Advertisment

ଅର୍ଥ ବିଭାଗର ତାଗିଦ୍‌: ଇଲେକ୍ଟ୍ରି ଗାଡ଼ି କିଣିନଥିବା କର୍ମଚାରୀଙ୍କଠୁ ଆଦାୟ କର ସୁଧ ସହ ଅଗ୍ରୀମ ଟଙ୍କା, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅ

ରାଜ୍ୟ ସରକାରୀ କର୍ମଚାରୀମାନେ ଇଲେକ୍ଟ୍ରି ମୋଟର ଯାନ ଆଡଭାନ୍ସ(ଅଗ୍ରୀମ ଟଙ୍କା) ନେଇ ତା’ର ଦୁରୂପଯୋଗ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

author-image
Ordigital Desk
undefined

Lokaseva Bhaban

ଇଲେକ୍ଟ୍ରିଚାଳିତ ମୋଟର ଯାନ ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ଦେଉଥିବା ୨ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଅଗ୍ରୀମ ଅର୍ଥର ଦୁରୂପଯୋଗର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଇଲେକ୍ଟ୍ରି ଗାଡ଼ି କିଣିବା ନାଁରେ ଆଡଭାନ୍ସ ଟଙ୍କା ନେଇ ତା’ର ଦୁରୂପଯୋଗ କରିଥିବା ଅଫିସର ଓ କର୍ମଚାରୀଙ୍କଠୁ ବାର୍ଷିକ ୧୨.୫% ସୁଧ ସହ ସମସ୍ତ ଆଡଭାନ୍ସ ଟଙ୍କା ଚଳିତମାସ ଶେଷସୁଦ୍ଧା ଆଦାୟ କରିବା ଓ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି ।

Advertisment

ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସତ୍ୟବ୍ରତ ରାଉତ ଏନେଇ ସମସ୍ତ ବିଭାଗର ସଚିବ,ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ରାଜ୍ୟ ସରକାରୀ କର୍ମଚାରୀମାନେ ଇଲେକ୍ଟ୍ରି ମୋଟର ଯାନ ଆଡଭାନ୍ସ(ଅଗ୍ରୀମ ଟଙ୍କା) ନେଇ ତା’ର ଦୁରୂପଯୋଗ କରୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି । ତେଣୁ ଯେଉଁ କର୍ମଚାରୀମାନେ ଇଲେକ୍ଟ୍ରି ଗାଡ଼ି କିଣିବା ପାଇଁ ଆଡଭାନ୍ସ(ଅଗ୍ରୀମ ଟଙ୍କା) ନେଇଛନ୍ତି ସେମାନେ ନିଶ୍ଚିତ ଭାବେ ଏହି ଟଙ୍କା ନେବାର ୩ମାସ ମଧ୍ୟରେ ଗାଡ଼ି କିଣାର ବିଲ୍‌, ରେଜିଷ୍ଟ୍ରେସନ ସାର୍ଟଫିକେଟ୍ ଓ ବୀମା ଦସ୍ତାବିଜ୍ ନିଜର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ଯିଏ ଏଥିରୁ ବିଚ୍ୟୁତ ହେବେ ତାଙ୍କଠୁ ବାର୍ଷିକ ୧୨.୫ ପ୍ରତିଶତ ସୁଧ ହାରରେ ସେ ନେଇଥିବା ଅଗ୍ରୀମ ଅର୍ଥ ଆଦାୟ କରାଯିବ ।

ସେହିପରି ଯେଉଁ କର୍ମଚାରୀମାନେ ଏହି ଅଗ୍ରୀମ ଟଙ୍କାର ଦୁରୂପଯୋଗ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଓଡ଼ିଶା ପ୍ରଶାସନିକ ସେବା(ସିସିଆଣ୍ଡଏ) ରୁଲସ-୧୯୬୨ ଅନୁସାରେ ନିଶ୍ଚିତ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ସଚିବମାନଙ୍କୁ କୁହାଯାଇଛି । ଏହାସହିତ ସେମାନେ ନେଇଥିବା ଆଡଭାନ୍ସ ଟଙ୍କାକୁ ବାର୍ଷିକ ୧୨.୫ ପ୍ରତିଶତ ସୁଧ ସହ ଚଳିତମାସ ୩୧ତାରିଖ ସୁଦ୍ଧା ଆଦାୟ କରିବାକୁ କୁହାଯାଇଛି । ଏହି ଫେରସ୍ତ ଟଙ୍କାକୁ ସେମାନେ ସରକାରଙ୍କ କେଉଁ ଆକାଉଣ୍ଟରେ ଜମା କରିବେ ସେ ନେଇ ମଧ୍ୟ ଅର୍ଥ ବିଭାଗ ଆବଶ୍ୟକ ସୂଚନା ଦେଇଛି ।

Advertisment

ସୂଚନାଯୋଗ୍ୟ, ରାଜ୍ୟ ସରକାର ଇଲେକ୍ଟ୍ରିଚାଳିତ ମୋଟର ଯାନ ଚଳପ୍ରଚଳକୁ ପ୍ରୋତ୍ସାହିତ କରିବା ନିମନ୍ତେ ନିଜର କର୍ମଚାରୀମାନଙ୍କୁ ୨ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଅଗ୍ରୀମ ଅର୍ଥ ଯୋଗାଇ ଦେବାକୁ ଦେବାକୁ ଗତ ମାର୍ଚ୍ଚ ମାସରେ ନିଷ୍ପତ୍ତି ନେଇଥିଲେ । ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନେ ଗାଡ଼ି କିଣିବା ପାଇଁ ଏହି ଆଡଭାନ୍ସ ନେଇପାରିବେ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ କର୍ମଚାରୀଙ୍କୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ଆକାରରେ ନେବାର ପ୍ରାବଧାନ ରହିଛି ।

Electric Vehicle Odisha Government