Odisha
ରାଜ୍ୟରେ ଆଜି ପୁଣିଜଣେ ୧୩ବର୍ଷୀୟା ନାବାଳିକା ନିଜକୁ ଜୀବନ୍ତ ଜାଳି ଦେଇଛନ୍ତି । ତାଙ୍କର ଦୁଃଖଦ ମୃତ୍ୟୁ ସହ ରାଜ୍ୟରେ ଗତ ମାସକ ମଧ୍ୟରେ ମୋଟ ୪ଜଣ ଯୁବତୀ ନିଜକୁ ଜୀବନ୍ତ ଦଗ୍ଧ କରିଦେବା ଭଳି ବିକୃତ ମାନସିକତା ଏବେ ଓଡ଼ିଶାକୁ ନିନ୍ଦିତ କରିବାରେ ଲାଗିଛି । ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏଭଳି ଜୀବନକୁ ନଷ୍ଟ କରିଦେବାର ମାନସିକତା ରାଜ୍ୟରେ ସାମାଜିକ ଶୃଙ୍ଖଳ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଆସିଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କର ଅନୁରୂପ ମାନସିକତା ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷୁବ୍ଧ ହୋଇଛନ୍ତି ।
ସମସ୍ୟା ଅଛି ଓ ତା’ର ନିରାକରଣ କରାଯିବ କିନ୍ତୁ ଆତ୍ମହତ୍ୟା ଭଳି ଶବ୍ଦ କାହିଁକି ମୁହଁରେ ଧରୁଛନ୍ତି ବୋଲି କହି ସମ୍ପୃକ୍ତ ଅଭିଯୋଗକାରୀ ବୃଦ୍ଧଙ୍କ ବୁଝାଇବାକୁ ଚେଷ୍ଟା କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଚାଲିଗଲାଣି ୪ ଅମୂଲ୍ୟ ଜୀବନ
ଜୁଲାଇ ୧୨: ବାଲେଶ୍ୱରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ୨୦ ବର୍ଷୀୟା ଛାତ୍ରୀ ନିଜ ବିଭାଗର ଅଧ୍ୟାପକଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗରେ କଲେଜ ପରିସରରେ ନିଜକୁ ନିଆଁ ଲଗାଇ ଦେଇଥିଲେ ଏବଂ ମୃତ୍ୟୁ ସହ ସଂଘର୍ଷ କରି ଜୁଲାଇ ୧୪ରେ ଭୁବନେଶ୍ୱର ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ । କ୍ରାଇମବ୍ରାଂଚ ତଦନ୍ତ କରି ମୃତ ଛାତ୍ରୀର ଦୁଇଜଣ ସହଯୋଗୀଙ୍କୁ ଗିରଫ କରିଛି । କଲେଜର ଅଧ୍ୟାପକ ଓ ଅଧ୍ୟକ୍ଷ ମଧ୍ୟ ଜେଲରେ ଅଛନ୍ତି ।
ଜୁଲାଇ ୧୯: ପୁରୀ ଜିଲ୍ଲାର ବଳଙ୍ଗାଠାରେ ଜଣେ ୧୬ ବର୍ଷୀୟା ବାଳିକାଙ୍କୁ କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଲା । ସମ୍ପୃକ୍ତା ନାବାଳିକାଙ୍କୁ ପ୍ରଥମେ ଭୁବନେଶ୍ୱର ଏମସ ଓ ପରେ ଦିଲ୍ଲୀ ଏମସରେ ଚିକିତ୍ସା କରାଗଲା । କିନ୍ତୁ ସେ ଅଗଷ୍ଟ ୨ତାରିଖରେ ପ୍ରାଣ ହରାଇଲେ । ମାତ୍ର ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହେଲାନି । ଓଲଟା ଏହି ନାବାଳିକାଙ୍କ ମୃତ୍ୟୁରେ ଅନ୍ୟକେହି ସମ୍ପୃକ୍ତ ନଥିବାର ଟ୍ୱିଟ୍ କରି ଚୁପ୍ ହୋଇ ବସିପଡ଼ିଛି । କିଭଳି ଓ କାହିଁକି ପୁଲିସ ଏଭଳି ବୟାନ ଦେଲା ତାହା ଏବେବି ଅସ୍ପଷ୍ଟ ।
ଅଗଷ୍ଟ ୬: କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ ଜଣେ ୨୦ ବର୍ଷୀୟା କଲେଜ ଛାତ୍ରୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ଦ୍ୱାରା ବ୍ଲାକମେଲ ଓ ନ୍ୟୁଡ୍ ଫଟୋ ଲିକ୍ କରିଦେବାର ଧମକ ଦେଉଥିବା ଅଭିଯୋଗ ଆଣି ନିଜକୁ ଜୀବନ୍ତ ଜାଳିଦେଲେ । ମୃତା ଛାତ୍ରୀଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସମ୍ପୃକ୍ତା ଛାତ୍ରୀଙ୍କ ପ୍ରେମ ସମ୍ପର୍କ ଥିବା ଯୁବକଙ୍କୁ ଗିରଫ କରି ଜେଲ ପଠାଇଛି । ଯଦିଓ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଛାତ୍ରୀଙ୍କ ପିତାଙ୍କ ଅଭିଯୋଗ ରଖିନଥିଲା ଓ ସେଥିପାଇଁ ପଟ୍ଟାମୁଣ୍ଡାଇ ଥାନାର ଏଏସଆଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି ।
