Advertisment

ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ FIR ଦେଲେ ବରିଷ୍ଠ ଡାକ୍ତର

ଅପମାନ ସହି ନପାରି ଡାକ୍ତର ପ୍ରଧାନ ବୈଠକରୁ ଉଠି ଆସିଥିଲେ। ଏଥିରେ ସେ ବ୍ୟଥିତ ହୋଇଥିଲେ। ବୈଠକରେ ହୋଇଥିବା ଦୁର୍ବ୍ୟହାର ନେଇ ଡାକ୍ତର ପ୍ରଧାନ ଜିଲ୍ଲା ଡାକ୍ତରୀ ସଂଘରେ ଅଭିଯୋଗ କରିଥିଲେ।

Boudh

Boudh

Advertisment

ବୌଦ୍ଧ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନାଁରେ FIR। ଆଉ ଏହି FIR ଦେଇଛନ୍ତି ଜଣେ ସରକାରୀ ମେଡ଼ିକାଲ୍‌ରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର। ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ବିଚରା ଥାନା ଅଧିକାରୀ FIRକୁ ଧରି ଦ୍ୱନ୍ଦ୍ୱରେ ପଡ଼ିଛି। କ’ଣ କରିବେ ଭାବିପାରୁ ନାହାନ୍ତି। ସେପଟେ ଡାକ୍ତରଙ୍କ ରଣ ହୁଙ୍କାରକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ।

Advertisment

ଶୁକ୍ରବାର ସନ୍ଧ୍ୟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଜେ. ସୋନାଲ୍‌, ଏସ୍‌ପି ରାଜ ପ୍ରସାଦ ସମେତ ସବୁ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ହେଲେ ସିଡିପିଓ ଡାକ୍ତର ଜୟକୃଷ୍ଣ ମିଶ୍ର ଆସିନଥିଲେ। ସିଡିପିଓଙ୍କ ସ୍ଥାନରେ ଡିପିଏଚ୍‌ଓ ଡାକ୍ତର ମଦନ ମୋହନ ପ୍ରଧାନ ବୈଠକରେ ସାମିଲ୍‌ ହୋଇଥିଲେ। ବୈଠକରେ ଆଲୋଚନା ଚାଲିଥିବା ବେଳେ ଟ୍ରମା କେୟାର ସମ୍ପର୍କିତ ପ୍ରଶ୍ନରେ ଉତ୍ତର ଦେଉଥିଲେ ଡାକ୍ତର ପ୍ରଧାନ। ହେଲେ ଜିଲ୍ଲାପାଳ ଓ ଏସ୍‌ପି କିଛି ଶୁଣିବା ପରିବର୍ତ୍ତେ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି। ଖାଲି ଦୁର୍ବ୍ୟହାର ନୁହେଁ, ବୈଠକରୁ ବାହାରିଯିବା ପାଇଁ ଉଭୟେ କହିଥିବା ଅଭିଯୋଗ ହୋଇଛି।

ଅପମାନ ସହି ନପାରି ଡାକ୍ତର ପ୍ରଧାନ ବୈଠକରୁ ଉଠି ଆସିଥିଲେ। ଏଥିରେ ସେ ବ୍ୟଥିତ ହୋଇଥିଲେ। ବୈଠକରେ ହୋଇଥିବା ଦୁର୍ବ୍ୟହାର ନେଇ ଡାକ୍ତର ପ୍ରଧାନ ଜିଲ୍ଲା ଡାକ୍ତରୀ ସଂଘରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଓ ମେଡ଼ିକାଲ୍‌ କର୍ମଚାରୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଜିଲ୍ଲାପାଳ ଓ ଏସ୍‌ପିଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ। ଏହାର ପ୍ରତିବାଦରେ ଆଜି ସକାଳଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ମେଡିକାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ କରିଛନ୍ତି। ମେଡ଼ିକାଲ୍‌ କର୍ମଚାରୀଙ୍କ ଏହି ଆନ୍ଦୋଳନରେ ସିଡିପିଓ ଓ ଏଡିଏମ୍‌ଓ ମଧ୍ୟ ସାମିଲ୍‌ ହୋଇଛନ୍ତି। ଜିଲ୍ଲାପାଳ ଓ ଏସ୍‌ପି ଭୁଲ୍‌ ମାଗନ୍ତୁ ବୋଲି ସଂଘ ଦାବି କରିଛନ୍ତି।

Advertisment

ଆଜି ଅପରାହ୍ନରେ ଡାକ୍ତର ପ୍ରଧାନ ଏନେଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତେବେ ଏନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Boudh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe