/odisha-reporter/media/post_attachments/uploadimage/library/16_9/16_9_0/Bank_1751719842.jpg)
Bank
ଦେଶର ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କ ସହ ସମସ୍ତ ପ୍ରକାରର ବ୍ୟବସାୟିକ କାରବାର ବନ୍ଦ ପାଇଁ ନେଇଥିବା ନିଷ୍ପତ୍ତିରୁ ଆଜି ରାଜ୍ୟ ସରକାର ଓହରି ଯାଇଛନ୍ତି । ଏହି ୩ଟି ଘରୋଇ ବ୍ୟାଙ୍କଗୁଡ଼ିକ ଉପରେ ଜୁନ୍ ୨୧ ତାରିଖରେ ଲାଗୁ କରିଥିବା କଟକଣାକୁ ପ୍ରତ୍ୟାହାର କରି ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ସହ ସମସ୍ତ ପ୍ରକାରର ସରକାରୀ କାରବାର ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ଅର୍ଥ ବିଭାଗ ଜୁନ୍ ୨୧ତାରିଖରେ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ସହ ସମସ୍ତ ପ୍ରକାରର ସରକାରୀ କାରବାର ବନ୍ଦ ନିମନ୍ତେ ସବୁ ବିଭାଗର ସଚିବ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ।
ଜୁଲାଇ ୧ରେ ବୈଠକ, ୫ରେ ସରକାରଙ୍କ ସଂଶୋଧିତ ନିର୍ଦ୍ଦେଶନାମା
ଜୁନ୍ ୨୧ରେ ରାଜ୍ୟ ଅର୍ଥ ବିଭାଗ ଦ୍ୱାରା ଦେଶର ଏହି ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କଗୁଡ଼ିକୁ ପ୍ୟାନେଲରୁ ବାଦ୍ ଦେବା ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସାଧାରଣରେ ରାଜ୍ୟ ସରକାରଙ୍କ ସାହାସିକ ପଦକ୍ଷେପ ଭାବେ ବିବେଚନା କରାଯାଉଥିଲା । ମାତ୍ର ଅର୍ଥ ବିଭାଗ ପୁଣିଥରେ ଜୁନ୍ ୨୪ତାରିଖରେ ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି ପୂର୍ବ ନିର୍ଦ୍ଦେଶକୁ କୋହଳ କରିଥିବାର ସନ୍ଦେଶ ଦେଲା । ଆଉ ଜୁଲାଇ ୧ତାରିଖରେ ଏହି ୩ଟି ବ୍ୟାଙ୍କର ଶୀର୍ଷ ପଦାଧିକାରୀମାନେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବୈଠକ କରିଥିଲେ । ଆଉ ସେମାନେ ସରକାରୀ ଯୋଜନା ଅଧୀନରେ ସେମାନଙ୍କ ପ୍ରଦର୍ଶନରେ ସୁଧାରିବେ ଏବଂ ପ୍ରାଥମିକତା କ୍ଷେତ୍ର ଋଣ ଓ ସିଡି ଅନୁପାତ (କ୍ରେଡିଟ୍ ଜମା ଅନୁପାତ) ଆଦିରେ ଉନ୍ନତି ଆଣିବେ ବୋଲି ଲିଖିତ ଭାବେ ଜଣାଇବା ସହ ସେମାନଙ୍କୁ ପ୍ୟାନେଲ ଲିଷ୍ଟରୁ ନହଟାଇବାକୁ ଅନୁରୋଧ କରିଥିଲେ । ଅର୍ଥ ବିଭାଗ ଦ୍ୱାରା ଆଜି(ଜୁଲାଇ ୫ରେ) ଜାରି ନିର୍ଦ୍ଦେଶନାମାରେ ଏହି ସୂଚନା ଉଲ୍ଲେଖ କରାଯାଇଛି ।
ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିଲେ, ୧୫ଦିନ ନପୁରୁଣୁ ୟୁ-ଟର୍ଣ୍ଣ
ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଜୁନ୍ ୨୧ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ୩ଟି ପ୍ରମୁଖ ଘରୋଇ ବ୍ୟାଙ୍କ ଯଥା- ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ସହ ସମସ୍ତ ପ୍ରକାରର ସରକାରୀ ଦେଣନେଣ ଓ ବ୍ୟବସାୟିକ କାରବାର ତୁରନ୍ତ ବନ୍ଦ କରିବାକୁ କୁହିଥିଲେ । ଏହି ୩ଟି ବ୍ୟାଙ୍କଗୁଡ଼ିକ ସରକାରୀ ଫ୍ଲାଗସିପ ଯୋଜନାରେ ଅତ୍ୟନ୍ତ ନିରାଶାଜନକ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ଖରାପ ପ୍ରଦର୍ଶନ ଯୋଗୁ ସେମାନଙ୍କୁ ପ୍ୟାନେଲଭୁକ୍ତ ବ୍ୟାଙ୍କ ତାଲିକାରୁ ବାଦ୍ ଦିଆଯାଇଥିବା ସୂଚନା ଦେଇଥିଲେ । ଏହି ୩ଟି ବ୍ୟାଙ୍କରେ ଥିବା ଫିକ୍ସଡ୍ ଡିପୋଜିଟ୍ ଓ ଟର୍ମ ଡିପୋଜିଟକୁ ବାଦ୍ ଦେଇ ଅନ୍ୟ ସମସ୍ତ କାରବାର ବନ୍ଦ କରିବା ଓ ଜମାଅର୍ଥ ଅନ୍ୟ ତାଲିକାଭୁକ୍ତ ବ୍ୟାଙ୍କକୁ ସ୍ଥାନାନ୍ତର ନିମନ୍ତେ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଥିଲେ ।
କାହିଁକି ହେଲାନି ବ୍ୟାଙ୍କଗୁଡ଼ିକର କାର୍ଯ୍ୟର ପ୍ରକୃତ ସୁଧାରର ମୂଲ୍ୟାଙ୍କନ
ମାତ୍ର ୧୫ଦିନ ମଧ୍ୟରେ ନିଜର ନିଷ୍ପତ୍ତିର ୨ଥର ପରିବର୍ତ୍ତନ ଓ ଏହି ୟୁ-ଟର୍ଣ୍ଣରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ, ସମ୍ପୃକ୍ତ ୩ଟି ଘରୋଇ ବ୍ୟାଙ୍କର ଶୀର୍ଷ ପରିଚାଳନା ବୋର୍ଡର ଚାପରେ ପଡ଼ି ସରକାର ନିଜର ପୂର୍ବ ନିଷ୍ପତ୍ତିକୁ ଓଲଟାଇ ଦେଇଛନ୍ତି । ସରକାର ଏହି ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନରେ ପ୍ରକୃତ ସୁଧାରର ମୂଲ୍ୟାଙ୍କନ ନକରି କିଭଳି ସଂଶୋଧିତ ନିର୍ଦ୍ଦେଶନାମା ଜାରି କଲେ ତାକୁ ନେଇ ସନ୍ଦେହ ଉଠିଛି । ଏହା କ’ଣ କେବଳ ଜୁଲାଇ ୧ତାରିଖରେ ଶୀର୍ଷସ୍ତରୀୟ ଆଲୋଚନାର ଫଳାଫଳ କି? ଏହାସହିତ ଏଭଳି ତୁରନ୍ତ ୟୁ-ଟର୍ଣ୍ଣ ସରକାରଙ୍କ ନୀତିଗତ ନିଷ୍ପତ୍ତିର ସ୍ଥିରତା ଉପରେ ପ୍ରଶ୍ନ ଉଠାଉଛି । ଭବିଷ୍ୟତରେ ମଧ୍ୟ କ’ଣ ଏଭଳି ଚାପରେ ସରକାର ନିଜର ନିଷ୍ପତ୍ତି ବଦଳାଇବେ କି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଛୋଟ ବ୍ୟାଙ୍କଗୁଡ଼ିକ ଉପରେ ପ୍ରଭାବ, ଉତ୍ତରଦାୟିତ୍ୱର ଅଭାବ
ସରକାରଙ୍କ ଏହି ୟୁଟର୍ଣ୍ଣ ମଧ୍ୟ ଛୋଟ ବ୍ୟାଙ୍କଗୁଡ଼ିକ ପାଇଁ ଏକ ଭୁଲ ସନ୍ଦେଶ ଦେବ, ଯେଉଁମାନେ ସରକାରୀ ଯୋଜନାରେ ନିରନ୍ତର ଭଲ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ପାଇଁ ମଧ୍ୟ କ’ଣ ଶୀର୍ଷସ୍ତରୀୟ ପ୍ରବେଶ ଆବଶ୍ୟକ ହେବ? ଯଦି ଏହି ୩ଟି ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନ ପ୍ରକୃତରେ ଖରାପ ଥିଲା, ତେବେ ସେମାନଙ୍କୁ ଉତ୍ତରଦାୟୀ କରାଇବା ବଦଳରେ ପୁନର୍ବାର ପ୍ୟାନେଲରେ ସାମିଲ କରିବା କ’ଣ ଅର୍ଥ ବିଭାଗର ଦାୟିତ୍ୱହୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ କି?
