Advertisment

ଫୁଟିଲା ବଣମଲ୍ଲୀ, ମହକିବ ବଣ୍ଡାଘାଟି; ଡାକ୍ତର ହେବେ ବଣ୍ଡା ଛାତ୍ର

ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ।

author-image
Niharika Rout
ଅଦ୍ୟତନ ହୋଇଛି
bonda student

bonda student

ଅନୁନ୍ନତ ବଣ୍ଡା ଘାଟି। ଅଶିକ୍ଷିତ ବଣ୍ଡା ଜାତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏଠି ସବୁ ଅପହଞ୍ଚ । ଏପରି ନାହିଁ ନାହିଁ ଭିତରେ ବି ଉଜ୍ଜୀବୀତ ହୋଇଛି ଆଶା। ବାସ୍ତବ ରୂପ ନେଇଛି ସ୍ୱପ୍ନ । ବଣ୍ଡାଘାଟିରେ ଫୁଟିଥିବା ବଣମଲ୍ଲୀ ଏବେ ସମଗ୍ର ରାଜ୍ୟରେ ମହକିବ । ଡାକ୍ତର ବନିବେ ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି । ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ପାଲଟିବେ ବଣ୍ଡାଘାଟିର ପ୍ରଥମ ଡାକ୍ତର।

Advertisment

ମାଲକାନଗିରି ଜିଲ୍ଲା ଖଇରାପୁଟ ବ୍ଲକ ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଣ୍ଡା ଅଞ୍ଚଳବାସୀଙ୍କ ପାଦ ଖୁସିରେ ତଳେ ଲାଗୁନି। ନିଜ ମାଟିର ପୁଅ ଡାକ୍ତର ହେବାକୁ ଯାଉଛି ଶୁଣି ସେମାନଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି।

Parentsମଙ୍ଗଳା ମୁଦୁଲିଙ୍କ ବାପାମା’ ।

ମାତ୍ର ଏହି ସଫଳତା ଦିନକର ନୁହେଁ। ଏଥିପାଇଁ ବହୁ ଅଭାବ, ଅସୁବିଧା ଓ ପ୍ରତିକୂଳ ପରିସ୍ଥିତିରେ ବି ମଙ୍ଗଳା ମୁଦୁଲିଙ୍କୁ ସଂଘର୍ଷ କରିବାକୁ ପଡ଼ିଛି। ଆଉ ଏହି ସଂଘର୍ଷ ହିଁ ତାଙ୍କୁ ଆଣି ଦେଇଛି ସଫଳତା। ସ୍ୱପ୍ନ ପୂରା ପୂରଣ ହୋଇ ନ ଥିଲେ ବି ଆଉ ତାହା ବେଶି ଦୂର ନୁହେଁ। କାରଣ ଆଉ କିଛି ବର୍ଷ ପରେ ବଣ୍ଡା ଘାଟିର ସେ ପାଲଟିବେ ପ୍ରଥମ ଡାକ୍ତର।

Advertisment

ପୁଅର ସଫଳତା ପାଇଁ ବାପାମା’ ଦିନରାତି ଏକ କରି ଦେଉଥିବା ବେଳେ ମଙ୍ଗଳାଙ୍କ ବାପାମା’ କିନ୍ତୁ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। କାରଣ ନିପଟ ବଣ୍ଡାଘାଟିର ଅଧିବାସୀ ମଙ୍ଗଳାଙ୍କ ବାପାମା’ ପୁଅ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜାଣି ନାହାନ୍ତି। କେବଳ ପୁଅ ଦିନେ ଡାକ୍ତର ହେବ ବୋଲି ଶୁଣି ଖୁସି ହେଉଛନ୍ତି।

ଏପରି ସ୍ଥିତିରେ ନିଜ ସ୍ୱପ୍ନକୁ ଡେଣା ଲଗାଇବାକୁ ଓ ଏହାକୁ ବାସ୍ତବ କରିବାକୁ ଛୋଟ ବେଳୁ ସଂଘର୍ଷ ଜାରି ରଖିଥିଲେ । କାରଣ ଚାରିପଟେ ବଣପାହାଡ଼ ଘେରା ଅଞ୍ଚଳରେ ଏକ ମାଟି କାନ୍ଥ ଓ ନୂଆଁଣିଆ ଚାଳ ଛପର ଘରେ ରହି ଦିନରାତି ସଂଘର୍ଷ ଚଳାଇଥିଲେ ମଙ୍ଗଳା ।

Mangala muduli parents with teacherମଙ୍ଗଳା ମୁଦୁଲିଙ୍କ ବାପାମା’ଙ୍କ ସହ ଶିକ୍ଷକ ।

ମଙ୍ଗଳା ବଣ୍ଡାଘାଟି ସରକାରୀ ସ୍କୁଲରେ ପାଠ ପଢୁଥିବା ବେଳେ ତାଙ୍କ ପ୍ରତିଭା ସମ୍ପର୍କରେ ଜାଣି ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ ସେହି ସ୍କୁଲର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ । ଦଶମ ପାସ କରିବା ପରେ ମାଥିଲି ବଳଦିଆଗୁଡା ଏସଏସଡି ହାଇସ୍କୁଲରେ ସେ ଯୁକ୍ତ ଦୁଇ ବିଜ୍ଞାନ ପାସ କରିଛନ୍ତି।। ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ଭଲ ପାଆନ୍ତି।

ମଙ୍ଗଳା ବିଦ୍ୟାଳୟରେ ପ୍ରଥମ ହେବା ସହ ସମସ୍ତ ବିଷୟରେ ପାରଙ୍ଗମ ଥିଲେ। ଏହାଦେଖି ଶିକ୍ଷକ ଶ୍ରୀ ଦାସ ତାଙ୍କୁ ନିଜର ଉଦ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଲେ। ଯୁକ୍ତ ଦୁଇ ସରିବା ପରେ ସେ କିପରି ଡାକ୍ତର ହେବେ ଏବଂ ନିଜ ଅଂଚଳର ବଣ୍ଡା ସଂପ୍ରଦାୟର ଲୋକଙ୍କୁ ସହଯୋଗ କରିବେ ସେଥିନିମନ୍ତେ ସେ ତାଙ୍କୁ ବାଲେଶ୍ୱର ନେଇଯାଇଥିଲେ।

ସେ ମଙ୍ଗଳାଙ୍କୁ ବାଲେଶ୍ୱରଠୁ ୮ କିମି ଦୂରରେ ଥିବା ନିଜ ଘରେ ରଖାଇବା ସହ ତାଙ୍କ ପାଠପଢ଼ା କଥା ବୁଝାବୁଝି କଲେ। ଏପରିକି ବାଲେଶ୍ୱରରେ ଥିବା ଇରୋଡାଭ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କଲେ। ତାଙ୍କରି ଉଦ୍ୟମ ଓ ସହଯୋଗ ଯୋଗୁ ମଙ୍ଗଳା ମୁଦୁଲି ଡାକ୍ତର ହେବେ । ଏହି ଖବର ପ୍ରଚାର ହେବା ପରେ ଜିଲ୍ଲାରେ ମଧ୍ୟ ଖୁସିର ଲହରି ଖେଳିଯାଇଛି।

Malkangiri Doctor