ରାଜ୍ୟରେ ଗଣତନ୍ତ୍ରର ସରକାର ନୁହେଁ ବାବୁତନ୍ତ୍ରର ସରକାର ଚାଲିଛି ବୋଲି ବିରୋଧୀ ଦଳଗୁଡ଼ିକର ଅଭିଯୋଗ ମଧ୍ୟରେ ରାଜ୍ୟ ସରକାର ଶୀର୍ଷପଦସ୍ଥ ଅଫିସରମାନଙ୍କ ଚା’ ଓ ଜଳଖିଆ ଖର୍ଚ୍ଚକୁ ୫ଗୁଣ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶେଷଥର ପାଇଁ ୨୦୨୧ ଡିସେମ୍ବର ୧୪ତାରିଖରେ ଏହି ଖର୍ଚ୍ଚସୀମାକୁ ବଢ଼ାଇଥିବା ରାଜ୍ୟ ସରକାର ଏବେ ଦରଦାମ ବୃଦ୍ଧି ଯୋଗୁ ଚା’-ଜଳଖିଆ ଦର ବଢ଼ିଥିବା ଦର୍ଶାଇ ପୁଣିଥରେ ଉକ୍ତ ଦରକୁ ସଂଶୋଧନ କରିଛନ୍ତି ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଭିନ୍ନ ବର୍ଗର ଅଫିସରମାନେ କରୁଥିବା ବୈଠକ, ସରକାରୀ ଆଲୋଚନା ଓ ସେମାନଙ୍କୁ ଭେଟିବାବେଳେ ଯେଉଁ ଚା’ଜଳପାନ(ରିଫ୍ରେସମେଂଟ)ରେ ଆପ୍ୟାୟିତ କରାଯାଏ, ସେବାବଦ ଖର୍ଚ୍ଚସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଦରଦାମ ବୃଦ୍ଧି ପାଇଥିବା ଦର୍ଶାଇ ଅର୍ଥ ବିଭାଗ ଏହି ମାସିକ ଖର୍ଚ୍ଚକୁ ୫ଗୁଣ ବଢ଼ାଇଛି । ମୁଖ୍ୟ ସଚିବ ଓ ସମତୁଲ ପାହ୍ୟାର ଅଫିସରମାନେ ଏଣିକି ମାସିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଚା’-ଜଳପାନରେ ଖର୍ଚ୍ଚ କରିପାରିବେ । ପୂର୍ବରୁ ସେ ମାସିକ ଏବାବଦରେ ୧ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ପ୍ରାବଧାନ ରହିଥିଲା ।
ସେହିପରି ଅତିରିକ୍ତ ମୁଖ୍ୟ ସଚିବ ଓ ସମତୁଲ ପାହ୍ୟାର ଅଫିସରମାନେ ମାସିକ ୪ହଜାର ଟଙ୍କା, ପ୍ରମୁଖ ସଚିବ, କମିଶନର ତଥା ସଚିବ ଓ ସମତୁଲ ପାହ୍ୟାର ଅଫିସର ମାସିକ ୩ହଜାର ଟଙ୍କା, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ,ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳ ଓ ସମତୁଲ ପାହ୍ୟାର ଅଫିସରମାନେ ଏଣିକି ମାସିକ ୧ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।
ପୂର୍ବରୁ ଅର୍ଥାତ୍ ୨୦୨୧ ଡିସେମ୍ବର ୧୪ତାରିଖରୁ ରାଜ୍ୟ ସରକାର ଚା’ ଓ ଜଳପାନ ବାବଦରେ ପ୍ରମୁଖ ସଚିବ ଓ ସଚିବ ମାନଙ୍କୁ ମାସିକ ୮୩୩ଟଙ୍କା ଏବଂ ସ୍ୱତନ୍ତ୍ର ସଚିବ,ଅତିରିକ୍ତ ସଚିବ,ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ମାସିକ ୬୬୬ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଅନୁମତି ଦେଇଥିଲେ ।
ସୂଚନାଯୋଗ୍ୟ, ୨୦୦୩ ମସିହାରେ ଅଫିସରମାନଙ୍କୁ ଚା’-ଜଳଖିଆ ବାବଦରେ ସର୍ବାଧିକ ବାର୍ଷିକ ୪ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଅନୁମତି ଦିଆଯାଇଥିଲା । ଯାହାକୁ ପ୍ରାୟ ୧୮ବର୍ଷ ପରେ ୨୦୨୧ ଡିସେମ୍ବର ମସିହାରେ ରାଜ୍ୟ ସରକାର ସଂଶୋଧନ କରି ମାସିକ ୬୬୬ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ କରିଥିଲେ । ଏବେ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ଖର୍ଚ୍ଚସୀମାକୁ ୫ଗୁଣ ବୃଦ୍ଧି କରିଛନ୍ତି ।