ଅଗଷ୍ଟ ୧୧ : ବରଗଡ଼ ଜିଲ୍ଲାର ଫିରିଙ୍ଗିମାଲ ଗାଁ ତଥା ଗାଇସିଲାଟ ପୋଲିସ ଷ୍ଟେସନ ଅଂଚଳରେ ଜଣେ ୧୩ ବର୍ଷୀୟା ବାଳିକା ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛନ୍ତି । ସକାଳ ସାଢ଼େ ୭ଟାରେ ଖୋଲା ପଡ଼ିଆରେ ସେ ଏଭଳି କାର୍ଯ୍ୟ କରିଥିଲେ ଓ ପୁଲିସ ତଥା ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ଯୋଗୁ ତାଙ୍କୁ ବଂଚାଇବା ମଧ୍ୟ ସମ୍ଭବପର ହୋଇନାହିଁ । ପୁଲିସ ଏହି ଘଟଣା ପଛରେ ପାରିବାରିକ ବିବାଦ ଥିବା କହିଛି ।
ଆତ୍ମହତ୍ୟା ଶବ୍ଦ ଶୁଣି ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ନୟାଗଡ଼ ଅଂଚଳର ବୃଦ୍ଧ ବ୍ୟକ୍ତି ଜଗବନ୍ଧୁ ପଣ୍ଡା ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେବାବେଳେ ତାଙ୍କୁ ନ୍ୟାୟ ନମିଳିଲେ ସେ ଆତ୍ମହତ୍ୟା କରିଦେବେ ବୋଲି କହିଥିଲେ । ଯାହାକୁ ଶୁଣି ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଆତ୍ମହତ୍ୟା ଭଳି ଶବ୍ଦ କାହିଁକି ପାଟିରେ ଧରୁଛନ୍ତି କହି ବୃଦ୍ଧଙ୍କୁ ବୁଝାଇବା ସହ ଆତ୍ମହତ୍ୟା କ’ଣ ସବୁ ସମସ୍ୟାର ସମାଧାନ ବୋଲି ପ୍ରଶ୍ନ କରିଥିଲେ । ସମସ୍ୟା ଯାହା ଅଛି ତା’ର ସମାଧାନ କରାଯିବ । ଅଭିଯୋଗର ସତ୍ୟାସତ୍ୟ ଥିଲେ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ବୃଦ୍ଧ ଶ୍ରୀ ପଣ୍ଡାଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କଠୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଥିବା ଶ୍ରୀ ପଣ୍ଡା ଭୁଲରେ ପାଟିରୁ ଆତ୍ମହତ୍ୟା ଶବ୍ଦ ବାହାରିଥିବା ନେଇ ମଧ୍ୟ ଅନୁତାପ କରିଥିଲେ ।
ଜୀବନ୍ତ ଦଗ୍ଧ- ବିକୃତ ମାନସିକତା ନା ଆଉ କିଛି
ରାଜ୍ୟରେ ଯୁବତୀ ଓ ନାବାଳିକାଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଜୀବନକୁ ନଷ୍ଟ କରିଦେବାର ବିକୃତ ଚିନ୍ତାଧାରା ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ପୁଳାପୁଳା ମହିଳା ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ଓ ମହିଳା ସମାଜସେବୀ ଥିବା ସତ୍ତ୍ୱେ ସେମାନଙ୍କ ନିରବତା ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମାଜରେ ଏଭଳି ଘଟଣା ବୃଦ୍ଧି ପାଉଥିବାବେଳେ ପଂଚାୟତଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏସବୁ ଉପରେ ପୂର୍ଣ୍ଣଚ୍ଛେଦ ସମ୍ଭବପର ହୋଇପାରନ୍ତା । ମାତ୍ର ସେଭଳି ପ୍ରୟାସ ସରକାରୀସ୍ତରରେ କିମ୍ବା ବେସରକାରୀସ୍ତରରେ ସମ୍ଭବପର ହୋଇପାରୁନଥିବା ଦେଖିବାକୁ ମିଳୁଛି । ଅବଶ୍ୟ ସରକାରଙ୍କ ତ୍ରୁଟି କଥା କହି ରାଜନୀତିକ ଦଳଗୁଡ଼ିକ ପରସ୍ପରକୁ କାଦୁଅଫିଙ୍ଗାରେ ବ୍ୟସ୍ତ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Odisha_1754924895.jpg)