/odisha-reporter/media/post_attachments/uploadimage/library/16_9/16_9_0/IMAGE_1748610772.jpg)
Prasanna Patnaik
କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ସେ ଥିଲେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ପ୍ରସନ୍ନ। ତେଣୁ ତାଙ୍କର ଚିକିତ୍ସା ଜାରି ରହିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପ୍ରସନ୍ନ ପଟ୍ଟନାୟକଙ୍କ ମରଶରୀର ଆଜି କାମାକ୍ଷାନଗରରେ ପହଞ୍ଚିବା ପରେ ପ୍ରବଳ ବର୍ଷା ସତ୍ତ୍ୱେ ବହୁ ଲୋକ ତାଙ୍କୁ ଶେଷ ବିଦାୟ ଜଣାଇବାକୁ ଉପସ୍ଥିତ ରହିଥିଲେ। କାମାକ୍ଷାନଗର ଓକିଲ ସଂଘ, ସାମ୍ବାଦିକ ସଂଘ ଓ ବଣିକ ସଂଘଠାରୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ଦଳର ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପ୍ରସନ୍ନ ପଟ୍ଟନାୟକ ତିନି ଥର କାମାକ୍ଷାନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୭ ମସିହାରେ ଛାତ୍ର ରାଜନୀତିରୁ ସିଧାସଳଖ ନିର୍ବାଚନ ରାଜନୀତିରେ ପ୍ରବେଶ କରି ମାତ୍ର ୨୮ ବର୍ଷ ବୟସରେ ଜନତା ପାର୍ଟି ଟିକେଟରେ କାମାକ୍ଷାନଗର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ସେ ବିଧାୟକ ରହିଥିଲେ।
ପରେ ୧୯୮୫ରେ ସେ ବିଜେପି ଟିକେଟରେ ସେହି କାମାକ୍ଷାନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ପୂରା ୫ ବର୍ଷ ବିଧାୟକ ରହିଥିଲେ। ୧୯୯୦ରେ ସେ ଜନତା ଦଳ ଟିକେଟରେ କାମାକ୍ଷାନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ପ୍ରସନ୍ନ ପଟ୍ଟନାୟକଙ୍କ ଅମଳରେ କାମାକ୍ଷାନଗର ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ବହୁ ଉନ୍ନତି ହୋଇଥିଲା। କାମାକ୍ଷାନଗର ମହିଳା ମହାବିଦ୍ୟାଳୟ, ବିରାଶାଳ ଆଞ୍ଚଳିକ ମହାବିଦ୍ୟାଳୟ ଓ ଭୁବନ ମହିଳା ମହାବିଦ୍ୟାଳୟ ଭଳି ୧୫ରୁ ଅଧିକ ଶିକ୍ଷାନୁଷ୍ଠାନର ତାଙ୍କ ପ୍ରୟାସରେ ପ୍ରତିଷ୍ଠା ହୋଇଥିଲା।
ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପ୍ରସନ୍ନ (ଫାଇଲ ଫଟୋ)ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଓଡ଼ିଶା ରାଜନୀତିର ଜଣେ କର୍ମଯୋଗୀ ନେତା ଓ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଶିକ୍ଷା, ସାମାଜିକ ସେବା ଏବଂ ରାଜନୈତିକ କ୍ଷେତ୍ରରେ ତାଙ୍କର ଅବଦାନ, ଏବଂ ଆମ ଦଳର ସଂଗଠନକୁ ଦୃଢ଼ କରିବାରେ ତାଙ୍କର ଅସାମାନ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ହୋଇରହିବ। ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଙ୍ଗତ ଆତ୍ମାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ପରିବାରବର୍ଗଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପ୍ରସନ୍ନ ପଟ୍ଟନାୟକ (ଫାଇଲ ଫଟୋ)ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଆମ ଦଳର କାମାକ୍ଷାନଗରର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସରଳ, କର୍ମନିଷ୍ଠ ସ୍ୱଭାବର ବ୍ୟକ୍ତି ଥିଲେ । ଶିକ୍ଷା ସହ କାମାକ୍ଷାନଗରର ବିକାଶ, ଆମ ଦଳର ସଂଗଠନ ଓ ଗାରିମାକୁ ବୃଦ୍ଧି କରିବାରେ ତାଙ୍କର ଯୋଗଦାନ ସ୍ମରଣୀୟ ହୋଇରହିବ । ତାଙ୍କ ବିୟୋଗରେ ଆମ ଦଳ ଜଣେ ଦକ୍ଷ ନେତାଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
