ଦୀର୍ଘ ୧୭ବର୍ଷ ଧରି ବହୁଚର୍ଚ୍ଚିତ ‘ପୋଲାଭରମ ପ୍ରକଳ୍ପ’କୁ ନେଇ ତତକାଳୀନ ବିଜେଡି ସରକାର ନିଜର ରାଜନୀତିକ ଗୋଟିଚାଳନା କରୁଥିଲା । ପୋଲଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର କେତେ ଅଂଚଳ ଜଳମଗ୍ନ ହେବ ତା’ର ତଥ୍ୟ ନରଖି କେବଳ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ନୂଆ ନୂଆ କାହାଣୀମାନ ତିଆରି କରିଥିଲା । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ପୋଲାଭରମ ପ୍ରକଳ୍ପ’କୁ ନେଇ ଲିଖିତ ଉତ୍ତର ରଖିବା ପରେ ବିଗତ ୧୭ବର୍ଷ ମଧ୍ୟରେ ତତକାଳୀନ ନବୀନ ସରକାର ପୋଲାଭରମ ପ୍ରକଳ୍ପକୁ ନେଇ କରୁଥିବା ରାଜନୀତି ପଦାରେ ପଡ଼ିଛି ତଥା ବିଜେଡିର ରାଜ୍ୟବାସୀଙ୍କ ସହ ଛଳନା ମଧ୍ୟ ସ୍ପଷ୍ଟ ହୋଇଛି । ଏପରିକି ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର କେତେ ଅଂଚଳ ଜଳମଗ୍ନ ହେବ ଓ କେତେ ବନ୍ୟା ଜଳ ରାଜ୍ୟ ଭିତରକୁ ପ୍ରବେଶ କରିବ ତା’ର ଅନୁଧ୍ୟାନ ଏକ ପ୍ରତିଷ୍ଠିତ ଏଜେନ୍ସୀ ଦ୍ୱାରା କରାଇବା ନିମନ୍ତେ ଗତ ବର୍ଷକ ତଳେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା ବି ସମ୍ଭବପର ହୋଇପାରିନଥିବା ଜଣାପଡ଼ିଛି ।
ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ଏବେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ନିର୍ମାଣାଧୀନ ଅଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ସାବେରୀ ନଦୀର ବାମପାଶ୍ୱର୍ରେ ଓ ସିଲେରୁ ନଦୀର ଦକ୍ଷିଣ ପାଶ୍ୱର୍ରେ କିଛି ଅଂଚଳ ଜଳମଗ୍ନ ହେବା ବିଷୟରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି)ଙ୍କ ସହ ବୈଷୟିକ ଆଲୋଚନା ଜାରି ରହିଛି । ଜଳମଗ୍ନ ହେବା ସମ୍ଭାବନା ଥିବା ଅଂଚଳର ଆକଳନ ହେଲା ପରେ ସଠିକ୍ ତଥ୍ୟ ଜଣାପଡ଼ିବ । ପୋଲାଭରମ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବିବାଦର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି ଯେ, ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କେତେ ଅଂଚଳ ଜଳମଗ୍ନ ହେବ ଓ କେତେ ପଛୁଆ ଜଳ ଓଡ଼ିଶାରେ ପ୍ରବେଶ କରିବ ତା’ର ଆକଳନ ଓ ବିଶ୍ୱସନୀୟ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଯଦିଓ ୨୦୦୬ରେ ସିଡବ୍ଲ୍ୟୁସିଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ନିର୍ମାଣର ସଂଶୋଧିତ ଡିଜାଇନ(୩୬ଲକ୍ଷ କ୍ୟୁସେକ ଜଳ ପରିବେର୍ତ୍ତ ୫୦ଲକ୍ଷ କ୍ୟୁସେକ ବନ୍ୟା ଜଳ)କୁ ଅନୁମୋଦନ ମିଳିବା ପରେ ଓଡ଼ିଶା ସରକାର ୨୦୦୭ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ୨୦୧୫ ମସିହାରେ ପୋଲାଭରମକୁ ଜାତୀୟ ପ୍ରକଳ୍ପର ମାନ୍ୟତା ମିଳିଥିଲା, ଯାହାକୁ ପୁଣିଥରେ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ସଂଶୋଧିତ ପିଟିସନ ଦାଖଲ କରିଥିଲେ । ମାତ୍ର ଏସବୁ ସତ୍ତ୍ୱେ ଓଡ଼ିଶା ସରକାର ନିଜସ୍ତରରେ ପୋଲାରଭମ ପ୍ରକଳ୍ପ ପାଇଁ ରାଜ୍ୟର କେତେ ଅଂଚଳ ଜଳମଗ୍ନ ହେବ ତା’ର ନିରପେକ୍ଷ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିବାରେ ସକ୍ଷମ ହୋଇନଥିଲେ । ଅବଶ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ ଏମ୍ . ଗୋପାଳକ୍ରିଷ୍ଣନ୍ ପୋଲାଭରମ ଡିଜାଇନକୁ ନେଇ ଜଳମଗ୍ନ ଅଂଚଳ ଓ ପଛୁଆ ଜଳ ଅଂଚଳର ବିସ୍ତୃତ ଅଧ୍ୟୟନ ରିପୋର୍ଟକୁ ୨୦୧୧ ମସିହା ଜୁନ୍ ମାସରେ କୋର୍ଟରେ ଦାଖଲ କରିଥିଲେ । ଆଉ ଏହି ରିପୋର୍ଟ ଉପରେ ଚୁପ୍ ବସିଥିବା ରାଜ୍ୟ ସରକାର ପ୍ରାୟ ଗତବର୍ଷ ସେପ୍ଟେମ୍ବର ୧ତାରିଖରେ ନିଜର ଲିଗାଲ୍ ଟିମକୁ ଏକ ‘ୟୁଓଆଇ’ ପଠାଇ ସୁପ୍ରିମକୋର୍ଟରେ ‘ଅନୁପାଳନ ସତ୍ୟପାଠ(କମ୍ପ୍ଲାଏନସ ଆଫିଡେଭିଟ୍)’ ଦାଖଲ କରିବାକୁ କହିଥିଲେ । କିନ୍ତୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ ଏହି ଆଫିଡେଭିଟ୍ ଦାଖଲ ପୂର୍ବରୁ କେତେ ଅଂଚଳ ଜଳମଗ୍ନ ଓ କେତେ ପଛୁଆ ପାଣି ଆସିବାର ଅଛି ତା’ର ଆକଳନ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରାଇବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଆଉ ରାଉରକେଲା ଏନଆଇଟି ପ୍ରଫେସରମାନଙ୍କ ଦ୍ୱାରା ଏହି ଅନୁଧ୍ୟାନ ପାଇଁ ମଧ୍ୟ ୨୦୨୩ ସେପ୍ଟେମ୍ବର ୧୫ତାରିଖରେ ନିଜର ସହମତି ଦେଇଥିଲେ । ମାତ୍ର ତତକାଳୀନ ବିଜେଡି ସରକାର ପୋଲାରଭମ ପ୍ରକଳ୍ପକୁ ନେଇ ଆବଶ୍ୟକ ଅନୁଧ୍ୟାନ କରିବା ଦିଗରେ ଆଗ୍ରହ ଦେଖାଇନଥିଲେ । ଯେଉଁଥିପାଇଁ ଏପର୍ଯ୍ୟନ୍ତ ଜଳମଗ୍ନ ଅଚଂଳ ଓ ପଛୁଆ ଜଳ ପରିମାଣର ଆକଳନ ସମ୍ଭବପର ହୋଇପାରି ନଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୋଲାଭରମ ପ୍ରକଳ୍ପ ସହ ଜଡ଼ିତ ରାଜ୍ୟଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନିମନ୍ତେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ । ସିଡବ୍ଲ୍ୟୁସି ଅଧ୍ୟକ୍ଷତାରେ ମଧ୍ୟ ମୋଟ ୪ଟି ପର୍ଯ୍ୟାୟ ଆଲୋଚନା ହୋଇସାରିଛି । ୨୦୨୨ ଅକ୍ଟୋବର ୭,୨୦୨୩ ଜାନୁୟାରୀ ୨୫ ଓ ୨୦୨୩ ଏପ୍ରିଲ ୩ତାରିଖରେ ବୈଷୟିକ ଟିମର ଆଲୋଚନା ହୋଇଥିଲା ।
ମାତ୍ର ଓଡ଼ିଶାର କ’ଣ କ୍ଷତି ହେବ ତା’ର ଆକଳନ ରାଜ୍ୟର ତତକାଳୀନ ବିଜେଡି ସରକାର(୨୪ବର୍ଷ ଧରି କ୍ଷମତାରେ ଥାଇ ମଧ୍ୟ) ନକରି ବସି ରହିବା ପରୋକ୍ଷରେ ପୋଲାଭରମକୁ ନେଇ ଓଡ଼ିଶାର ଦାବି ଓ ଉଦବେଗକୁ ଦୁର୍ବଳ କରିଦେଇଥିବା ଜଣାପଡ଼ିଛି । ଏପଟେ ବିଜେଡି ମଧ୍ୟ ନିଜର ରାଜନୀତିକ ଫାଇଦା ପାଇଁ ବିଗତବର୍ଷଗୁଡ଼ିକରେ କେତେବେଳେ ଜଳବିକ୍ଷୋଭ ତ ଆଉ କେବେ ରାଜରାସ୍ତାରେ ଗର୍ଜନ ମଧ୍ୟରେ ନିଜକୁ ସୀମିତ ରଖିଥିଲା ବୋଲି ଚର୍ଚ୍ଚା ।