Advertisment

ଯନ୍ତ୍ରଣା ଦେଲା ସୁବର୍ଣ୍ଣରେଖା ଓ ଜଳକା; ଭାସୁଛି ଉତ୍ତର ବାଲେଶ୍ୱର

ବାଲିଆପାଳ ବ୍ଲକର ଚୌଧୁରୀକୁଦ ଚଟାଣ ଓ କୁଦମାନସିଂ ମୁଖ୍ୟ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ଯୋଗୁ ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି।

ଅଦ୍ୟତନ ହୋଇଛି
Balasore

Balasore

Advertisment

ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍‌ ଉଚ୍ଚର ପାଣି। ଲୋକମାନେ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର ଲୋକ। କିଏ ଛାତ ଉପରେ ରହିଛି ତ ଆଉ କିଏ ଉଚ୍ଚ ଆଶ୍ରୟ ସ୍ଥଳରେ ଜୀବନ ବିତାଉଛି। କେବେ ଘରକୁ ଫେରିବେ, ତାହାର ହିସାବ କାହା ପାଖରେ ନାହିଁ।

Advertisment

ମିଳିଥିବା ସୂଚନା ଅନୁସାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ଜଳକା। ଜଳେଶ୍ୱର ବ୍ଲକ୍‌ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ୧୦.୩୬ ରହିବା କଥା। ହେଲେ ସେଠାରେ ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୧୧.୫୭ ମିଟର ରହିଛି। ଯାହା ଫଳରେ ବାଲିଆପାଳ, ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ରେ ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ପ୍ରବେଶ କରିଛି। ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ଅନେକ ଗାଁ ଭିତରେ ପ୍ରବେଶ କରିଥିବାରୁ ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଛି।

ଭୋଗରାଇ ବ୍ଲକର ନାଚିନ୍ଦା, ଖରିଦପିମ୍ପଳ, ନହରା, କୁମ୍ଭିରଗଡି, ଆରୁହାବୃତ୍ତି, କୁସୁଡା, ରସଲପୁର; ବାଲିଆପାଳ ବ୍ଲକର ମଧୁପୁରା, ବିଷ୍ଣୁପୁର, ଅସ୍ତି, ଜାମକୁଣ୍ତା, ବାଲିଆପାଳ ପଞ୍ଚାୟତ; ଜଳେଶ୍ୱର ବ୍ଲକର କଣ୍ଟାପାଳ ଇତ୍ୟାଦି ୫୦ରୁ ଅଧିକ ଗାଁକୁ ଜଳ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ବିଶେଷକରି କୁମ୍ଭୀରଗଡି ପଞ୍ଚାୟତରେ କୁହ୍ଲା, ପଂଟେଇ, ଖନାବାଦ, ବାଉଁଶ ଖଣା ଗାଁର ଲୋକମାନେ ଭୁଆଁ ବନ୍ଧରେ ଆଶ୍ରୟ ନେଇଛନ୍ତି। ଆଉ କେତେକ ଲୋକ ଘରର ଆଜବେଷ୍ଟ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ଲୋକମାନେ ଡଙ୍ଗା ଓ ପାୱାର ବୋଟ୍‌ରେ ଯିବା ଆସିବା କରୁଛନ୍ତି।

Advertisment

ବାଲିଆପାଳ ବ୍ଲକର ଚୌଧୁରୀକୁଦ ଚଟାଣ ଓ କୁଦମାନସିଂ ମୁଖ୍ୟ ରାସ୍ତା ଉପରେ ୩ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ଯୋଗୁ ଲୋକମାନେ ଡଙ୍ଗାରେ ଯାତାୟତ କରୁଛନ୍ତି। ଜଳେଶ୍ୱର ବ୍ଲକ୍‌ରେ ଖାଲିନା, କେଏମ ସାହି, ସମ୍ପତିଆ, ନାମ୍ପୋ, ପଶ୍ଚିମ ବାଡ଼ ଅଞ୍ଚଳ ଏବେ ମଧ୍ୟ ପାଣି ଘେରରେ ରହିଛି। ମଣିଷଙ୍କ ପରି ଗୋରୁ ଗାଈଙ୍କ ଅବସ୍ଥା ଦୟନୀୟ ହୋଇଛି। ସେମାନେ କେଉଁଠି ରହିଛନ୍ତି, ତାହାର ହିସାବ କାହା ପାଖରେ ନାହିଁ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଏରିଏଲ୍ ସର୍ଭେ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରମୁଖ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ପରେ ବନ୍ୟା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଯେଉଁଠି ବନ୍ୟା ଜଳ କମୁଛି, ସେଠାରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି।

ମଙ୍ଗଳବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବନ୍ୟାଞ୍ଚଳ ଗସ୍ତ କରିଥିଲେ। ବନ୍ୟା ସ୍ଥିତିର ଅନୁଧ୍ୟାନ କରିଥିଲେ। ବନ୍ୟା ପରେ କେମିତି ମୁକାବିଲା କରାଯିବ ସେନେଇ ବ୍ଲକ୍‌ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଏବେ ବିଭିନ୍ନ ସ୍ଥାନରେ ଓଡ୍ରାଫ, ଏନଡିଆରଏଫ୍ ଟିମ ଓ ଅଗ୍ନିଶମ ବାହିନୀ ମହଜୁଦ ରହିଛନ୍ତି। ଆଜିଠାରୁ ବନ୍ୟା ଜଳ ସାମାନ୍ୟ କମିଛି। ହେଲେ ବିପଦ ମୁକ୍ତି ହୋଇନାହାନ୍ତି ଲୋକମାନେ। ପାଣି କମିନଥିବାରୁ ଲୋକମାନେ ଘରକୁ ଫେରିନାହାନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe