Dillip Ghose
ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ନକରି ଦାୟିତ୍ୱରେ ଅବହେଳା କରିଥିବା ଯୋଗୁ କଲେଜର ପ୍ରିନ୍ସିପାଲ ଦିଲ୍ଲୀପ କୁମାର ଘୋଷଙ୍କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଅଧ୍ୟାପକ ଶ୍ରୀ ସାହୁଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରୀଜଣକ ନିଜ ଦେହରେ ନିଆଁ ଲଗାଇ ଆଜି ଆତ୍ମହୂତି ଉଦ୍ୟମ କରିଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ସାହୁଙ୍କୁ ମଧ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଓ ଏବେ ସେ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ଅନୁସାରେ, ଏଫଏମ କଲେଜରେ ଜୁଲାଇ ୧୨ତାରିଖ(ଆଜି) ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ଏହି କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଉପଯୁକ୍ତ ଢଙ୍ଗରେ ପରିଚାଳନା କରିପାରିନଥିବା ସରକାର ଅନୁଭବ କରିଛନ୍ତି । ଏପରିକି କଲେଜ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ମଧ୍ୟ ତୁଲାଇବାରେ ଶ୍ରୀ ଘୋଷ ବିଫଳ ହୋଇଥିବା ଜଣାପଡ଼ିଛି । ତେଣୁ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବନ କରାଯାଇଛି । ଏହି ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ହେଡକ୍ୱାର୍ଟର ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିବ । ଜିଲ୍ଲାପାଳଙ୍କ ଅନୁମତି ବିନା ସେ ହେଡକ୍ୱାର୍ଟର ଛାଡ଼ିପାରିବେ ନାହିଁ । ସେହିପରି ଅନ୍ୟ ଏକ ନିର୍ଦ୍ଦେଶରେ ଏଜୁକେସନ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କୁ ନିଲମ୍ବନ କରାଯାଇଛି ।
ସୂଚନାଯୋଗ୍ୟ, ବାଲେଶ୍ୱର ଏଫଏମ ସ୍ୱୟଂଶାସିତ କଲେଜର ଦ୍ୱିତୀୟ ବର୍ଷର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଜଣେ ଛାତ୍ରୀ ପ୍ରିନ୍ସିପାଲଙ୍କ ଅଫିସ ନିକଟରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଜୁକେସନ୍ ବିଭାଗର ମୁଖ୍ୟ ସମୀର କୁମାର ସାହୁଙ୍କ ଦ୍ୱାରା ମାନସିକ ନିର୍ଯାତନାର ଶିକାର ହେଉଥିବା ନେଇ ଛାତ୍ରୀଜଣକ ଅଭିଯୋଗ କରିଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେବାରୁ ଏହାର ପ୍ରତିବାଦରେ ଆଜି ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ବଂଚାଇବାକୁ ଚେଷ୍ଟା କରୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁଙ୍କୁ ପୁଲିସ ଅଟକ ରଖିଥିବାବେଳେ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1752328691.jpg)