Advertisment

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ

ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି ।

author-image
Niharika Rout
ଅଦ୍ୟତନ ହୋଇଛି
Former Minister

Former Minister

କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କର ପରଲୋକ ହୋଇ ଯାଇଛି। ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ସୁରେନ୍ଦ୍ରନାଥ ନାୟକଙ୍କର ଗତକାଲି ବିଳମ୍ବିତ ରାତିରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ ଥିଲେ ସୁରେନ୍ଦ୍ରନାଥ ନାୟକ । କାକଟପୁରରୁ ସେ ୭ ଥର ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ସବୁଠି ଶୋକ ପ୍ରକାଶ ପାଇଛି ।

ସୁରେନ୍ଦ୍ରନାଥ ନାୟକଙ୍କ ମୃତଦେହକୁ ଭୁବନେଶ୍ୱରସ୍ଥିତ ଘରୁ ପ୍ରଥମେ ଅଶୋକ ନଗର ନିଆଯିବ । ସେଠାରେ ସେ ନିଜ ରାଜନୈତିକ କାର୍ଯ୍ୟକ୍ରମ କରୁଥିଲେ। ଏହାପରେ ସେଠାରୁ ମରଶରୀରକୁ ବିଧାନସଭା ଓ ପରେ ସଚିବାଳୟ ନିଆଯିବ । ସେଠାରେ ଉପସ୍ଥିତ ଲୋକେ ସୁରେନ୍ଦ୍ରନାଥ ନାୟକଙ୍କ  ଶେଷ ଦର୍ଶନ କରିବେ।

Advertisment

 ଏହାପରେ ତାଙ୍କ ମରଶରୀରକୁ ପିପିଲି ଦେଇ ନିମାପଡ଼ା, ଗୋପ, କୋଣାର୍କ, କାକଟପୁର, ଅସ୍ତରଙ୍ଗ ନିଆଯିବ । ସେଠାରେ ସମର୍ଥକମାନେ ନିଜ ପ୍ରିୟ ନେତାଙ୍କୁ ଶେଷ ଥର ପାଇଁ ଦେଖିବେ। ଏହାପରେ ସେଠାରୁ ମୃତଦେହକୁ ନିଜ ପୈତୃକ ଗାଁ ଅଣକଣାକୁ ନେଇ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିବେ ପରିବାର ସଦସ୍ୟ ।

୧୯୬୦ ମସିହାରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସୁରେନ୍ଦ୍ରନାଥ । ୧୯୭୧ରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୭୭, ୧୯୮୫, ୧୯୯୦, ୧୯୯୫ ଉପନିର୍ବାଚନ,  ୨୦୦୦ ଓ ୨୦୦୪ ନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ । ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ ବିଧାନସଭାର ଉପବାଚସ୍ପତି ଥିଲେ ।

୧୯୯୦ରେ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ରାଜସ୍ୱ ଓ ଅବକାରୀ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ୨୦୦୪ରେ କୃଷି ମନ୍ତ୍ରୀ ହୋଇଥିଲେ । ୨୦୧୨ରେ ସେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ହୋଇଥିଲେ। 
ଜରୁରୀକାଳୀନ ପରିସ୍ଥିତି ସମୟରେ ସେ କାରାବରଣ କରିଥିଲେ । 

ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସ୍ୱର୍ଗତ ନାୟକ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ପ୍ରଶାସକ ଥିଲେ।  'ଓଡ଼ିଶାର ଉନ୍ନତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି। 

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ଟ୍ୱିଟ କରି କହିଛନ୍ତି, ବରିଷ୍ଠ ରାଜନେତା, ଓଡ଼ିଶା ସରକାରର ପୂର୍ବତନ ମନ୍ତ୍ରୀ ତଥା ୭ ଥରର ବିଧାୟକ ଓ ବିଜୁ ବାବୁଙ୍କ ସହଯୋଗୀ ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦିବଙ୍ଗତ ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଉଛି।

Bhubaneswar