Advertisment

ମିଛ ପ୍ରଚାର; ନର୍ସିଂ ପଢ଼ୁଥିବା ଝିଅକୁ ରୋଗୀ ସଜାଇଦେଲେ ସରକାର!

ଜଳେଶ୍ଵର ପୌରାଞ୍ଚଳର ୧୫ ନମ୍ବର ୱାର୍ଡରେ ବାସ କରନ୍ତି ସୁମନ୍ତ ପ୍ରଧାନ, ତାଙ୍କ ଉର୍ମିଳା ପ୍ରଧାନ ଓ ପରିବାର ଲୋକ। ତାଙ୍କ ଝିଅ ହେଉଛନ୍ତି ସ୍ମୃତିଲେଖା ପ୍ରଧାନ। ସେ ବାଲେଶ୍ୱରରେ ନର୍ସିଂ ପଢ଼ୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

author-image
Manoranjan Sial
Balasore

Balasore

ଝିଅ ସୁସ୍ଥ ଓ ସବଳ ଅଛନ୍ତି। ବାଲେଶ୍ୱରରେ ନର୍ସିଂ ପଢ଼ୁଛନ୍ତି। ହେଲେ ମିଛ ପ୍ରଚାର ପାଇଁ ତାଙ୍କୁ ରୋଗୀ ସଜାଇ ଦେଲେ ରାଜ୍ୟ ସରକାର! ଖାଲି ରୋଗୀ ସଜାଇଲେ ନାହିଁ, ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ୨ ଲକ୍ଷ ଟଙ୍କା ଉଠିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପୁସ୍ତିକାରେ ଲେଖି ବାଣ୍ଟିଲେ। ଝିଅର ଅସ୍ତ୍ରୋପଚାର ହୋଇଥିବା ଜାଣି ବାପା ଓ ମାଆଙ୍କ ଅକଲ ଗୁଡୁମ୍‌ ହୋଇଯାଇଛି।

Advertisment

ଜଳେଶ୍ଵର ପୌରାଞ୍ଚଳର ୧୫ ନମ୍ବର ୱାର୍ଡରେ ବାସ କରନ୍ତି ସୁମନ୍ତ ପ୍ରଧାନ, ତାଙ୍କ ଉର୍ମିଳା ପ୍ରଧାନ ଓ ପରିବାର ଲୋକ। ତାଙ୍କ ଝିଅ ହେଉଛନ୍ତି ସ୍ମୃତିଲେଖା ପ୍ରଧାନ। ସେ ବାଲେଶ୍ୱରରେ ନର୍ସିଂ ପଢ଼ୁଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ହେଲେ ତାଙ୍କ ନାଁରେ ବିଜୁ ସ୍ୱାସ୍ଥ୍ୟକାର୍ଡରୁ ୨ ଲକ୍ଷ ଟଙ୍କା ଉଠିଛି। ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଝିଅ ସ୍ମୃତିଲେଖାଙ୍କ ଗୋଡ଼ା ଅସ୍ତ୍ରୋପଚାର ହୋଇଛି। ଗୁରୁବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିବା ପୁସ୍ତିକାରେ ଏପରି ଲେଖାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସ୍ମୃତିଲେଖାଙ୍କ ମାଆ ଉର୍ମିଳା ଓ ବାପା ସୁମନ୍ତ।

ବଣ୍ଟାଯାଇଥିବା ପୁସ୍ତିକାରେ ଲେଖାଯାଇଛି, “ଜଳେଶ୍ଵର ପୌରାଞ୍ଚଳର ୧୫ ନମ୍ବର ୱାର୍ଡର ଶ୍ରୀମତୀ ଉର୍ମିଳା ପ୍ରଧାନ କୁହନ୍ତି ମୋର ଝିଅ ସ୍ମୃତିଲେଖା ପ୍ରଧାନଙ୍କ ଗୋଡ଼ରେ ସମସ୍ୟା ଥିବାରୁ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରୁ ନଥିଲେ। ସେଥିପାଇଁ ଆମ ପରିବାର ବହୁତ ଦୁଃଖିତ ଥିଲେ। ଉତ୍ତମ ସେବା ପାଇଁ ଅର୍ଥର ଅଭାବ ଥିଲା। ମାତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମୁଁ ମୋର ଝିଅର ଅସ୍ତ୍ରଉପଚାର ସହିତ ଉତ୍ତମ ମାନର ଚିକତ୍ସା ପାଇପାରିଥିଲି। କଠିନ ସମୟରେ ବରଦାନ ରୁପରେ ୨୦୦୦୦୦ ଟଙ୍କାର ଆର୍ଥିକ ସହାୟତା ମୋତେ ବଂଚିବାର ରାହା ଯୋଗାଇଥିଲା। ସେଥ‌ିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏବଂ ମୋର ପରିବାର ତରଫରୁ କୃତଜ୍ଞନ୍ତା ଜଣାଉଛି।”

Advertisment

ସରକାରଙ୍କ ମିଛ ଖବରକୁ ନେଇ ଉର୍ମିଳା କହିଛନ୍ତି, ଥରେ ଜଳେଶ୍ୱର ପୌରାଞ୍ଚଳରୁ କେତେକ କର୍ମଚାରୀ ଆମ ଘରକୁ ଆସିଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଛି କି ନାହିଁ ମୋତେ ପଚାରିଥିଲେ। ମୁଁ ହଁ କହିବାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଣିବାକୁ କହିଥିଲେ। ତା’ପରେ ମୁଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଣିଥିଲି। ମୋତେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ଛିଡ଼ା ହେବାକୁ କୁହାଯାଇଥିଲା। ସେମାନଙ୍କ କଥାକୁ ବିଶ୍ୱାସ କରି ଫଟୋ ଧରି ଛିଡ଼ା ହୋଇଥିଲି। ତା’ପରେ ସେମାନେ ମୋ ଫଟୋ ଉଠାଇ ଥିଲେ। ପରେ ମୋ ପରିବାର ଲୋକଙ୍କ ନାଁ ଲେଖି ନେଇଥିଲେ। ଫଟୋ କାହିଁକି ଉଠାଇଲ ବୋଲି ପଚାରିବାରୁ ସେମାନେ କହିଥିଲେ, ଆଗକୁ ନିର୍ବାଚନ ଆସୁଥିବାରୁ ବିଜୁ ସ୍ୱାସ୍ଥ୍ୟ କେର୍ଡରୁ ବହୁ ଫେସିଲିଟି ମିଳିବ ବୋଲି କହିଥିଲେ। ଏବେ ମୋ ଝିଅର ଅପରେସନ୍‌ ହୋଇଥିବା ପୁସ୍ତିକାରୁ ଦେଖିବାକୁ ପାଇଲି ବୋଲି ଉର୍ମିଳା କହିଛନ୍ତି।

ତେବେ ଜଳେଶ୍ୱର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ଥାର୍ଡ଼ ପାର୍ଟି ଏଭଳି କାମ କରିଛି। ଆମର ଏଥିରେ କୌଣସି କାମ ନାହିଁ ବୋଲି ସେ କହିଛନ୍ତି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore BSKY