/odisha-reporter/media/post_attachments/uploadimage/library/16_9/16_9_0/Bar_1723483897.jpg)
Bar
ରାଜ୍ୟରେ ନୂଆ ଅବକାରୀ ନୀତି ଲାଗୁ ହେବାପୂର୍ବରୁ ରାଜ୍ୟ ସରକାର କଠୋର ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଥିବା ଲାଇସେନ୍ସପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ ଗୁଡ଼ିକ ଆଉ ନିଜର ବାର ପରିସରରେ ମଦ ସହ ଡ୍ୟାନ୍ସ କରିପାରିବେ ନାହିଁ । ଏପରିକି ଯେଉଁ ଠିପିଖୋଲା ବିଦେଶୀ ମଦ ଲାଇସେନ୍ସପ୍ରାପ୍ତ ଦୋକାନ ନିଜର ଅନୁମୋଦିତ ସ୍ଥାନଠୁ ଅନ୍ୟ ସ୍ଥାନ(ସେହି କୋଠାର ଅନ୍ୟସ୍ଥାନରେ ଅତିରିକ୍ତ ବାର) କରିଥିବେ ତାକୁ ମଧ୍ୟ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଦୃଶ୍ୟମାନ ହେଲାଭଳି ମଦ ଦୋକାନ ସାଇନବୋର୍ଡ ତୁରନ୍ତ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱର ଅବକାରୀ ଜିଲ୍ଲା ଅଧୀକ୍ଷକ ଆଜି ନିଜର ସମସ୍ତ ଅବକାରୀ ଉପଅଧୀକ୍ଷକ, ଇନ୍ସପେକ୍ଟର ଓ ଅବକାରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରି ଅବକାରୀ ଆଇନ ଓ ନିୟମକୁ ଉଲ୍ଲଘଂନ କରୁଥିବା ଲାଇସେନ୍ସଧାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ୍ କରିଛନ୍ତି।
ସେ କହିଛନ୍ତି ଯେ, ବହୁ ଠିପିଖୋଲା ବିଦେଶୀ ମଦ ଦୋକାନଗୁଡ଼ିକ ଧାର୍ଯ୍ୟ ସମୟ ବାଦ୍ ବି ଦୋକାନ ଖୋଲା ରଖି ମହିଳାମାନଙ୍କୁ ନିୟୋଜିତ କରି ଗୀତ ବଜାଉଛନ୍ତି ଓଏସବୁ ସୋସିଆଲ ମିଡିଆରେ ମଧ୍ୟ ପ୍ରସାର କରାଉଥିବାର ଅଭିଯୋଗ ମିଳିବାରେ ଲାଗିଛି । ତେଣୁ ସୋସିଆଲ ମିଡିଆରେ ପ୍ରଚାର କରୁଥିବା ଓ ଗୀତ ବଜାଇ ମହିଳାଙ୍କୁ ନିୟୋଜିତ କରୁଥିବା ସମସ୍ତ ଠିପିଖୋଲା ବିଦେଶୀ ମଦଦୋକାନଗୁଡ଼ିକୁ ଯାଂଚ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନଗୁଡ଼ିକର ସିସିଟିଭି ଫୁଟେଜ୍ ଯାଂଚ କରି କିଛି ଆପତ୍ତିଜନକ ଥିଲେ ସେମାନଙ୍କ ବିରୁଦ୍ଧରେ ଅବକାରୀ ଆଇନ ଅନୁସାରେ ଗୁରୁତର ଅନିୟମିତତା ରିପୋର୍ଟ(ଏସଆଇଆର) ପ୍ରସ୍ତୁତ ନିମନ୍ତେ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସେହିପରି ଅଧିକାଂଶ ଲାଇସେନ୍ସପ୍ରାପ୍ତ ଠିପିଖୋଲା ବିଦେଶୀ ମଦଦୋକାନଗୁଡ଼ିକ ନିଜର ବାର ପରିସରରେ ମଦ ସହ ଗୀତ ବଜାଇ ଡ୍ୟାନ୍ସର ସୁଯୋଗ ଦେଉଛନ୍ତି । ଏସବୁ ତୁରନ୍ତ ବନ୍ଦ ହେବା ଦରକାର । ଆବଶ୍ୟକ ପଡ଼ିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ବିଦେଶୀ ମଦଦୋକାନଗୁଡ଼ିକ ନିଜର ଅନୁମୋଦିତ ସ୍ଥାନ ପରିବର୍ତ୍ତେ ଅନ୍ୟତ୍ର ବାର ଖୋଲିଥିବା ନଜରକୁ ଆସିଛି । କିଛି ଲାଇସେନ୍ସଧାରୀ ସେହି କୋଠାର ଅନ୍ୟ ଫ୍ଲୋର ଅବା ଅନ୍ୟ କୋଠରୀରେ ଅତିରିକ୍ତ ବାର୍ ଖୋଲିଥିବା ନଜରକୁ ଆସିଛି । ଏସବୁ ତୁରନ୍ତ ବନ୍ଦ କରାଯାଇ ଅନୁପାଳନ ରିପୋର୍ଟ ପଠାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ମଦ ଦୋକାନର ସାଇନବୋର୍ଡ କିମ୍ବା ଅନ୍ୟ ମଦର ବ୍ରାଣ୍ଡ ପ୍ରମୋସନର ହୋର୍ଡିଂ ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥକୁ ଦୃଶ୍ୟମାନ ନହେବା ଦରକାର । କିମ୍ବା ସୋସିଆଲ ମିଡିଆରେ ମଦର ପ୍ରଚାରପ୍ରସାର ହେଉଥିଲେ ତୁରନ୍ତ ଅବକାରୀ ଆଇନ-୨୦୦୮ର ଧାରା ୨୪ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଯେଉଁସବୁ ଦୋକାନ ଦୀର୍ଘଦିନ ଧରି ବନ୍ଦ ରହିଛି କିନ୍ତୁ ତା’ର ସମ୍ମୁଖରେ ସାଇନବୋର୍ଡ ରହିଛି ସେସବୁ ତୁରନ୍ତ ହଟାଇବାକୁ ସେ ତାଗିଦ୍ କରିଛନ୍ତି । ଏସବୁ ନିୟମକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ଅବକାରୀ ଅଧୀକ୍ଷକ ଆଜି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
