/odisha-reporter/media/post_attachments/uploadimage/library/16_9/16_9_0/IMAGE_1717844601.jpg)
Puri Temple
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁଣି ଲାଗିଲା ଫୋକସ ଲାଇଟ୍। ଭକ୍ତ ଓ ସେବାୟତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ପରେ ପୁଣି ଥରେ ଫୋକସ ଲାଇଟ୍ ଲଗାଯାଇଛି। ଏଣିକି ପୁଣି ଝଟକିବ ଶ୍ରୀମନ୍ଦିର। ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବି ଥିଲେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ଚାଲିଛି। କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଫକୋସ ଲାଇଟ କାଢିନେଲା, ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ଏହି ଘଟଣାରେ ପୁରୀ ସିଂହଦ୍ୱାର ଥାନା ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ଅଟକ ରହିଥିବା ସମସ୍ତ କର୍ମଚାରୀ ଥାର୍ଡ ୱେଭ୍ ନାମକ ସଂସ୍ଥା ସହ ଜଡ଼ିତ। ତେବେ ଥାର୍ଡ ୱେଭ୍ ସଂସ୍ଥା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଶ୍ରୀମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ହଠାତ୍ ବନ୍ଦ ପରେ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ସ୍ଥାୟୀ ସମାଧାନ ଓ ପୁନଃ ଆଲୋକୀକରଣ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀମନ୍ଦିର ଚାରି ପାଖ ଲାଇଟ୍ ଖୋଲାଯିବା ପଛରେ ରହିଛି ଷଡ଼ଯନ୍ତ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଲାଇଟ୍ କାଢ଼ି ନେଇ ଅନ୍ଧାର କରାଯିବା ଚିନ୍ତାଜନକ ବିଷୟ ବୋଲି କହିଛି ବିଜେପି। ଯେଉଁ ଅଧିକାରୀ ମାନେ ଦାୟିତ୍ୱରେ ଅଛନ୍ତି, ଯେଉଁମାନେ କାମଚଳା ସରକାରରେ ଅଛନ୍ତି, ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି। ତା’ସହ ପ୍ରଶ୍ନ ଉଠାଇ ବିଜେପି କହିଛି, ଲାଇଟ୍ ଲଗାଇବା ପାଇଁ ଏଭଳି ସଂସ୍ଥାକୁ କେମିତି
ଦିଆଯାଇଛି ଦାୟିତ୍ୱ? ବିଜେପି ସରକାର ଶପଥ ନେବା ପରେ ଯେଉଁମାନେ ଏଥିରେ ସଂପୃକ୍ତ ଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଠିକା ସଂସ୍ଥା ଯଦି ଲଗାଇଥିଲା, ସେ ମନ ଇଚ୍ଛା ଲଗାଇ ନଥିବ। ସରକାରଙ୍କ ଅନୁମତି ଅନୁଯାୟୀ କରିଥିବ। ତେଣୁ ଆଉ ଗୋଟେ ସରକାର ନ ଆସୁଣୁ କାହାର ଅନୁମତି ନନେଇ ଏପରି କାର୍ଯ୍ୟ କରାଯାଇଛି, ଏହା ନିନ୍ଦନୀୟ ଏବଂ ଯେଉଁମାନେ ଏଥିରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଥିବା ବିଜେପି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
