Advertisment

‘ବହୁତ ହୋଇଗଲା, ଇସ୍କନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ’

ରଥ ଯାତ୍ରା ଏକ ଖେଳ ଘର ନୁହେଁ। ଖୋଦ ଜଗନ୍ନାଥଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଦିଷ୍ଟ ତିଥିରେ ରଥ ଯାତ୍ରା ଆୟୋଜିତ ହେଉଛି। ମାତ୍ର ଇସ୍କନ ଏହାକୁ ଏକ ପ୍ରଚାର ଯାତ୍ରା ଭାବେ ପରିଚାଳନା କରୁଛି। କିନ୍ତୁ ଏହାକୁ ଆଉ ବରଦାସ୍ତ କରାଯିବନି।

author-image
Niharika Rout
ଅଦ୍ୟତନ ହୋଇଛି
Gajapati Maharaja

Gajapati Maharaja

‘ରଥ ଯାତ୍ରା ଏକ ଖେଳ ଘର ନୁହେଁ। ଖୋଦ ଜଗନ୍ନାଥଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଦିଷ୍ଟ ତିଥିରେ ରଥ ଯାତ୍ରା ଆୟୋଜିତ ହେଉଛି। ମାତ୍ର ଇସ୍କନ ପକ୍ଷରୁ ପ୍ରାୟ ମାସେ ଦୁଇ ମାସ ବ୍ୟବଧାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଆୟୋଜିତ ହେଉଛି। ଇସ୍କନ ଏହାକୁ ଏକ ପ୍ରଚାର ଯାତ୍ରା ଭାବେ ପରିଚାଳନା କରୁଛି। କିନ୍ତୁ ଏହାକୁ ଆଉ ବରଦାସ୍ତ କରାଯିବନି। ଏଥର ଆମେ ଛାଡ଼ିବୁନି, ବହୁତ ହୋଇଗଲା ।’ରଥ ଯାତ୍ରା ପାଳନ ନେଇ ଇସ୍କନ କର୍ତ୍ତୃପକ୍ଷଙ୍କ ମନମାନୀ ବିରୋଧରେ ଆଜି ଏପରି ବର୍ଷିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

Advertisment

ଏହା ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି ଗଜପତି ମହାରାଜା କହିବା ସହ ଭୁଲ ନ ସୁଧାରିଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜା ଶ୍ରୀମନ୍ଦିର ସଂସ୍କୃତି ସହ ଖେଳ ଖେଳୁଥିବା ଇସ୍କନ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି।

ଏନେଇ ସେ କହିଛନ୍ତି, ଜଗନ୍ନାଥ ହେଉଛନ୍ତି ମୂଳ ବିଗ୍ରହ। ତାଙ୍କ ପରମ୍ପରା ଅତି ପ୍ରତିଷ୍ଠିତ ଓ ପ୍ରସିଦ୍ଧ। ପରମ୍ପରା ଅନୁଯାୟୀ ହିଁ ଆମେ ଜଗନ୍ନାଥଙ୍କ ପର୍ବ ପାଳନ କରିବା ଉଚିତ। କେବଳ ଦୁଇଟି ଉତ୍ସବରେ ମହାପ୍ରଭୁଙ୍କୁ ଗର୍ଭଗୃହରୁ ବାହାର କରାଯାଇପାରିବ। ସେଥିନିମନ୍ତେ ସେ ନିଜେ ହିଁ ଇନ୍ଦ୍ରଦ୍ୟୁମଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ତାଙ୍କ ଅନୁମତିରେ ତାଙ୍କ ଇଚ୍ଛାରେ ରଥଯାତ୍ରା ଆୟୋଜିତ ହେଉଛି। ତେଣୁ ତାଙ୍କ ପରମ୍ପରା ବିରୋଧୀ କାମ କରି ଇସ୍କନ ତରଫରୁ କେବଳ ପ୍ରଚାର ପାଇଁ ଏପରି ଅଦିନ ରଥ ଯାତ୍ରା ଆୟୋଜନ କରାଯାଉଛି।

