Advertisment

ଉଜୁଡ଼ିଗଲା ସୁନାର ଫସଲ, ଚିନ୍ତାରେ ଚାଷୀ

ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା।

ଅଦ୍ୟତନ ହୋଇଛି
Banki

Banki

Advertisment

ବର୍ଷା ଆଣିଲା ବିପତ୍ତି। ଉଜାଡି ଦେଲା ଚାଷୀଙ୍କ ସୁନାର ଫସଲ। କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ ଆଉ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ। ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା।

Advertisment

କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଦୁଇ ଦିନ ତଳେ ଶୁଖିଲା ପଡିଥିବା ବିଲରେ ଏବେ ଅଣ୍ଟାଏ ପାଣି। ଆଉ ସେହି ପାଣିରେ ବୁଡିଛି ଚାଷୀର ଫସଲ ଓ ସ୍ୱପ୍ନ। ଏକର ଏକର ଜମିରେ ମାଡିଯାଇଛି ପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ ପାଣି। ହେକ୍ଟର ହେକ୍ଟର ଧାନ ଫସଲ ଧୋଇବାକୁ ବସିଛି। ତଳି ପକାଇ ବର୍ଷାକୁ ଅନାଇ ରହିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି। ଆଠଗଡ଼ର ପରିବା ଅଞ୍ଚଳ ଭାବେ ପରିଚିତ ବାଲି ସାହି ଗାଁରେ ପଶିଛି ମହାନଦୀର ପଛୁଆ ଜଳ ଓ ସାପୁଆ ନଈର ବନ୍ୟାଜଳ। ଧାର କରଜ କରି ଚାଷୀ ଲଗାଇଥିବା ପରିବା ଫସଲକୁ ଉଜାଡ଼ି ଦେଇଛି ବନ୍ୟା ପାଣି। ପୋଟଳ, ଭେଣ୍ଡି, ଜହ୍ନି, କଲରା, ବାଇଗଣ, ଝୁଡଙ୍ଗ ଭଳି ପରିବା ଚାଷ ନଷ୍ଟ ହୋଇଯାଇଛି। ଆହୁରି ଦେଢ ଦୁଇ ମାସ ପରେ ଏସବୁ ପରିବା ତୋଳିଥିଲେ ଚାଷୀ ଭଲ ଲାଭ ପାଇଥାଆନ୍ତା। ହେଲେ କ୍ଷତି ହେବ ଭାବି ବଢିପାଣିକୁ ଦେଖି ତରତର ହୋଇ ଆଗୁଆ ତୋଳିଦେଇଛି। ସମାନ ଚିତ୍ର ଆସିଛି ବଡମ୍ବା ଅଞ୍ଚଳରୁ। ବଡମ୍ବା ବ୍ଳକର କଣ୍ଢା, ବିଶୋନାଥପୁର ଓ ବାଙ୍ଗେରିସିଂହା ଭଳି ନଦୀ କୂଳିଆ ଗାଁରେ ମହାନଦୀର ବନ୍ୟାଜଳ ମାଡି ଯାଇଛି। ଫଳରେ ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ମହାନଦୀର ବନ୍ୟାଜଳରେ ଉବୁଟୁବୁ ବାଙ୍କୀର ବିଭିନ୍ନ ଅଞ୍ଚଳ। ଉଜୁଡି ଯାଇଛି ପରିବା ଫସଲ। ହଠାତ ରାତି ଭିତରେ ପାଣି ଆସି ସବୁ ବୁଡାଇ ଦେଇଛି। ସୋସାଇଟିରୁ ଋଣ ଆଣି ଫସଲ ଫଳାଇଥିବା ଚାଷୀକୁ ଏବେ ଘାରିଛି ଋଣ ସୁଝିବା ଚିନ୍ତା।

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ତୁରିନ୍ତିରା, ପମ୍ଫାଲୋ, କୁରୁଞ୍ଜିପୁର, ରାଜସ ଓ ସୋମଣା ପଞ୍ଚାୟତରେ ଧାନ ଗଛ ପଚି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଚାଷୀଙ୍କ ଆଶା ଉଜାଡିଦେଇଛି ସୋନ ନଈର ବନ୍ୟାପାଣି। ଏକର ଏକର ବିଲରେ ହୋଇଥିବା ଭେଣ୍ଡି, ଜହ୍ନି, ପୋଟଳ, କାକୁଡି ଓ କଖାରୁ ପାଣିରେ ବୁଡି ପଚିବାକୁ ବସିଛି। ସେହିପରି ପୁରୀ ଜିଲ୍ଲା କଣାସରେ ବେକେ ପାଣିରେ ବୁଡିଛି ପରିବା। ଚାଲି ଚାଲି ଯାଉଥିବା ବିଲକୁ ଡଙ୍ଗାରେ ଯିବାକୁ ପଡୁଛି ଚାଷୀକୁ। ଆଖି ଆଗରେ ସୁନାର ଫସଲ ନଷ୍ଟ ହେଉଥିବା ଦେଖି ପାକଳ ହୋଇନଥିବା ପରିବାକୁ ତୋଳି ଆଣୁଛି। ରାଜୁଆ ନଦୀର ବନ୍ୟାଜଳ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶିଥିବା ବେଳେ ବଡାଶ ଓ ଦୋକନ୍ଦା ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe