/odisha-reporter/media/post_attachments/uploadimage/library/16_9/16_9_0/Flood_1753872478.jpg)
Flood
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୩ଜିଲ୍ଲାରେ ବନ୍ୟା ବିତ୍ପାତରେ ୩୦ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜର ଟିମ୍ ସହ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ଆଉ ୭ଦିନ ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ କ୍ଷୟକ୍ଷତି ରିପୋର୍ଟ ଦେବା ପରେ ସରକାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ରାଜ୍ୟର ୩ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିର ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏବଂ ରିଲିଫ କମିଶନର ଦେଓରଞ୍ଜନ ସିଂ ସାମିଲ ଥିଲେ । ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ଲୋକସେବା ଭବନରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ୩ଟି ଜିଲ୍ଲାର ୮ଟି ବ୍ଲକର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ବାଲେଶ୍ୱରର ୪ଟି ବ୍ଲକ-ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ସମେତ ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ ଏବଂ ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟା ଯୋଗୁ ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏବେ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବନ୍ୟାପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ଆଦି ନଦୀରେ ପାଣି କମିବାରେ ଲାଗିଛି । କେନ୍ଦୁଝର ଏବଂ ଅନ୍ୟ କିଛି ଜିଲ୍ଲାରେ ବନ୍ୟା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବନ୍ୟା ପ୍ରଭାବିତ ଅଂଚଳର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ଗରମ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ଫ୍ରି କିଚେନ୍ ବ୍ୟବସ୍ଥା କରାଯାଇଛି । ସମୁଦାୟ ପ୍ରାୟ ୧୦ ହଜାର ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ୭ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟାଜଳ ଛାଡ଼ିବା ପରେ ଯେପରି ଜଳବାହିତ ରୋଗ ବିଶେଷ ନହୁଏ ସେଥିପାଇଁ ଜଳ ଉତ୍ସଗୁଡ଼ିକର ବିଶୁଦ୍ଧିକରଣ ଓ ସାପ କାମୁଡ଼ା ଆଦିର ମୁକାବିଲା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଦେଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ରିପୋର୍ଟ ପହଂଚିବା ପରେ ସରକାର କ୍ଷତିପୂରଣ ଘୋଷଣା କରିବେ ।
ଏହି ୩ଜିଲ୍ଲାରେ ବନ୍ୟା ବିତ୍ପାତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଣିଥରେ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱ ଦେଇଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ବାଲେଶ୍ୱର ଜିଲ୍ଲାରେ ୧୭ଟି ଓଡ୍ରାଫ୍ ଓ ୧୩ଟି ଅଗ୍ନିଶମ ସେବା ଟିମ୍, ଭଦ୍ରକ ଜିଲ୍ଲାରେ ଗୋଟିଏ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଓ ୧୩ଟି ଅଗ୍ନିଶମ ସେବା ଟିମ୍, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ ଓ ୧୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