Advertisment

ଜଗନ୍ନାଥଙ୍କ ବିଗ୍ରହ ରଖିବା ତଥା ପୂଜାର୍ଚ୍ଚନା କରିବା ନିମନ୍ତେ ଆମେ କାହାକୁ ବାରଣ କରୁନୁ। କିନ୍ତୁ ଏହାକୁ ବିଧି ଅନୁଯାୟୀ କରିବା ଉଚିତ। କିନ୍ତୁ ସେମାନେ ଏହାକୁ ପ୍ରଚାର ଯାତ୍ରା ଭାବେ ସମଗ୍ର ବିଶ୍ୱରେ ପରିଚାଳନା କରୁଛନ୍ତି। ଏହା ଆମ ଶାସ୍ତ୍ର ଓ ପରମ୍ପରା ବିରୋଧୀ କାମ। ଏନେଇ ସେମାନଙ୍କୁ ବୁଝାଇବା ସତ୍ତ୍ୱେ ସେମାନେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇ ପାରୁ ନାହାନ୍ତି। ଫଳରେ କୋଟି କୋଟି ଭକ୍ତଙ୍କ ଭାବନାକୁ ସେମାନେ କୁଠାରଘାତ କରୁଛନ୍ତି। ତେଣୁ ଏହାକୁ ଆଉ ବରଦାସ୍ତ କରାଯିବନି କି ଆମେ ଆଉ ଚୁପ୍‌ ବସି ପାରିବୁନି ବୋଲି ଚେତାଇ ଦେଇଛନ୍ତି ଗଜପତି ମହାରାଜା।

ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ। ଚିଠି ଲେଖିବା ସତ୍ତ୍ୱେ ଇସ୍କନ ମାନିଲାନି, ରଥଯାତ୍ରା ଆୟୋଜନ କରିବାକୁ ସଜବାଜ ହେଉଛି। ଗତ ୩ ତାରିଖରେ ସେମାନେ ସ୍ନାନଯାତ୍ରା କରିବାକୁ କହୁଥିବା ବେଳେ ବିରୋଧ କରିବାରୁ ତାହାକୁ ବାତିଲ କରିଛନ୍ତି। କିନ୍ତୁ ଆସନ୍ତା ୯ ତାରିଖରେ ସେମାନେ ରଥଯାତ୍ରା ଆୟୋଜନ କରୁଥିବା ବେଳେ ଏହାକୁ ବାତିଲ କରାଯିବା ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତଥାପି ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ଆଶା ରଖିଛୁ।

ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ୱାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ବିକଳ୍ପ ନାହିଁ ବୋଲି କହିଛନ୍ତି ଗଜପତି।

ଏଥିସହ ସେ କହିଛନ୍ତି, ଇସ୍କନ କର୍ତ୍ତୃପକ୍ଷ ସମଗ୍ର ବିଶ୍ୱରେ ଗୋଟିଏ ଦିନରେ ଜନ୍ମାଷ୍ଟମୀ ପାଳନ କରୁଛନ୍ତି। କିନ୍ତୁ ରଥ ଯାତ୍ରା ଭିନ୍ନ ଦିନରେ ପାଳନ କରି କାହିଁକି ବ୍ୟତିକ୍ରମ କରୁଛନ୍ତି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇ ପାରୁନି। 

ଇସ୍କନ GBC (Global Body Council) ଅଧୀନରେ ଆସୁଥିବା ବେଳେ ତାହାର ନିଷ୍ପତ୍ତି ସମଗ୍ର ବିଶ୍ୱରେ ଥିବା ଇସ୍କନରେ ଲାଗୁ ହେଉଛି। ଆମେ GBC ସହ ୨୦୦୮ ମସିହାରେ ଯୋଗାଯୋଗ କରିଥିଲୁ। ତାହା ଫଳପ୍ରଦ ହେଲାନି। କିନ୍ତୁ ଏଥର GBC ଆମ ପ୍ରସ୍ତାବକୁ ବିଚାର କରି ପଦକ୍ଷେପ ନ ନେଲେ ଆଉ ଛାଡ଼ିବୁନି। ଆଇନ ଅନୁଯାୟୀ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି ଚେତାଇ ଦେଇଛନ୍ତି ଗଜପତି।

ଗଜପତି ମହାରାଜାଙ୍କୁ ସମର୍ଥନ ଜଣାଇଛନ୍ତି ରାଜ୍ୟ ସରକାର।  ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ । ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା । ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଥମେ ଆଲୋଚନା କରିବୁ, ସହମତ ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

 ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧୀକୃତ। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବିଭାଗର ସମର୍ଥନ ରହିବ ବୋଲି କହିଛନ୍ତି ଆଇନ୍‌ ମନ୍ତ୍ରୀ ।

Ratha Yatra Puri Gajapati Puri Temple Iskcon Temple