ସରକାରଙ୍କ ଚେତାବନୀ: ପ୍ରଦର୍ଶନ ମୂଲ୍ୟାଙ୍କନ ଜାରି ରହିବ
ରାଜ୍ୟ ଅର୍ଥ ବିଭାଗ ଜୁଲାଇ ୫ରେ ଜାରି କରିଥିବା ନିର୍ଦ୍ଦେଶନାମା ସ୍ପଷ୍ଟ କରିଛି ଯେ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଏହି ବ୍ୟାଙ୍କଗୁଡ଼ିକର ପ୍ରଦର୍ଶନର ମୂଲ୍ୟାଙ୍କନ କରାଯିବ ଏବଂ ଖରାପ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରୀ ସଂସ୍ଥାଗୁଡ଼ିକର ବ୍ୟବସାୟ ଏବଂ ଜମା ପରିଚାଳନା ପାଇଁ ପ୍ୟାନେଲରୁ ବାଦ୍ ଦିଆଯିବ । ଏହାସହିତ ଅର୍ଥ ବିଭାଗ କହିଛି ଯେ, ଜୁନ୍ ୨୧ତାରିଖର ନିର୍ଦ୍ଦେଶନାମା ଅନୁସାରେ ଯଦି କୌଣସି ସରକାରୀ ସଂସ୍ଥା ଅବା ବିଭାଗ ଏସବୁ ବ୍ୟାଙ୍କରେ ଆକାଉଣ୍ଟ ବନ୍ଦ ସହ ଜମା ରାଶି ଉଠାଇ ଆଣିଥିବେ ସେମାନେ ପୁଣିଥରେ ସମ୍ପୃକ୍ତ ବ୍ୟାଙ୍କକୁ ଏବେ ଫେରିବାର ଆବଶ୍ୟକତା ନାହିଁ । ତେବେ ସରକାର ମାତ୍ର ୧୫ଦିନ ମଧ୍ୟରେ ଏହି ବ୍ୟାଙ୍କଗୁଡ଼ିକ ସହ କାରବାରକୁ ନେଇ ଯେଭଳି ୟୁଟର୍ଣ୍ଣ ନେଇଛନ୍ତି ତାହା ସରକାରଙ୍କ ଦୃଢ଼ ନିଷ୍ପତ୍ତି ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୪ ତାରିଖରେ ପ୍ରଥମ ସ୍ପଷ୍ଟୀକରଣ ଦେଇଥିଲା ଅର୍ଥ ବିଭାଗ
ଜୁନ୍ ୨୧ତାରିଖରେ ଏହି ୩ଟି ବ୍ୟାଙ୍କ ସହ ସରକାରୀ କାରବାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଥିବା ଅର୍ଥ ବିଭାଗ ଜୁନ୍ ୨୪ ତାରିଖରେ ସ୍ପଷ୍ଟୀକରଣ ଜାରି କରିଥିଲା । ଏହି ୩ଟି ବ୍ୟାଙ୍କ ସହ ରାଜ୍ୟ ସରକାର କେତେକ ନିର୍ଦ୍ଦିଷ୍ଟ କାରବାର ଜାରି ରଖିବେ ବୋଲି ଦର୍ଶାଇ ଅର୍ଥ ବିଭାଗ କହିଥିଲା ଯେ, ଏହି ୩ଟି ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାରଙ୍କ ସଂସ୍ଥାର ଏସଏନଏ (ସିଙ୍ଗଲ ନୋଡାଲ ଏଜେନ୍ସୀ)ବ୍ୟାଙ୍କ ଆକାଉଣ୍ଟ, ପେମେଂଟ ଏଗ୍ରିଗେଟ୍ ଅବା ପେମେଂଟ ଗେଟୱେ ବ୍ୟାଙ୍କ ଆକାଉଣ୍ଟ, ଏଜେନ୍ସୀ ବ୍ୟାଙ୍କ ଆକାଉଣ୍ଟ(ସରକାରୀ ରାଜସ୍ୱ ସଂଗ୍ରହ ହେଉଥିବା ଆକାଉ) ଏବଂ ଏନପିଏସ/ପେନସନ୍ ଟଷ୍ଟ୍ର ବ୍ୟାଙ୍କ ଆକାଉଣ୍ଟ ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ କାର୍ଯ୍ୟ ନିମନ୍ତେ ନୂଆ ଆକାଉଣ୍ଟ ଖୋଲାଯିବ ନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
