କହିଛନ୍ତି ଶରୀରକୁ ନିରୋଗ ରଖିବାକୁ ଦେଶୀ ଧାନର ବ୍ୟବହାର କରିବା ଜରୁରୀ ବୋଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।