ନକଲି ଡାକ୍ତରଙ୍କ ଯାଂଚ ପାଇଁ ସରକାର ଦେଲେ ନିର୍ଦ୍ଦେଶ

ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ

  • Published: Monday, 01 July 2024
  • , Updated: 01 July 2024, 10:45 PM IST

ରାଜ୍ୟରେ ନକଲି ଡାକ୍ତରଙ୍କ ଯାଂଚ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶାଳିନୀ ପଣ୍ଡିତ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ବିଭାଗୀୟ ସଚିବ ଶ୍ରୀମତୀ ପଣ୍ଡିତ ରାଜ୍ୟର ସବୁ ଜିଲ୍ଲାର ସିଡିଏମଓଙ୍କ ସମେତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତରମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମରେ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ଡାୟଲିସିସଠୁ ଆରମ୍ଭ କରି ସିଟି ସ୍କାନ, ଏମଆରଆଇ ଓ ରକ୍ତ ପରୀକ୍ଷା ଆଦି ବହୁ ସ୍ୱାସ୍ଥ୍ୟଜନିତ ପରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି । ଆଉ ହସ୍ପିଟାଲଗୁଡ଼ିକରେ ଏହି ସେବା ଯୋଗାଇ ଦେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ସଂସ୍ଥା ଦ୍ୱାରା ଡାକ୍ତର ଓ ବିଶେଷଜ୍ଞମାନେ ନିୟୋଜିତ ହୋଇଥାଆନ୍ତି । ତେବେ ସମ୍ପୃକ୍ତ ଡାକ୍ତର ଅବା ବିଶେଷଜ୍ଞଙ୍କର ଶିକ୍ଷାଗତ ଯୋଗ୍ୟତା ଯାଂଚ କରିବା ସେହି ସଂସ୍ଥାଗୁଡ଼ିକର ହୋଇଥାଏ । ମାତ୍ର ଏବେ ରାଉରକେଲା ସରକାରୀ ହସ୍ପିଟାଲର ଡାୟଲିସିସ୍ ୟୁନିଟରୁ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟ ସରକାର ସମସ୍ତ ଏହି ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ପିପିପି ମୋଡରେ ସେବା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହେଉଥିବା  ସଂସ୍ଥାଗୁଡ଼ିକ ଦ୍ୱାରା ନିୟୋଜିତ ଡାକ୍ତର ଓ ବିଶେଷଜ୍ଞମାନଙ୍କ ଶିକ୍ଷାଗତ ଯାଂଚ ବିଭିନ୍ନ ସମୟରେ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Related story