lokseva bhawan
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କୋର ଏରିଆରେ ଥିବା ବକୁଆ ଗାଁର ଆଦିବାସୀମାନଙ୍କୁ ବଳପୂର୍ବକ ସ୍ଥାନାନ୍ତର କରାଯାଉଥିବା ଅଭିଯୋଗକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଗୁରୁତର ସହ ନେଇଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ତୁରନ୍ତ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଦିବାସୀମାନଙ୍କର ଜଙ୍ଗଲ ଅଧିକାର ଆଇନ-୨୦୦୬ର ଉଲ୍ଲଂଘନ ହୋଇଥିବା ନେଇ ବକୁଆ ଗ୍ରାମସଭା ପକ୍ଷରୁ କରାଯାଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ମିଥ୍ୟା ସହମତିର ଅଭିଯୋଗ, କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ:
ସେପ୍ଟେମ୍ବର ୪ତାରିଖରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଚିଠିରେ ବକୁଆ ଗ୍ରାମସଭାର ଅଭିଯୋଗକୁ ଉଲ୍ଲେଖ କରାଯାଇଛି । ଏହି ଅଭିଯୋଗରେ ଜଙ୍ଗଲ ଅଧିକାର ଆଇନ-୨୦୦୬, ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨, ପେସା ଆଇନ-୧୯୯୬ ଓ ଅନୁସୂଚିତ ଜାତି-ଜନଜାତି ଆଇନ-୧୯୮୯କୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି । ଏସମସ୍ତ ମାମଲାର ଯାଂଚ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ।
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କୋର ଏରିଆ ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏବଂ ଏଥିରେ ପୂର୍ବରୁ ଛଅଟି ଗ୍ରାମ ଥିଲା । ସେଥିମଧ୍ୟରୁ ଜେନାବିଲ, ଜାମୁନଗଡ଼ା, କାବଟଘାଇ ଏବଂ ବକୁଆ ରାଜସ୍ୱ ଗ୍ରାମ ଥିଲାବେଳେ ବାରାହକମୁଡ଼ା ଓ ବାହାଘର ବନ୍ଦୋବସ୍ତ ଗ୍ରାମ ଥିଲା । ରାଜ୍ୟ ସରକାର ଜେନାବିଲ, କାବଟଘାଇ, ବାରାହକମୁଡ଼ା ଏବଂ ବାହାଘରର ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବାରେ ସଫଳ ହୋଇଥିଲେ ମଧ୍ୟ ବକୁଆ ଗ୍ରାମର ୬୧ଟି ପରିବାର ଏବେ ବି ସେହି ଅଂଚଳରେ ରହୁଛନ୍ତି ।
ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ ଗ୍ରାମବାସୀଙ୍କ ବିନା ସହମତିରେ ଏବଂ ସେମାନଙ୍କୁ କୌଣସି ସୂଚନା ନଦେଇ ଜମି ସ୍ଥାନାନ୍ତରଣ ପାଇଁ ମିଥ୍ୟା ଦସ୍ତାବିଜ ଦାଖଲ କରିଛନ୍ତି । ଏହି ମିଥ୍ୟା ଦସ୍ତାବିଜରେ ଗ୍ରାମବାସୀମାନେ ସ୍ୱଇଚ୍ଛାରେ ସ୍ଥାନାନ୍ତର ହେବାକୁ ରାଜି ହୋଇଥିବା ଦର୍ଶାଯାଇଛି, ଯାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଗ୍ରାମସଭା ପକ୍ଷରୁ କୁହାଯାଇଛି । ଅଗଷ୍ଟ ୬ତାରିଖରେ ଗ୍ରାମସଭା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିଲା ।
ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ:
ଜଙ୍ଗଲ ଅଧିକାର ଆଇନ-୨୦୦୬ ର ଧାରା ୪(୫) ଅନୁଯାୟୀ, ଜଙ୍ଗଲରେ ରହୁଥିବା ଆଦିବାସୀଙ୍କ ଅଧିକାରକୁ ପୂର୍ଣ୍ଣ ରୂପେ ସ୍ୱୀକୃତି ଦିଆନଯିବା ପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ ନାହିଁ । ସେହିପରି, ବନ୍ୟପ୍ରାଣୀ ସଂରକ୍ଷଣ ଆଇନ, ୧୯୭୨ର ଧାରା ୩୮(ଠ)(୫) ଅନୁଯାୟୀ, ବାଘ ସଂରକ୍ଷଣ ପାଇଁ କୌଣସି ଗ୍ରାମର ସ୍ଥାନାନ୍ତର ପାଇଁ ସଂପୃକ୍ତ ଗ୍ରାମସଭାର ସହମତି ବାଧ୍ୟତାମୂଳକ । ଏହି ସମସ୍ତ ନିୟମକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ବକୁଆ ଗ୍ରାମବାସୀଙ୍କ କହିବାନୁଯାୟୀ, ସେମାନଙ୍କ ଜୀବନଶୈଳୀ ଓ ସଂସ୍କୃତି ଶିମିଳିପାଳ ସହ ନିବିଡ଼ ଭାବେ ଜଡ଼ିତ । ସେମାନେ ପିଢ଼ି ପିଢ଼ି ଧରି ବନ୍ୟଜନ୍ତୁଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ବସବାସ କରିଆସୁଛନ୍ତି ଏବଂ ବନ୍ୟଜନ୍ତୁଙ୍କ ସହ କୌଣସି ସଂଘର୍ଷର ପ୍ରଶ୍ନ ଉଠୁନାହିଁ । ସେମାନେ କୌଣସି ବିକାଶ ପ୍ୟାକେଜ କିମ୍ବା ସ୍ଥାନାନ୍ତର ସମ୍ବନ୍ଧରେ ଅବଗତ ନଥିବା ଜଣାଇଛନ୍ତି ।
କୋର ଏରିଆକୁ ନ୍ୟାସନାଲ ପାର୍କ ଘୋଷଣା:
ଯଦିଓ ଏହି କୋର ଏରିଆ ଏବେ ବି ମାନବ ବସତିରୁ ସଂପୂର୍ଣ୍ଣ ମୁକ୍ତ ହୋଇନାହିଁ, ରାଜ୍ୟ ସରକାର ଏହି ବର୍ଷ ଏପ୍ରିଲରେ ବ୍ୟାଘ୍ର ଅଭୟାରଣ୍ୟର ୮୪୫ ବର୍ଗ କିଲୋମିଟର ଅଂଚଳକୁ ନ୍ୟାସନାଲ ର୍ପାକ ଭାବେ ଘୋଷଣା କରିଛନ୍ତି, ଯାହା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଦିଆଯାଉଥିବା ସର୍ବୋଚ୍ଚ ସୁରକ୍ଷା ମାନ୍ୟତା । ବକୁଆ ଗ୍ରାମବାସୀମାନେ ଏହାକୁ ମଧ୍ୟ ବିରୋଧ କରିଛନ୍ତି ଏବଂ ଏହି ଘୋଷଣା ପୂର୍ବରୁ ସେମାନଙ୍କୁ କୌଣସି ପ୍ରକାରେ ବିଶ୍ୱାସକୁ ନିଆଯାଇ ନଥିବା କହିଛନ୍ତି ।
ଆଗାମୀ କାର୍ଯ୍ୟାନୁଷ୍ଠାନ:
କେନ୍ଦ୍ର ମନ୍ତ୍ରଣାଳୟର ଚିଠି ପାଇବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କୁ ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ସ୍ତରରେ ଉତ୍ତେଜନା ପ୍ରକାଶ ପାଇଛି । ଆଦିବାସୀ ସଂଗଠନମାନେ ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ନିଜ ଜୀବନ ଓ ଜୀବିକା ରକ୍ଷା ପାଇଁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674578047.jpg)