Tiger
୪ ଘଣ୍ଟାର କସରତ ପରେ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ। ବାଘଟି ଏବେ ବାରିପଦା ବନ ବିଭାଗର ବଞ୍ଚାବନ୍ଧା ନର୍ସରୀରେ ରହିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଘକୁ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଛଡ଼ାଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ପୂରା ଘଟଣା ଏମିତି। ୪ ଦିନ ତଳେ କଲରାପତରିଆ ବାଘଟି ଶ୍ୟାମାଖୁଣ୍ଟା ବ୍ଲକ୍ ଜଗନ୍ନାଥପୁର ଗାଁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବୁଲୁଥିଲା। ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ବାଘଟିକୁ ଟ୍ରାଙ୍କୁରାଇଜ୍ କରିବାକୁ ଚେଷ୍ଟା କରିଥିଲା। ହେଲେ ବନ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇଥିଲା ବାଘ। ତେଣୁ ନିରାଶ ହୋଇ ବନ ବିଭାଗ ଟିମ୍ ଜଗନ୍ନାଥପୁର ଗାଁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଉପରେ ନଜର ରଖିଥିଲା। ଗୁରୁବାର ବାଘଟି ପୁଣି ଥରେ ଗାଁରେ ଦେଖିବାକୁ ମିଳିଥିଲା। ଟ୍ରାଙ୍କୁଲାଇଜ୍ ଟିମ୍ ସେଠାରେ ପହଞ୍ଚିଲା ବେଳକୁ ବାଘ ଚମ୍ପଟ ମାରିଥିଲା।
ଜଗନ୍ନାଥପୁର ଗାଁରେ ଘୂରି ବୁଲୁଥିବା କଲରାପତରିଆ ବାଘଟି ଗୁରୁବାର ରାତିରେ ପ୍ରାୟ ୨୦ କିମି ଜଙ୍ଗଲିଆ ରାସ୍ତା ଅତିକ୍ରମ କରି ବାରିପଦା ସହରରେ ପହଞ୍ଚିଥିଲା। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ବାଘଟି ସହର ଭିତରେ ଥିବା ବୁଢିଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିଲା। ବାଘକୁ ଦେଖି ଗାଁ କୁକୁରମାନେ ବୋବାଇ ଥିଲେ। ତା’ପରେ ଗାଁ ଲୋକ କଲରାପତରିଆ ବାଘକୁ ବନ ବିଭାଗକୁ ଖବର ଦେଇଥିଲେ। ବାରିପଦା ବନ ବିଭାଗ, ଶିମିଳିପାଳ ଅଭୟାରଣ୍ୟ ଓ WTIର ସ୍ୱତନ୍ତ୍ର ଟିମ୍ ସେଠାରେ ପହଞ୍ଚି ବାଘକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ବାଘଟି ଝାବ ଭିତରେ ଲୁଚି ଯାଇଥିଲା।
ସହର ଭିତରେ ବାଘ ପଶିଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ କହଳି ବଢ଼ିଥିଲା। ଲୋକଙ୍କ କହଳି ଭିତରେ ପ୍ରାୟ ୪ ଘଣ୍ଟାର କସରତ ପରେ ଦକ୍ଷିଣ ଶିମିଳିପାଳ ଉପ-ନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ଟ୍ରାଙ୍କୁଲାଇଜ୍ ପରେ କଲରାପତରିଆ ବାଘକୁ ବନ ବିଭାଗର ମଞ୍ଚା ବନ୍ଧା ନର୍ସରୀରେ ରଖାଯାଇଛି। ଗତ ୪ ଦିନ ହେଲା ବାଘଟି ଏ ଗାଁରୁ ସେ ଗାଁ ଘୂରି ବୁଲୁଥିବାରୁ ଖାଇଛି ନାହିଁ ଜଣାପଡ଼ିନି। ବନ ବିଭାଗ ବାଘର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି। ପରବର୍ତ୍ତୀ ସମୟରେ ବାଘକୁ ଶିମିଳିପାଳର କୋର ଅଞ୍ଚଳରେ ଛଡ଼ା ଯିବ ବୋଲି ଜଣାପଡ଼ିଛି। ବନ ବିଭାଗ କବ୍ଜାରେ ଥିବା ବାଘଟି ଅଣ୍ଡିରା।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
