Advertisment

ଗୋଟିଏ ପଟେ ପଡୁଥିଲା ଝିଅର ହାତଗଣ୍ଠି; ଆରପଟେ ଶୁଦ୍ଧି ହେଉଥିଲେ ବାପାମା’

ସୋମବାର ଦିନ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କ ବିବାହ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Kendrapara

Kendrapara

ଗୋଟିଏ ପଟେ ଝିଅର ପଡ଼ୁଛି ହାତ ଗଣ୍ଠି। ସାତ ସିଙ୍ଗାର ହୋଇ ନବବଧୂ ସାଜି ଝିଅ ନିଜ ଶ୍ୱଶୁର ଘରେ ସୁନାର ସଂସାର ଗଢ଼ିବା ପାଇଁ ଦେଖୁଛି ସ୍ୱପ୍ନ। ଅନ୍ୟ ପଟେ ବ୍ରାହ୍ମଣ ଡାକି ଫଟୋରେ ଫୁଲ ମାଳ ଚଢ଼ାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଝିଅର ପରିବାର ଲୋକେ। ଏହାସହ ବ୍ରାହ୍ମଣ ଡାକି ଶୁଦ୍ଧିକ୍ରିୟା କରିବା ସହ ଭୋଜିଭାତ କରି ଖାଇବାକୁ ଦେଉଛନ୍ତି। ଝିଅ ନିଜ ପ୍ରେମିକ ସହ ପଳାଇ ଯିବାରୁ ପରିବାର ଲୋକେ ପ୍ରତିଶୋଧ ପରାୟଣ ହୋଇ ଜୀବିତ ଝିଅକୁ ମାରି ଦେବା କେତେ ଠିକ୍‌ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାର ଅଞ୍ଚଳରେ।

Advertisment

ଆଳି ନୂଆବଜ଼ାର ଅଂଚଳର ରାଜେନ୍ଦ୍ର ମଳିକଙ୍କ ସହ ସ୍ଥାନୀୟ ଅଞ୍ଚଳର ଦୀପାଞ୍ଜଳି ମଳିକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଆସୁଥିଲେ। ଶ୍ରୀବାସ୍ତବ ଓ ଦୀପାଞ୍ଜଳି ପରିବାରର ବାଧା ସତ୍ତ୍ୱେ ସେମାନଙ୍କ ପ୍ରେମ ସମ୍ପର୍କକୁ ଭୁଲିପାରୁ ପାରୁନଥିଲେ। ଦୁହେଁ ସ୍ୱପ୍ନର ଘର ତୋଳି ସେଠି ରହିବେ ବୋଲି ମନେମନେ ସ୍ୱପ୍ନ ଦେଖୁଥିଲେ। ଏହାରି ଭିତରେ କିଛିଦିନ ତଳେ ଦୀପାଞ୍ଜଳି ନିଜ ଘର ଛାଡ଼ି ରାଜେନ୍ଦ୍ରଙ୍କ ଘରକୁ ପଳାଇ ଆସିଥିଲେ। ରାଜେନ୍ଦ୍ରଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୁଲିସ ଝିଅ ଓ ପୁଅ ଘରର ଲୋକଙ୍କୁ ଡାକି ପଚରା ଉଚରା କରିଥିଲା। ରାଜେନ୍ଦ୍ରଙ୍କୁ ବିବାହ କରିବେ ବୋଲି ସର୍ବସମ୍ମୁଖରେ କହିଥିଲେ ଦୀପାଞ୍ଜଳି।

ସୋମବାର ଦିନ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ରାଜେନ୍ଦ୍ର ଓ ଦୀପାଞ୍ଜଳିଙ୍କର ବିବାହ ହୋଇଥିଲା। ହେଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ କେହି ଉପସ୍ଥିତ ନଥିଲେ। ଅନ୍ୟ ପକ୍ଷରେ ଦୀପାଞ୍ଜଳିଙ୍କ ପରିବାର ଲୋକ ବ୍ରାହ୍ମଣ ଡାକି ଝିଅର ଶୁଦ୍ଧିକ୍ରିୟା କରିଥିଲେ। ଭୋଜିଭାତ କରି ଲୋକଙ୍କୁ ଖାଇବାକୁ ଦେଇଥିଲେ। ଏପରିକି ନିଜ ଘର ସାମ୍ନା ଝିଅର ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।  ଏହି ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
Kendrapada